ସମାଜର ସେବା କରିବାକୁ ଛାତ୍ରଛାତ୍ରୀ ଆଗକୁ ଆସନ୍ତୁ

ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ

କଟକ : ଶିକ୍ଷା ମନ ଓ ମସ୍ତିଷ୍କକୁ ପ୍ରଶିକ୍ଷିତ କରିବା ସହ ନିଜର ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରିଥାଏ।। ଶ୍ରେଣୀଗୃହ ମଧ୍ୟରେ ଆମ ମସ୍ତିଷ୍କ ଯେତିକି ପ୍ରଶିକ୍ଷଣ ପାଇଥାଏ ତାଠାରୁ ଅଧିକ ବିଶ୍ୱବିଦ୍ୟାଳୟରେ ପଢୁଥିବା ଅନ୍ୟ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସହିତ ମିଶିବା ଦ୍ୱାର ମିଳିଥାଏ। ଶିକ୍ଷା ହେଉଛି ଅନ୍ୟର କଥାକୁ ଶୁଣିବା, ସକରାତ୍ମକ ଯୁକ୍ତି କରିବା, ଅନ୍ୟର ବିଚାରକୁ ଗୁରୁତ୍ୱ ଦେବା। ଶିକ୍ଷାର ମୂଳ ଇତିହାସ କହେ ପଢା ଶେଷପରେ ସମାଜକୁ ଯାଇ ଲୋକଙ୍କ ସେବା କରିବା। ମାତ୍ର ଆଜିର ଛାତ୍ରଛାତ୍ରୀ ସେବାକୁ ଗୁରୁତ୍ୱ ନଦେଇ କେବଳ ନିଯୁକ୍ତି ପଛରେ ଦୌଡୁଛନ୍ତି। ଯେଉଁମାନେ ରେଭେନ୍ସା ପରି ବିଶ୍ୱବିଦ୍ୟାଳୟରେ ପଢିବାର ସୁଯୋଗ ପାଇ ନାହାନ୍ତି ସେମାନଙ୍କୁ ସେବା ଯୋଗାଇ ଦେବାର କାମ ହେଉଛି ଏଠାରୁ ଗ୍ରାଜୁଏଟ ହେଉଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପ୍ରଥମ କର୍ତ୍ତବ୍ୟ । ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟର ୯ମ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ୟୁଜିସି ଅଧ୍ୟକ୍ଷ ପଦ୍ମଶ୍ରୀ ଡକ୍ଟର ବୀରେନ୍ଦ୍ର ସିଂହ ଚୌହାନ। ଶ୍ରୀ ଚୌହାନ କହିଛନ୍ତି ଯେ ଶିକ୍ଷା ଗ୍ରହଣ କରିବା କ୍ଷେତ୍ରରେ କେବେ ଶେଷ ଦିନ ନଥାଏ। ମାତ୍ର ଗୋଟିଏ ଦିନକୁ ଶିକ୍ଷାର ମୁଖ୍ୟ ପ୍ରତିବିମ୍ବ ଭାବେ ଗ୍ରହଣ କରିବାକୁ ପଡିଥାଏ। ଆଜିର ଦିନଟି ରେଭେନ୍ସା ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଚିହ୍ନର ଦିବସ ଅଟେ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡଙ୍ଗୀ କହିଥିଲେ ଯେ ରେଭେନ୍ସା ତାର ୧୫୦ବର୍ଷ ପାଳନ କରୁଥିବା ବେଳେ ଏକ ଶିକ୍ଷାପ୍ରଦାନ କଲେଜରୁ ଗବେଷଣାର ବିଶ୍ୱବିଦ୍ୟାଳୟରେ ପରିଣତ ହେବା ଯାତ୍ରା ଜାରି ରଖିଛି। ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟକୁ ନାକ୍‌ର ପ୍ରଥମ ମାନ୍ୟତାରେ ‘ଏ’ ଗ୍ରେଡ ମିଳି ନଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏହାକୁ ହାସଲ କରି ଇତିହାସ ସୃଷ୍ଟି କରିଥିବାର ଶ୍ରୀ ଷଡଙ୍ଗୀ କହିଥିଲେ। ଏହି ଅବସରରେ ନୂଆଦିଲ୍ଲୀ ଏନ୍‌ସିଇଆର୍‌ଟିର ନିର୍ଦ୍ଦେଶକ ପ୍ରଫେସର ହୃଷିକେଶ ସେନାପତି ଓ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ବିଜୟିନୀ ବୀଣାପାଣି ମହାନ୍ତିଙ୍କୁ ଡି.ଲିଟ୍‌ ସମ୍ମାନରେ ସମ୍ମାନିତ କରାଯିବା ସହ ୟୁଜିସି ଅଧ୍ୟକ୍ଷ ତଥା ମୁଖ୍ୟ ଅତିଥି ପ୍ରଫେସର ବୀରେନ୍ଦ୍ର କୁମାର ଚୌହାନଙ୍କୁ ଡି.ଏସ୍‌ସି ସମ୍ମାନରେ ସମ୍ମାନିତ କରାଯାଇଥିଲା। ୨୦୧୭ ବର୍ଷ ପାଇଁ ସ୍ନାତକରେ ୨୮ଜଣ, ସ୍ନାତକତ୍ତୋରରେ ୨୯ଜଣ, ବୋରାସମ୍ବର-ସେନାପତି ବକ୍ତତା ପ୍ରତିଯୋଗିତାରେ ୬ଜଣ ଓ ବେଷ୍ଟ ଗ୍ରାଜୁଏଟ୍‌ ଭାବେ ରେଗୁଲାର କୋର୍ସରେ ଦି୍ରଗଜା ସାହୁ ଓ ପ୍ରଫେସ୍‌ନାଲ କୋର୍ସରେ ଦିକ୍ଷାଶା ମହାରଣାଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବା ସହ ୬୪ଜଣଙ୍କୁ ଡକ୍ଟରରେଟ ଉପାଧି ପ୍ରଦାନ କରାଯାଇଛି।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ମନୋରଂଜନ ମହାନ୍ତିଙ୍କୁ ଡି.ଲିଟି ସମ୍ମାନରେ ସମ୍ମାନିତ କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଶ୍ରୀ ମହାନ୍ତି ଏଥିରେ ଯୋଗଦେଇ ପାରି ନଥିଲେ। ଆଜିର ସମାବର୍ତନ ଉତ୍ସବରେ ବିଶ୍ୱବିଦ୍ୟାଳୟ କୁଳସଚିବ ମହେଶ୍ୱର ଅଗସ୍ତି, ସିସିଡି ପ୍ରଫେସର ଗୌରାଙ୍ଗ ଚରଣ ନନ୍ଦଙ୍କ ସହିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇଥିଲେ। ଏଠାରେ ସୂଚନା ଯୋଗ୍ୟ ଚଳିତବର୍ଷ ନୂଆଦିଲ୍ଲୀ ଠାରେ ରାଜ୍ୟପାଳଙ୍କ ବୈଠକ ଥିବାରୁ ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଡକ୍ଟର ଏସ.ସି. ଜମିର ସମାବର୍ତନ ଉତ୍ସବରେ ଯୋଗଦେଇ ପାରି ନାହାନ୍ତି।

ସମ୍ବନ୍ଧିତ ଖବର