କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗରେ ପ୍ରଫେସର ପଦବିକୁ ପଦୋନ୍ନତି ପ୍ରସଙ୍ଗରେ ପୂର୍ବରୁ ହାଇକୋର୍ଟ ଜାରି କରିଥିବା ଅଙ୍କୁଶ ହଟିଛି। ଜଷ୍ଟିସ ଏସ୍‌.ଏନ୍‌.ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ସମସ୍ତ ମାମଲାର ଅନ୍ତ ଘଟାଇଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୧୭, ଏପ୍ରିଲ ୮ରେ ପ୍ରକାଶିତ ବିଜ୍ଞପ୍ତିରେ ହସ୍ତକ୍ଷେପ କରିବା ପାଇଁ ଖଣ୍ଡପୀଠ ମନା କରିଛନ୍ତି। ଏଥି ସହିତ ପୂର୍ବରୁ ଉଦ୍ଭିଦ ବିଜ୍ଞାନ ବିଭାଗରେ ପ୍ରଫେସର ପଦବିକୁ ପଦୋନ୍ନତି ପ୍ରସଂଗରେ ଜାରି କରାଯାଇଥିବା ଅନ୍ତରୀଣ ରହିତାଦେଶ ହଟିଛି। ଫଳରେ ଏହି ବିଭାଗରେ ପ୍ରଫେସର ପଦୋନ୍ନତି ପ୍ରକ୍ରିୟା ଜାରି ରହିବ। ମାମଲାର ବିବରଣୀରୁ ପ୍ରକାଶ ଯେ କ୍ୟାରିୟର ଆଡଭାନ୍ସମେଣ୍ଟ ସ୍ମିମ୍‌ ଅନୁସାରେ ରେଭେନ୍ସାର ବିଭିନ୍ନ ବିଭାଗରେ ପଦୋନ୍ନତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୭, ଏପ୍ରିଲ ୮ରେ ପ୍ରକାଶିତ ନୋଟିସରେ ଏକାଡେମିକ ପରଫମାନ୍ସ ଇଣ୍ଡିକେଟର(ଏପିଆଇ) ସ୍କୋର ଅନୁସାରେ ପଦୋନ୍ନତି ଦିଆଯିବ ବୋଲି ଦର୍ଶାଯାଇଥିଲା। ଏହି ନୋଟିସକୁ ଚାଲେଞ୍ଜ କରି ଉଦ୍ଭିଦ ବିଜ୍ଞାନ ବିଭାଗରେ କାର୍ଯ୍ୟରତ ଆସୋସିଏସଟ ପ୍ରଫେସର ଏସ୍‌.ପାଢୀ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଆଇନଜୀବୀ ପ୍ରତାପ ମିଶ୍ର ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ମାମଲା ପରିଚାଳନା କରୁଥିଲେ।