ରେଭେନ୍ସା ମହାମିଳନ : ଅଭୂତପୂର୍ବ, ଅନନ୍ୟ

ଜନ୍ମଦାତ୍ରୀ ମା’ ଭଳି ରେଭେନ୍ସା ବି ଜଣେ ମା’। ଦେବକୀ ମା’ ନ ହୋଇଥାଇପାରେ, ମାତ୍ର ଯଶୋଦା ମା’ ପରି ନିଜ କୋଳରେ ଗଢ଼ିଛି କେତେକେତେ ସନ୍ତାନଙ୍କୁ। ଜ୍ଞାନର ଏହି ମନ୍ଦିରରୁ ଚେତନାଦୀପ୍ତ ହୋଇଛନ୍ତି ଶତସହସ୍ର ସନ୍ତାନ। ଦୀର୍ଘ ଦିନ ପରେ ମା’ କୋଳକୁ ଫେରିଲେ ଯେପରି ସନ୍ତାନ ଖୁସିରେ ଆତ୍ମହରା ହୋଇପଡ଼େ, ଦୌଡ଼ିଯାଇ ମା’କୁ କୁଣ୍ଢାଇପକାଏ; ଠିକ୍‌ ସେହିପରି ଏକ ସ୍ନେହବୋଳା ଅନୁଭବର ମିଠା ସ୍ପର୍ଶ ଆଜି ସମଗ୍ର ରେଭେନ୍ସା ବିଶ୍ୱବିଦ୍ୟାଳୟର ପରିବେଶକୁ ଆଚ୍ଛାଦିତ କରି ରଖିଥିଲା। ଆଉ ମା’ ମଧ୍ୟ ନିଜର ସନ୍ତାନମାନଙ୍କୁ ପଣତକାନିରେ ଘୋଡ଼ାଇ ଦେବା ସହ ଢାଳି ଦେଇଥିଲା ଅସରନ୍ତି ମମତାର ବାରିଧାରା। ଅବସର ଥିଲା ରେଭେନ୍ସାର ୧୫୦ ବର୍ଷ ପୂର୍ତ୍ତି ଅବସରରେ ପୁରାତନ ଛାତ୍ରସଂସଦ ପକ୍ଷରୁ ଆୟୋଜିତ ‘ରେଭେନ୍ସା ମହାମିଳନ’ କାର୍ଯ୍ୟକ୍ରମ, ଯାହା ଥିଲା ଅଭୂତପୂର୍ବ ଓ ଅନନ୍ୟ। ଓଡ଼ିଶା ଇତିହାସରେ ଏକ ନୂତନ ଅଧ୍ୟାୟର ଅୟମାରମ୍ଭ ହେଲା। ରେଭେନ୍ସାର ଦେଢ଼ ଶହ ବର୍ଷର ଇତିହାସରେ ଏମିତି କାର୍ଯ୍ୟକ୍ରମ କେବେ ହୋଇ ନ ଥିଲା। ପ୍ରବୁଦ୍ଧଙ୍କଠାରୁ ନେଇ ତରୁଣଙ୍କ ପର୍ଯ୍ୟନ୍ତ ଉପସ୍ଥିତ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଏଇ ଗୋଟିଏ କଥା ହିଁ ଦୋହରାଉଥିଲେ ଏବଂ ଆୟୋଜକଙ୍କୁ ଭୁରି ଭୁରି ପ୍ରଶଂସା କରୁଥିଲେ। ଯୁବଶକ୍ତିର ଅଫୁରନ୍ତ ଉତ୍ସାହ ଓ ଉଦ୍ଦୀପନା ସହିତ ଅଭିଜ୍ଞତା ଓ ପ୍ରଜ୍ଞାର ଘଟିଥିଲା ମହାମିଳନ। ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କଠାରୁ ଆରମ୍ଭ କରି ସାହିତ୍ୟ କ୍ଷେତ୍ରର ମହାରଥୀ, ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସକ, ବିଚାରପତି, ଆଇନଜୀବୀ, ଶିଳ୍ପୀ, କଳାକାର, ଚିକିତ୍ସକ, ସାମ୍ବାଦିକ, ଅଭିନେତା, କ୍ରୀଡ଼ାବିତଙ୍କ ପର୍ଯ୍ୟନ୍ତ ରେଭେନ୍ସାର ଅଧିକାଂଶ କୃତୀ ସନ୍ତାନମାନେ ପ୍ରଥମ ଥର ପାଇଁ ଏକାଠି ହୋଇଥିଲେ ରେଭେନ୍ସାର ମୁକ୍ତାକାଶ ପ୍ରାଙ୍ଗଣରେ। କିଏ ଆମେରିକାରେ ରହୁଥିଲେ ତ କିଏ ବିଶ୍ୱର ଆଉ କେଉଁ କୋଣରେ, ମାତ୍ର ଏହି ମହାମିଳନ ବିଦେଶରୁ ପ୍ରଦେଶ ପର୍ଯ୍ୟନ୍ତ ସମସ୍ତେ ଟାଣି ହୋଇ ଆସିଥିଲେ ମା’ କୋଳକୁ। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଏବଂ ସଫଳତାର ଶିଖର ଛୁଇଁଥିବା ବହୁ ଧୁରୀଣ ଓ ପ୍ରଜ୍ଞାଦୀପ୍ତ ବ୍ୟକ୍ତିତ୍ୱଙ୍କ ଏଭଳି ଅଭୂତପୂର୍ବ ସମାଗମ ସମଗ୍ର ପରିବେଶକୁ ଗରିମାମୟ କରିଥିଲା। ଏପରି ସମାଗମ ନା’ କେବେ ଅତୀତରେ ହୋଇଥିଲା ନା’ ଭବିଷ୍ୟତରେ ଏପରି ମହାର୍ଘ୍ୟ ଅବକାଶ ଆସିବ, ସେ ନେଇ ସନ୍ଦିହାନ ଥିଲେ ସମସ୍ତେ।

ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ଆଜିର ଦିନଟି ବି ଥିଲା ପୁଣିଥରେ ଅତୀତ ସ୍ମୃତିର ଶାମୁକା ସାଉଁଟିବାର। ଛାତ୍ର ଜୀବନର ଚପଳାମି ଜାହିର କରିବାର। ଯୌବନର ଅଙ୍କାବଙ୍କା ରାସ୍ତା ଓ ଖଟାମିଠା ଅନୁଭବକୁ ପୁନର୍ଜୀବିତ କରିବାର। ରେଭେନ୍ସାରେ ବିତିଥିବା ପ୍ରତିଟି ମୁହୂର୍ତ୍ତକୁ ସମୟ ପାଖରୁ ଫେରାଇ ଆଣିବାର ପ୍ରୟାସ କରିଥିଲେ ଏହି ମଣିଷ ତିଆରି କାରଖାନାର ପୁରାତନ ଛାତ୍ରଛାତ୍ରୀମାନେ। କେହି କେହି ବୟସର ସାୟାହ୍ନରେ ଉପନୀତ ହୋଇ ମଧ୍ୟ ନିଜର ସହପାଠୀମାନଙ୍କୁ ଦେଖି ଭାବାବେଗକୁ ନିୟନ୍ତ୍ରଣ କରି ପାରୁନଥିଲେ। ଅନୁଜ, ଅଗ୍ରଜ ଓ ସହପାଠୀଙ୍କୁ ଦେଖି ଆନନ୍ଦରେ ବିଭୋର ହୋଇପଡ଼ୁଥିଲେ ସମସ୍ତେ। କିଛି ବାଛ ବିଚାର ନଥିଲା ସେଠି। ପଦପଦବି, ଧନୀ, ଗରିବର ଊର୍ଧ୍ୱକୁ ଉଠି ସମସ୍ତେ ହୋଇ ଉଠିଥିଲେ ଏକାକାର। ଏଭଳି ଆନନ୍ଦର ଅଫୁରନ୍ତ ଫୁଆରକୁ ଯେପରି ଅଟକେଇବାକୁ ଚାହୁଁନଥିଲା ପ୍ରକୃତି। ଅନାବିଳ ଭଲପାଇବା ଓ ବିଶ୍ୱ ଭାତୃତ୍ୱର ମୂକସାକ୍ଷୀ ହୋଇ ରହିଲା ଆଜିର ଏଇ ପବିତ୍ର ଦିନ। ଏହି ମହାର୍ଘ୍ୟ ମୁହୂର୍ତ୍ତକୁ ହୃଦୟର ନିଭୃତ କୋଣରେ ସାଇତି ରଖିବାକୁ ଚେଷ୍ଟା କରିଥିଲେ ସମସ୍ତେ।

ଅନନ୍ୟ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ଭୁଲିବାର ନୁହେଁ: ମନୋଜ ଦାସ

ପ୍ରଥିତଯଶା ସାରସ୍ୱତ ସ୍ରଷ୍ଟା ମନୋଜ ଦାସ ଥିଲେ ଏହି ମହାମିଳନର ମୁଖ୍ୟ ଆକର୍ଷଣ। ସେ ତାଙ୍କ ସଂକ୍ଷିପ୍ତ ଅଭିଭାଷଣରେ ସମସ୍ତଙ୍କୁ ଚମତ୍କତ କରି ଦେଇଥିଲେ। ସେ ପାଠ ପଢ଼ିଲାବେଳେ ଛାତ୍ର ଫେଡେରେସନ୍‌ରୁ ଛାତ୍ର ସଂସଦର ସଭାପତି ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇଥିବା ଘଟଣାର ସ୍ମୃତିଚାରଣ କରି କହିଲେ, ସହପାଠୀ ବିମଳ ପ୍ରସାଦ ଦାଶଙ୍କ ସହ ମୋର ପ୍ରତିଦ୍ୱନ୍ଦ୍ୱିତା ହେଉଥାଏ। ତେବେ ବିମଳ ମତେ ଭେଟିବା ପରେ ଆମର ଅନାବିଳ ବନ୍ଧୁତ୍ୱକୁ ଗୁରୁତ୍ୱ ଦେଇ ନିର୍ବାଚନରୁ ଓହରି ଯାଇଥିଲେ। ଫଳରେ ମୁଁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିଲି। ଏହା ବ୍ୟତୀତ ଏକ ଚମତ୍କାର ଉପକଥା ମାଧ୍ୟମରେ ସେ ରେଭେନ୍ସାରେ ଯେଉଁ ଦୁଇ ବର୍ଷ ଅତିବାହିତ କରିଥିଲେ ତାହା ଭାବିଲା ବେଳକୁ ଆଜି ତାହା ତାଙ୍କୁ ଏକାସଙ୍ଗରେ ସୁଖୀ ଓ ଦୁଃଖୀ କରୁଛି ବୋଲି କହିଥିଲେ। ସୁଖୀ ଏଥିପାଇଁ ଯେ ଏହା ଆଜି ତାଙ୍କୁ ରେଭେନ୍‌ସାର ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ଓ ବରେଣ୍ୟ ଅଧ୍ୟାପକମାନଙ୍କ ଶ୍ରଦ୍ଧା ଓ ସ୍ନେହ ସଂପର୍କରେ ସଚେତନ କରି ଦେଉଛି। ଏହା ପାରସ୍ପରିକ ବୁଝାମଣା ଶୈକ୍ଷିକ ପରିବେଶକୁ ଏଭଳି ପରିପୁଷ୍ଟ କରିଥିଲା ଯେ ଆଜି ସେସବୁକୁ ସେ ଝୁରି ହେଉଛନ୍ତି ଏବଂ ଏଥିରୁ ଆହୁରି ଅନେକ ଅନୁଭୂତି ଆହରଣ କରାଯାଇ ପାରିଥାନ୍ତା ବୋଲି ଭାବି ଦୁଃଖୀ ହେଉଛନ୍ତି।

ଏହି ମହାମିଳନ ଋଣ ପରିଶୋଧର ଉତ୍ସବ: ସୌମ୍ୟରଂଜନ

ଏହି ମହାମିଳନର ବିନ୍ଧାଣୀ ଥିଲେ ପୁରାତନ ଛାତ୍ର ସଂସଦର ସଭାପତି ସୌମ୍ୟରଂଜନ ପଟ୍ଟନାୟକ। ମାତ୍ର ୧୦ ଦିନ ମଧ୍ୟରେ ରେଭେନ୍ସାର ଗର୍ବ ଓ ଗୌରବର କାରଣ ସାଜିଥିବା ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଛାତ ତଳେ ସେ ଏକାଠି କରିଥିଲେ। ଶ୍ରୀ ପଟ୍ଟନାୟକ ସମାବେଶରେ ଅଧ୍ୟକ୍ଷତା କରି କହିଥିଲେ ଯେ ପୁରାତନ ଛାତ୍ରଛାତ୍ରୀ ଏକ ଶିକ୍ଷାନୁଷ୍ଠାନର ଶ୍ରେଷ୍ଠ ସମ୍ପଦ। ସରକାରୀ ଅନୁଦାନ ଅପେକ୍ଷା ପୁରାତନ ଛାତ୍ରଛାତ୍ରୀଙ୍କ ସହାୟତା ଦ୍ୱାରା ଶିକ୍ଷାନୁଷ୍ଠାନ ଆଗେଇ ପାରିବ। ରେଭେନ୍ସା ନ ଥିଲେ ଆଜି ଯିଏ ଯେଉଁ ସ୍ତରରେ ପହଞ୍ଚିଛନ୍ତି ତାହା ସମ୍ଭବ ହୋଇପାରି ନ ଥାଆନ୍ତା। ଏହି ମହାମିଳନ ସଂକଳ୍ପର ଉତ୍ସବ, ଋଣ ପରିଶୋଧର ଉତ୍ସବ। ଏବେଠାରୁ ନିୟମିତ ଭାବେ ଏହି ମହାମିଳନ ଚାଲିବ। ପ୍ରତି ବର୍ଷ ଜାନୁଆରି ମାସ ଶେଷ ରବିବାର ଦିନ ସମସ୍ତେ କ୍ୟାମ୍ପସରେ ଏକାଠି ହେବା। ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ଆଜୀବନ ସଦସ୍ୟତା ବାବଦରେ ଯେଉଁ ହଜାର ଟଙ୍କା ଲେଖାଏଁ ଗ୍ରହଣ କରାଯାଉଛି ତାହା କେହି ବି ଖର୍ଚ୍ଚ କରିପାରିବେ ନାହିଁ। ସମସ୍ତ ଅର୍ଥକୁ ନେଇ ଗୋଟିଏ ବଡ଼ ପାଣ୍ଠି ଗଠନ କରାଯିବ। ଏହି ପାଣ୍ଠିରୁ ଅର୍ଜିତ ଅର୍ଥରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଏହି ବିଶ୍ୱବିଦ୍ୟାଳୟ ପ୍ରତି ଆକର୍ଷିତ କରିବା ପାଇଁ ବିନିଯୋଗ କରାଯିବ। ତେଣୁ ରେଭେନ୍ସାର ଋଣ ପରିଶୋଧ କରିବା ପାଇଁ ଏହି କ୍ୟାମ୍ପସରୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଟି ଛାତ୍ରଛାତ୍ରୀ ସେମାନଙ୍କର ଗୋଟିଏ ମାସର ରୋଜଗାର ଏହି ପାଣ୍ଠିକୁ ଦାନ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଥିଲେ।

