ରେଭେନ୍ସା ବିଶ୍ବବିଦ୍ୟାଳୟ ୧୧ତମ ସମାବର୍ତ୍ତନ ଉତ୍ସବ : ଶିକ୍ଷା ହେଉଛି ଆତ୍ମବିଶ୍ବାସର ଆଧାର: ରାଜ୍ୟପାଳ

୩ ଜଣଙ୍କୁ ସମ୍ମାନଜନକ ଡକ୍ଟରେଟ୍‌; ୬୧ ଜଣଙ୍କୁ ସ୍ବର୍ଣ୍ଣ ପଦକ, ୮୧ ଜଣଙ୍କୁ ପିଏଚ୍‌ଡି

କଟକ : ‘ଜ୍ଞାନ ମଣିଷକୁ ନିଜ ସହିତ ପରିଚିତ କରାଇଥାଏ। ଶିକ୍ଷା ହେଉଛି ମନର ଚେତନା, ପ୍ରତିବିମ୍ବ ଓ ଆତ୍ମବିଶ୍ବାସର ଆଧାର। ମନରେ ଦୃଢ଼ ଇଚ୍ଛାଶକ୍ତି ଓ ପ୍ରଚଣ୍ଡ ଆତ୍ମବିଶ୍ବାସ ରହିଲେ ଛାତ୍ରଛାତ୍ରୀ ଜ୍ବଳନ୍ତ କଣିକା ହୋଇ ବିଶ୍ବକୁ ଜୟ କରିପାରିବେ।’ ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେହି ଆତ୍ମବିଶ୍ବାସ ଭରି ରହିଛି। କେବଳ ଉଚିତ୍ ମାର୍ଗ ମିଳିଲେ ସେମାନେ ସବୁ ଅସମ୍ଭବକୁ ସମ୍ଭବ କରିପାରିବେ ବୋଲି ରେଭେନ୍ସା ବିଶ୍ବବିଦ୍ୟାଳୟର ୧୧ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଏଭଳି ପ୍ରେରଣାଦାୟୀ ଉଦ୍‌ବୋଧନ ଦେଇଛନ୍ତି ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ।

ରେଭେନ୍ସା ସେଭେନ୍ ପିଲାର୍ସସ୍ଥିତ ସମ୍ମିଳନୀ କକ୍ଷରେ ଏହି ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଶ୍ରୀ ଲାଲ ରେଭେନ୍ସା ପରି ଐତିହ୍ୟସଂପନ୍ନ ବିଶ୍ବବିଦ୍ୟାଳୟର ଗୁଣଗାନ କରିବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଉତ୍ସବରେ ମୁଖ୍ୟବକ୍ତା ଭାବେ ଇଣ୍ଡିଆନ୍‌ ନ୍ୟାସନାଲ୍‌ ସାଇନ୍ସ ଏକାଡେମି ସଭାନେତ୍ରୀ ପ୍ରଫେସର ଚନ୍ଦ୍ରିମା ଶର୍ମା ଯୋଗଦେଇ ଜୀବନରେ ଆସୁଥିବା ସଫଳତା ଓ ବିଫଳତାକୁ ନେଇ ଅଧିକ ଉତ୍ସାହିତ କିମ୍ବା ହତାଶ ନ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଆଜିର ପୃଥିବୀରେ ଥିବା ବିଭିନ୍ନ ସମସ୍ୟା ଉପରେ ନିଜକୁ ନିଜେ ପ୍ରଶ୍ନ ପଚାରି ଏହାର ସମାଧାନ ପାଇଁ ଉତ୍ତର ବାହାର କରନ୍ତୁ। ଯେଉଁ ସ୍ତରରେ କାମ କରିଲେ ବି ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବାର କଳା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଫେସର ଶର୍ମା ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଶ୍ବବିଦ୍ୟାଳୟ ପକ୍ଷରୁ ନେତ୍ର ଦାନରେ ବିପ୍ଳବ ଆଣିଥିବା ଏଲ୍‌. ଭି. ପ୍ରସାଦ ଚକ୍ଷୁ ଚିକିତ୍ସା କେନ୍ଦ୍ର, ଭୁବନେଶ୍ବରର ପୂର୍ବତନ ନିର୍ଦ୍ଦେଶିକା ଡାକ୍ତର ସୁଜାତା ଦାସଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଇଥିବା ବେଳେ ଅନୁପସ୍ଥିତ କାରଣରୁ ସୁପ୍ରତିଷ୍ଠିତ ହିନ୍ଦୀ ଫିଲ୍ମ ଗୀତିକାର ତଥା ‌ସିନେ ନିର୍ଦ୍ଦେଶକ ପଦ୍ମଭୂଷଣ ଗୁଲଜାର ସାହେବ ଓ ନ୍ୟାସନାଲ ଏକାଡେମି ଅଫ୍‌ ସାଇନ୍ସ ଇଣ୍ଡିଆର ପଫ୍ରେସର ଓ ଉପଦେ‌ଷ୍ଟା ପଦ୍ମଭୂଷଣ ଡକ୍ଟର ମଞ୍ଜୁ ଶର୍ମା ଏହି ସମ୍ମାନ ଗ୍ରହଣ କରିପାରିନାହାନ୍ତି।

କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଇସାନ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ରେଭେନ୍ସାର ଗୌରବମୟ ଇତିହାସ ସଂପର୍କରେ ଆଲୋକପାତ କରିଥିଲେ। ସେ ବିଶ୍ବବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଜୀବନର ଶେଷ ଯାଏ ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ୨୦୧୯ବର୍ଷ ପାଇଁ ବିଶ୍ବବିଦ୍ୟାଳୟରେ ସ୍ନାତକରେ ୧୩୦୧, ସ୍ନାତକୋତ୍ତରରେ ୧୦୪୭, ଏମ୍‌ଫିଲରେ ୬୧ ଓ ପିଏଚ୍‌ଡିରେ ୮୧ଜଣ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଫେସର ପାତ୍ର ସୂଚନା ଦେଇଥିଲେ। ସେହିପରି ୨୦୧୯ ବର୍ଷ ପାଇଁ ବିଭିନ୍ନ ବିଭାଗରେ ଉତ୍କର୍ଷ ହାସଲ କରିଥିବା ମୋଟ ୬୧ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ଓ ୮୧ ଜଣଙ୍କୁ ପିଏଚଡି ଡିଗ୍ରି ପ୍ରଦାନ କରାଯାଇଥିଲା। ବିଶ୍ବବିଦ୍ୟାଳୟର ସ୍ନାତକରେ ୨୪ଜଣ, ସ୍ନାତକୋତ୍ତରରେ ୩୧ଜଣ, ବେଷ୍ଟ ଗ୍ରାଜୁଏଟ୍‌ ଭାବେ ଦୁଇ ଜଣ ଓ ବୋରାସମ୍ବର-ସେନାପତି ବକ୍ତୃତା ପ୍ରତିଯୋଗିତାରେ ୪ଜଣଙ୍କୁ ମିଶାଇ ମୋଟ ୬୧ଟି ସ୍ବର୍ଣ୍ଣ ପଦକ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଉତ୍ସବରେ କୁଳସଚିବ ଅଶୋକ କୁମାର ଦାସ, ସିସିଡି ଡକ୍ଟର ସଂଗୀତା ରଥଙ୍କ ସମେତ ସମସ୍ତ ଡିନ୍‌, ବିଭାଗୀୟ ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର