ରେଭେନ୍ସା ସାଇନ୍‌-ଡାଏ : କୁଳପତିଙ୍କୁ ଘେରିଲେ ୧୦ ଘଣ୍ଟା ସମସ୍ତ ପରୀକ୍ଷା ବାତିଲ୍‌

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଯୋଗୁଁ କର୍ତ୍ତୃପକ୍ଷ ସାଇନ୍‌-ଏ-ଡାଏ ଘୋଷଣା କରିଛନ୍ତି। ଆସନ୍ତାକାଲି ଦିନ ୧୦ଟା ସୁଦ୍ଧା ବିଶ୍ୱବିଦ୍ୟାଳୟର ସମସ୍ତ ହଷ୍ଟେଲକୁ ଖାଲି କରିବାକୁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ବିଶ୍ୱବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଚାଲିଥିବା ବେଳେ ସମସ୍ତ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ପରିସରରେ ପୁଲିସ ମୁତୟନ କରାଯାଇଛି। ରେଭେନ୍ସା ଛାତ୍ର କ୍ରିୟାନୁଷ୍ଠନ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟାହ୍ନ ୧୨ଟାରୁ ଧାରଣା ଦିଆଯାଇଥିଲା। ରାତି ୧୦ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ତାଙ୍କ ଜିଦ୍‌ରେ ଅଟଳ ରହି କୁଳପତିଙ୍କୁ ଘେରାଉ କରି ରଖିଥିଲେ। ଛାତ୍ରଛାତ୍ରୀ ଧାରଣା ଜାରି ରଖିଥିବା ବେଳେ କର୍ତ୍ତୃପକ୍ଷ ରାତି ୧୦ଟାରେ ସାଇନ୍‌-ଏ-ଡାଏ ଘୋଷଣା କରିଥିଲେ। ଘୋଷଣା ପୂର୍ବରୁ ରେଭେନ୍ସା ପରିସରରେ ଶତାଧିକ ପୁଲିସ ଏବଂ ଓଏସ୍‌ଏଏଫ୍‌ ଯବାନଙ୍କୁ ମୁତୟନ କରାଯାଇଥିଲା। କୁଳପତି ଡକ୍ଟର ଇସାନ୍‌ ପାତ୍ର ରାତି ୧୦ଟାରେ ବିଶ୍ୱବିଦ୍ୟାଳୟ ଛାଡି ଯିବା ବାଟରେ ପୁଲିସ୍‌ ଉପସ୍ଥିିତିରେ ଛାତ୍ରଛାତ୍ରୀ ତାଙ୍କ କାର ଆଡକୁ ମାଡି ଆସିଥିଲେ। ସେମାନେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକକୁ ବନ୍ଦ କରିବାକୁ ବସିଥିବା ବେଳେ ପୁଲିସ ସେମାନଙ୍କୁ ଘଉଡାଇଥିଲା। କ୍ରିୟାନୁଷ୍ଠନ କମିଟି ପକ୍ଷରୁ ଆଜି ଦିନ ୧୨ଟାରେ ଛାତ୍ରଛାତ୍ରୀ ଧାରଣାରେ ବସିଥିବା ବେଳେ କୁଳପତି ପ୍ରଫେସର ଡକ୍ଟର ଇସାନ ପାତ୍ରଙ୍କ ସହିତ ଅନେକ ଅଧ୍ୟାପକ ଓ ଅଧ୍ୟାପିକା ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବାକୁ ଆସିଥିଲେ। କମିଟିର ପ୍ରଥମ ଦାବିରେ ଆସନ୍ତା ୨୮ ତାରିଖରେ ସମସ୍ତ ହଷ୍ଟେଲକୁ ଖାଲି ନକରିବା ବିଷୟରେ ଆଲୋଚନା ଚାଲିଥିବା ବେଳେ କୁଳପତିଙ୍କ ଆଡକୁ କିଛି ଛାତ୍ର ମାଡି ଆସି ଠେଲାପେଲା କରିଥିଲେ। କୁଳପତିଙ୍କୁ ସୁରକ୍ଷା ଦେବାକୁ ଯାଇ ଏସିପି ତ୍ରିନାଥ ମିଶ୍ରଙ୍କ ନେତୃତ୍ୱରେ ପୁଲିସ ଡକ୍ଟର ପାତ୍ରଙ୍କୁ ତାଙ୍କ କାର୍ଯ୍ୟାଳୟକୁ ନେଇ ଯାଇଥିଲେ। ପରେ ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିଲେ।

