ରେଭେନ୍ସା ୧୧ମ ସମାବର୍ତ୍ତନ ଉତ୍ସବ ୬ରେ : ଗୀତିକାର ଗୁଲଜାର୍‌ଙ୍କ ସମେତ ୬ଜଣଙ୍କୁ ସମ୍ମାନଜନକ ଡକ୍ଟରେଟ୍‌

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ୧୧ତମ ସମାବର୍ତନ ଉତ୍ସବ ଆସନ୍ତା ୬ ତାରିଖ ପୂର୍ବାହ୍ନ ୧୧ଟାରେ ସେଭେନ୍‌ ପିଲାର୍ସସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ। ୨୦୧୯ ବର୍ଷ ପାଇଁ ବିଭିନ୍ନ ବିଭାଗରେ ଉତ୍କର୍ଷ ହାସଲ କରିଥିବା ମୋଟ ୬୧ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ଓ ୮୧ ଜଣଙ୍କୁ ପିଏଚ୍‌ଡି ଡିଗ୍ରି ପ୍ରଦାନ କରାଯିବ। ବିଶ୍ବବିଦ୍ୟାଳୟର ସ୍ନାତକରେ ୨୪ଜଣ, ସ୍ନାତକୋତ୍ତରରେ ୩୧ଜଣ, ବେଷ୍ଟ ଗ୍ରାଜୁଏଟ୍‌ ଭାବେ ଦୁଇଜଣ ଓ ବୋରାସମ୍ବର-ସେନାପତି ବକ୍ତୃତା ପ୍ରତିଯୋଗିତାରେ ୪ଜଣଙ୍କୁ ଏହିପରି ମୋଟ ୬୧ଟି ସ୍ବର୍ଣ୍ଣ ପଦକ ଦିଆଯିବ। ସେହିପରି ୨୦୧୯ ବର୍ଷ ପାଇଁ ୮୧ ଜଣଙ୍କୁ ପିଏଚ୍‌ଡି ଡିଗ୍ରୀ ପ୍ରଦାନ କରାଯିବ। ଏହାସହ ଦେଶର ୩ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଉତ୍ସବରେ ସମ୍ମାଜନକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯିବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ସମ୍ମାଜନକ ଡକ୍ଟରେଟ୍‌ ଉପାଧି ପାଇବାକୁ ଥିବା ବ୍ୟକ୍ତିଙ୍କ ମଧ୍ୟରେ ସୁପ୍ରତିଷ୍ଠିତ ହିନ୍ଦୀ ଫିଲ୍ମ ଗୀତିକାର ତଥା ‌ସିନେ ନିର୍ଦ୍ଦେଶକ ପଦ୍ମଭୂଷଣ ଗୁଲଜାର ସାହେବ, ନ୍ୟାସନାଲ ଏକାଡେମି ଅଫ୍‌ ସାଇନ୍ସ ଇଣ୍ଡିଆର ପଫ୍ରେସର ଓ ଉପଦେ‌ଷ୍ଟା ପଦ୍ମଭୂଷଣ ଡକ୍ଟର ମଞ୍ଜୁ ଶର୍ମା ଓ ନେତ୍ରଦାନରେ ବିପ୍ଳବ ଆଣିଥିବା ଏଲ୍‌.ଭି ପ୍ରସାଦ ଆଖି ଚିକିତ୍ସା କେନ୍ଦ୍ର, ଭୁବନେଶ୍ବରର ପୂର୍ବତନ ନିର୍ଦ୍ଦେଶିକା ଡାକ୍ତର ସୁଜାତା ଦାସ ଅଛନ୍ତି। ଉତ୍ସବରେ ମୁଖ୍ୟବକ୍ତା ଭାବେ ଇଣ୍ଡିଆନ୍‌ ନ୍ୟାସନାଲ୍‌ ସାଇନ୍ସ ଏକାଡେମି ସଭାନେତ୍ରୀ ପ୍ରଫେସର ଚନ୍ଦ୍ରିମା ଶର୍ମା ଯୋଗଦେବେ। ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉତ୍ସବରେ ଉପସ୍ଥିତ ରହି‌ବେ। କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ଡକ୍ଟର ଇସାନ ପାତ୍ର ପରିଚାଳନା କରିବେ। କୁଳପତିଙ୍କ ସମ୍ମିଳନ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁଳପତି ପ୍ରଫେସର ଡକ୍ଟର ଇଶାନ ପାତ୍ର, କୁଳସଚିବ ଅଶୋକ ଦାସ, ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ତ୍ରିଲୋଚନ ମିଶ୍ର, ଡିଏସ୍‌ଡବ୍ଲୁ ଡକ୍ଟର ରୀତା ପାଇକରାୟ, ଡକ୍ଟର ପଦନ କୁମାର ଜେନା ଉପସ୍ଥିତ ଥିଲେ। ୨୦୧୯ ବର୍ଷ ପାଇଁ ସ୍ନାତକରେ ୧୩୦୧, ସ୍ନାତକତ୍ତୋରରେ ୧୦୪୭, ଏମ୍‌ଫିଲ୍‌ରେ ୬୧ ଜଣ ଓ ପିଏଚ୍‌ଡିରେ ୮୧ ଜଣଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ଏଥି ମଧ୍ୟ‌େର ୫୬.୮୨ ପ୍ରତିଶତ ଛାତ୍ରୀ ଓ ୪୩.୧୭ ପ୍ରତିଶତ ଛାତ୍ର ଅଛନ୍ତି।

ସମ୍ବନ୍ଧିତ ଖବର