ରେଭେନ୍ସାର ଉନ୍ନତି ପାଇଁ ସକାରାତ୍ମକ ମାନସିକତା ଲୋଡ଼ା: ଡ.ବୈଦ୍ୟନାଥ ମିଶ୍ର
ଏହି ମହାମିଳନରେ ସମ୍ଭବତଃ ସବୁଠାରୁ ବୟୋଜ୍ୟେଷ୍ଠ ଅତିଥି ଥିଲେ ଶିକ୍ଷାବିତ୍‌ ତଥା ଅର୍ଥନୀତି ପ୍ରଫେସର ବୈଦ୍ୟନାଥ ମିଶ୍ର। ରେଭେନ୍ସାରେ ଅଧ୍ୟାପନା କରି ଅନେକ ସଫଳ ଛାତ୍ରଙ୍କୁ ସୃଷ୍ଟି କରିଥିବା ପ୍ରଫେସର ମିଶ୍ର ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧିତ କରି କହିଲେ, ରେଭେନ୍ସାରେ ଅନେକ ସୁଯୋଗ ରହିଛି। ସମସ୍ତେ ଚେଷ୍ଟା କଲେ ହିଁ ରେଭେନ୍ସା ଉନ୍ନତି ସାଧନ ହୋଇପାରିବ। ଏଥିପାଇଁ ସକାରାତ୍ମକ ମାନସିକତା ନିତାନ୍ତ ଆବଶ୍ୟକ।

ରେଭେନ୍ସା ମୋ ହୃଦୟ ସହ ସର୍ବଦା ଜଡ଼ିତ ହୋଇ ରହିବ: ଡ.ଯୋଗେଶ ଚନ୍ଦ୍ର ପତି
ଏହି ମହାମିଳନର ଅନ୍ୟତମ ଆକର୍ଷଣ ଥିଲେ ବିଶ୍ୱର ଖ୍ୟାତନାମା ପଦାର୍ଥ ବିଜ୍ଞାନୀ ପ୍ରଫେସର ଯୋଗେଶ ଚନ୍ଦ୍ର ପତି। ସମ୍ପ୍ରତି ଆମେରିକାରେ ରହୁଥିବା ଉତ୍କଳ ମାତାର ଏହି କୃତୀ ସନ୍ତାନ ଜଣକ ତାଙ୍କ ରେଭେନ୍ସା ଛାତ୍ରଜୀବନର ଅନେକ ଅଭୁଲା ସ୍ମୃତି ଓ ଅନୁଭୂତି ବଖାଣିଥିଲେ।

ସେ କହିଥିଲେ, ମୋ ବୃତ୍ତିର ମୂଳଦୁଆ ଏଇଠାରେ ହିଁ ପଡ଼ିଥିଲା। ୧୯୫୩ରୁ ୧୯୫୫ ପର୍ଯ୍ୟନ୍ତ ଏଠାରେ ଫିଜିକ୍ସ ସମ୍ମାନରେ ସ୍ନାତକ ଶିକ୍ଷା କରିଥିଲି। ରେଭେନ୍ସାର ଶିକ୍ଷା ପ୍ରଣାଳୀ ଅନ୍ୟ ବିଶ୍ୱବିଦ୍ୟାଳୟ ତୁଳନାରେ ବିସ୍ତତ ଥିଲା। ସେତେବେଳେ ବି ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ବିଷୟରେ ଉନ୍ନତମାନର ଲାବୋରେଟାରି ଉପକରଣ ମହଜୁଦ ଥିଲା। ଛାତ୍ରଛାତ୍ରୀଙ୍କୁ ଆଗକୁ ନେବା କ୍ଷେତ୍ରରେ କନିକା ଲାଇବ୍ରେରି ପ୍ରେରଣା ସାଜିଥିଲା। ଦୁଇ ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର ଓ ରମାକାନ୍ତ ରଥଙ୍କ ସହ ବିତେଇଥିବା କ୍ୟାମ୍ପସ ଜୀବନର ଅନୁଭୂତି ସହ ରେଭେନ୍ସା ତାଙ୍କ ହୃଦୟ ସହ ସର୍ବଦା ଜଡ଼ିତ ହୋଇ ରହିବ ବୋଲି କହିଥିଲେ ପ୍ରଫେସର ପତି।