ଆସନ୍ତା ୨୮ ତାରିଖ ସୁଦ୍ଧା ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଲି କରିବା ନିର୍ଦ୍ଦେଶ ବାତିଲ, ବର୍ଦ୍ଧିତ ହଷ୍ଟେଲ ଏଷ୍ଟାବ୍ଲିସ୍‌ମେଣ୍ଟ ଓ ମେଣ୍ଟେନାନ୍‌ସ ଫି ପ୍ରତ୍ୟାହାର, ସମସ୍ତ ସେଲ୍ଫଫାଇନାନ୍‌ସିଂ କୋର୍ସକୁ ରେଗୁଲାର କରିବା, ଖାଲି ପଡିଥିବା ସମସ୍ତ ଅଧ୍ୟାପକ ପଦବି ପୂରଣ କରିବା, ଶେଷ ବର୍ଷରେ ଫେଲ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ପରୀକ୍ଷା କରିବା ଦାବିରେ ଏହି ଧାରଣା ଦିଆଯାଇଥିଲା। ଶାନ୍ତିପୂର୍ଣ୍ଣ ଭାବେ ଛାତ୍ରଛାତ୍ରୀ ଧାରଣାରେ ବସିଥିବା ବେଳେ କର୍ତ୍ତୃପକ୍ଷ କେଉଁ ଉଦ୍ଦେଶ୍ୟରେ ସାଇନ୍‌-ଏ-ଡାଏ ଘୋଷଣା କଲେ ବୋଲି ଏବେ ଅନେକ ଛାତ୍ର ପ୍ରଶ୍ନ କରିଛନ୍ତି। ସେପଟେ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଚାଲିଥିବା ସମୟରେ କର୍ତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତିିରେ ଛାତ୍ରଛାତ୍ରୀ ସମସ୍ୟାରେ ପଡିଛନ୍ତି। ବିଶ୍ୱବିଦ୍ୟାଳୟ ଖୋଲିଲେ ବାକିଥିବା ପରୀକ୍ଷା ହେବ ବୋଲି ସୂଚନା ମିଳିଛି। ତେବେ ପରୀକ୍ଷା କରାଯାଇ ଖାତା ଦେଖା ହୋଇ ଫଳ ବାହାରିବା ବେଳକୁ ଅନ୍ୟ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ସୁଯୋଗ ହାତଛଡା ହେବ ବୋଲି ଅନେକ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

କର୍ତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରି ଆସନ୍ତାକାଲି ରାଜ୍ୟପାଳଙ୍କୁ ସାକ୍ଷାତ କରିବାକୁ କମିଟିର କିଛି ପ୍ରତିନିଧି ଯିବେ ବୋଲି ସରୋଜ ମାନସିଂହ, ଅଶୋକ ତାଣ୍ଡି, ରାଜେଶ ଦାସ, ପରେଶ ମୂଳିଆ, ଚିନ୍ମୟ ଦାସ, ଆରତୀ ମେହେର, ସୋମନାଥ ମଲ୍ଲିକ, ସାବନ ସାହୁ, ରାଣାପ୍ରତାପ ଦାସ, ହେମନ୍ତ ଦାସ, ପ୍ରଶାନ୍ତ କୁମାର ସାହୁ, ମନୋହର ଭୋଇ, ସଂଘମିତ୍ରା ମଲ୍ଲିକ, ଦେବ କତଲି, ଅନିଷା ଦାସ, ମିନତୀ ମେହେର, ରଂଜନ ଦାସ, ଗୁଲସନ୍‌ ମହନ୍ତ, ଚିରଂଜୀବୀ ପଣ୍ଡା, ରାଜ ପଣ୍ଡା, ଭବାନୀଶଙ୍କର ବରାହି, ଅଜୟ ପରିଡା, ଦେବବ୍ରତ ଦାସ, ଶଶୀଭୂଷଣ ଜେନା, ବିକ୍ରମ ଭୋଇ, ଶିବଶକ୍ତି ଦାସ, ବସନ୍ତ ତରାଇ, ସୁବାସ ଚନ୍ଦ୍ର ଜେନା, ସମୀର ପାତ୍ର, ରଂଜନ ବେହେରା, ସଂଘମିତ୍ରା ବେହେରା ପ୍ରମୁଖ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର