ରେଭେନ୍ସାରେ ବିବାଦ : ପଦ ଛାଡ଼ିଲେ କୁଳସଚିବ

ମାନସିକ ଚାପରେ ରହୁଥିଲି: କୁଳସଚିବ, କୁଳାଧିପତିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଥିଲା: କୁଳପତି

କଟକ : ଆଜି ହଠାତ୍‌ ପଦ ଛାଡି ଦାୟିତ୍ବମୁକ୍ତ ହୋଇଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳସଚିବ ଅଶୋକ ଦାସ। ତାଙ୍କ ସ୍ଥାନରେ କୌଣସି ଅଧିକାରୀଙ୍କୁ ନିଯୁକ୍ତି ମିଳି ନଥିଲେ ବି ସେ ଆଜି ଦାୟିତ୍ବ ହସ୍ତାନ୍ତର କରି ଚାଲି ଯାଇଛନ୍ତି। ଦୀର୍ଘଦିନ ଧରି ବିଶ୍ବବିଦ୍ୟାଳୟରେ କୁଳପତି ଓ କୁଳସଚିବଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ଆଜି ଏଭଳି ପ୍ରତିଫଳନ ବିଭିନ୍ନ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। କିନ୍ତୁ ଘଟଣା ସଂପର୍କରେ ଉଭୟ କୁଳପତି ଓ କୁଳ ସଚିବ ଭିନ୍ନ ମତ ରଖିଛନ୍ତି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କାମ ଯୋଗୁଁ ସେ ଅନେକ ସମୟରେ ମାନସିକ ଚାପରେ ରହୁଥିବାରୁ ଦାୟିତ୍ବ ଛାଡିଛନ୍ତି ବୋଲି କହିଛନ୍ତି କୁଳସଚିବ ଶ୍ରୀ ଦାସ। ଅନ୍ୟପଟେ କୁଳାଧିପତିଙ୍କ କାର୍ଯ୍ୟାଳୟରୁ ମିଳିଥିବା ନିର୍ଦ୍ଦେଶ ଅନୁଯାୟୀ କୁଳ ସଚିବ ପଦବି ଛାଡିଲେ ବୋଲି କହିଛନ୍ତି କୁଳପତି ପ୍ରଫେସର ଇସାନ ପାତ୍ର।

ସୂଚନା ଅନୁଯାୟୀ, ରେଭେନ୍ସା ବିଶ୍ବବିଦ୍ୟାଳୟ‌ର କୁଳପତି ଓ କୁଳସଚିବଙ୍କ ମଧ୍ୟରେ ଏକାଧିକ କାରଣକୁ ନେଇ ପ୍ରାୟ ଏକ ବର୍ଷ ହେବ ବିବାଦ ଲାଗି ରହିଥିଲା। ଜାନୁଆରି ୮ ତାରିଖରେ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇବା ପରେ ବିବାଦ ଅଧିକ ବଢି ଯାଇଥିଲା। ବିଶ୍ବବିଦ୍ୟାଳୟର ୧୭୯ଟି ସ୍ଥାୟୀ ଅଧ୍ୟାପକ ପଦବି ନିଯୁକ୍ତିକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ରହିଥିଲା। ନିଯୁକ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ନାମ ଏବେ ଯାଞ୍ଚ ଚାଲିଥିବା ବେଳେ କରୋନା ପାଇଁ ଏହାକୁ ବନ୍ଦ ରଖିବାକୁ କୁଳସଚିବ କହିଥିଲେ। ମାତ୍ର ତାଙ୍କ ପରାମର୍ଶ ଗ୍ରହଣ କରା ଯାଇନଥିଲା। ସରକାରଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି ବିଶ୍ବବିଦ୍ୟାଳୟରେ ବାରମ୍ବାର ବୈଠକ ବସିବା ଓ ଯାଞ୍ଚ କାମ ଜାରି ରହିବାକୁ ନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ ପୂର୍ବରୁ ଥିବା ଶୀତଳଯୁଦ୍ଧକୁ ଚରମ ରୂପ ଦେଇଥିଲା। ଫଳରେ ଆଜି କୁଳସଚିବ ତାଙ୍କ ପଦ ଛାଡି ଦେଇଛନ୍ତି।

ପଦ ଛାଡିବା ଅବସରରେ ଶ୍ରୀ ଦାସ କହିଛନ୍ତି ଯେ, ବିଶ୍ବବିଦ୍ୟାଳୟର କୁଳସଚିବ ପଦବିରେ ରହି କାମ କରିବାକୁ ଅନେକ ସମସ୍ୟା ହେଉଥିଲା। ଏଥିପାଇଁ ସେ ମାନସିକ ଚାପରେ ରହୁଥିଲେ। ରେଭେନ୍ସାରୁ ତାଙ୍କୁ ନେଇଯିବାକୁ ସେ ସରକାରଙ୍କୁ ଚିଠି ଲେଖିଥିଲେ। ପଦ ଛାଡିବାକୁ ଚିଠି ଆସିବାରୁ ସେ ଆଜି ପଦ ଛାଡିଛନ୍ତି ବୋଲି କହିଛନ୍ତି ଶ୍ରୀ ଦାସ। କିନ୍ତୁ ଏ ପ୍ରସଙ୍ଗରେ ଅଧିକ କିଛି ନ କହି କୁଳପତି ପ୍ରଫେସର ପାତ୍ର କହିଛନ୍ତି ଯେ, କୁଳାଧିପତିଙ୍କ କାର୍ଯ୍ୟାଳୟରୁ କୁଳସଚିବଙ୍କୁ ପଦ ଛାଡିବାକୁ ଚିଠି ଆସିଥିଲା। ସେଥିପାଇଁ ସେ ପଦ ଛାଡିଛନ୍ତି।

ସମ୍ବନ୍ଧିତ ଖବର