ପୁରାତନ ଛାତ୍ରଛାତ୍ରୀ ରେଭେନ୍ସାର ଗୌରବ ବଢ଼ାଇଛନ୍ତି: ଡ.ଈଶାନ କୁମାର ପାତ୍ର
ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂତନ କୁଳପତି ପ୍ରଫେସର ଈଶାନ୍‌ କୁମାର ପାତ୍ର ସମାବେଶରେ ସ୍ୱାଗତ ଭାଷଣ ଦେଇ କହିଲେ, ଏହି ଶିକ୍ଷାୟତନ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଗଢ଼ିଛି। ପୁରାତନ ଛାତ୍ରଛାତ୍ରୀମାନେ ରେଭେନ୍‌ସାର ଗୌରବ ବଢ଼ାଇଛନ୍ତି। ଏବେ ଏହି ପୁରାତନ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନର ଗୌରବ ଫେରାଇ ଆଣନ୍ତୁ। ସଂପ୍ରତି ବିଶ୍ୱ ଏକ ନୂତନ ଶିକ୍ଷା ଆଡ଼କୁ ମୁହାଁଉଛି। ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ପୁରାତନ ଛାତ୍ରଛାତ୍ରୀମାନେ ଏକାଠି ହୋଇ ବିଶ୍ୱବିଦ୍ୟାଳୟର ବିକାଶ ଲାଗି କ’ଣ କରାଯାଇପାରିବ ସେନେଇ ପରାମର୍ଶ ଦିଅନ୍ତୁ।

ସମସ୍ତେ ଏକାଠି ହେଲେ ରେଭେନ୍ସା ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ହୋଇପାରିବ: ସଙ୍ଗୀତା ରଥ
ପୁରାତନ ଛାତ୍ର ସଂସଦର ସମ୍ପାଦିକା ସଙ୍ଗୀତା ରଥ କହିଲେ, ରାଜ୍ୟର ପ୍ରଥମ ସଂଗ୍ରହାଳୟ, ଲାଇବ୍ରେରି, ପ୍ରଥମ ବିଶ୍ୱବିଦ୍ୟାଳୟ, ପ୍ରଥମ ଲ’ କଲେଜ, ପ୍ରଥମ ବିଧାନସଭା ସବୁ କିଛିି ରେଭେନ୍ସା କୋଳରେ ଜନ୍ମ ନେଇଥିଲେ। ସବୁ ସ୍ତରରେ ପ୍ରତିଷ୍ଠିତ ରେଭେନ୍ସାର ଛାତ୍ରଛାତ୍ରୀ ଏକାଠି ହେଲେ ଏହା ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇପାରିବ। ୧୯୭୫ରୁ ୧୯୭୯ ମଧ୍ୟରେ ଏଠାରେ ଶିକ୍ଷା ଗ୍ରହଣ କରିଥିବା ଛାତ୍ରଛାତ୍ରୀ ଏଠାରେ ଏକ ଅଭିଲେଖାଗାର ସହ କଫି ଟେବୁଲ୍‌ ପୁସ୍ତକ କରିବାକୁ ପ୍ରସ୍ତାବ ଦେଇଛନ୍ତି। ୧୯୨୨ରୁ ୧୯୫୪ ପର୍ଯ୍ୟନ୍ତ ରେଭେନ୍ସାର ମାଗାଜିନ୍‌କ ଡିଜିଟାଇଜେସନ କରାଯାଇଥିବା ବେଳେ ସେଗୁଡ଼ିକୁ ଆଲୁମିନି େଓ୍ଵବସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ୫୦ ଜଣ ପୁରାତନ ଛାତ୍ରଛାତ୍ରୀଙ୍କ ସାକ୍ଷାତକାର, ଭିଡିଓଗ୍ରାଫି ଅଭିଲେଖାଗାରରେ ରହିବ। ସଞ୍ଜୟ ଶତପଥୀ ଉତ୍ସବକୁ ସଂଯୋଜନା କରିଥିବାବେଳେ ଶେଷରେ ମନଛୁଆ ସଂଗୀତ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର