ରେଭେନ୍ସା ମହାମିଳନ ଆଜି

ଭୁବନେଶ୍ୱର : ରେଭେନ୍ସାର ୧୫୦ବର୍ଷ ପୂର୍ତି ଉପଲକ୍ଷେ ପୁରାତନ ଛାତ୍ର ସଂସଦ ପକ୍ଷରୁ ରବିବାର ବହୁ ପ୍ରତିଷ୍ଠିତ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ‘ରେଭେନ୍ସା ମହାମିଳନ’ ଅନୁଷ୍ଠିତ ହେବ। ରେଭେନ୍ସା ପଡ଼ିଆରେ ସକାଳ ୧୦ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅପରାହ୍‌ଣ ୧ଟା ୩୦ ପର୍ଯ୍ୟନ୍ତ ଚାଲିବ।

ସକାଳ ୧୦ଟାରେ ପଞ୍ଜୀକରଣ ଆରମ୍ଭ ହେବ। ସାଢ଼େ ୧୦ଟାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୧୧ଟାରେ ରେଭେନ୍ସା ଗୌରବ ସମ୍ମାନ ପ୍ରଦାନ କରାଯିବ। ସେହିପରି ୧୨ଟା ୩୦ରେ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପରେ ମଧ୍ୟାହ୍ନ ଭୋଜନରେ ଅତିଥିମାନେ ଯୋଗଦେବେ। ରେଭେନ୍ସାର ବିଶିଷ୍ଟ ପୁରାତନ ଛାତ୍ରମାନଙ୍କ ମଧ୍ୟରେ ପ୍ରଥିତଯଶା ସାହିତ୍ୟିକ ମନୋଜ ଦାସ, ବିଶିଷ୍ଟ କବି ରମାକାନ୍ତ ରଥ, ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର, ବିଶିଷ୍ଟ ଭାଷାବିତ ଦେବୀ ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ କୁଳପତି ପ୍ରିୟମ୍ବଦା ମହାନ୍ତୀ ହେଜମାଦି, ପୂର୍ବତନ କୁଳପତି ଦେବଦାସ ଛୋଟରାୟ, ପୂର୍ବତନ ସାଂସଦ ତ୍ରିଲୋଚନ କାନୁନ୍‌ଗୋ, ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡା.ସନାତନ ରଥ, ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ, ବିଶିଷ୍ଟ ବୈଜ୍ଞାନିକ ଯୋଗେଶ ଚନ୍ଦ୍ର ପତି, ପୂର୍ବତନ ପୁଲିସ ଡିଜି ଅମିୟ ଭୂଷଣ ତ୍ରିପାଠୀ, ବିଶିଷ୍ଟ ନାଟ୍ୟକାର ଅନନ୍ତ ମହପାତ୍ରଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର ସହମତି ପ୍ରଦାନ କରିଛନ୍ତି। ଏହି ମହାମିଳନରେ ବହୁ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଗ ଦେବା ପାଇଁ ପୁରାତନ ଛାତ୍ର ସଂସଦର ସଭାପତି ସୌମ୍ୟରଂଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର