ରେଭେନ୍ସା ପ୍ରବେଶିକା ପରୀକ୍ଷାରେ ବିଭ୍ରାଟ : ଗୋଟିଏ ରୋଲ ନମ୍ବରରେ ଶହେ ଆଡମିଟ୍‌ କାର୍ଡ!

ଘଣ୍ଟାଏ କାଳ ବର୍ଷାରେ ଭିଜିଲେ ଛାତ୍ରଛାତ୍ରୀ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳର ପ୍ରବେଶିକା ପରୀକ୍ଷାର ଆଜି ଦ୍ୱିତୀୟ ଦିନରେ ରୋଲ ନମ୍ବରକୁ ନେଇ ଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ପରୀକ୍ଷା ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଗୋଟିଏ ରୋଲ୍‌ ନମ୍ବରକୁ ଏକାଧିକ ପରୀକ୍ଷାର୍ଥୀଙ୍କୁ ଦିଆଯାଇଥିବାରୁ ପରୀକ୍ଷା ହଲରେ ବସିବାକୁ ନେଇ ବିଭ୍ରାଟ ଦେଖା ଦେଇଥିଲା। ଛାତ୍ରଛାତ୍ରୀ ବସିବାକୁ ସ୍ଥାନ ପାଇନଥିବା ବେଳେ ସକାଳ ବର୍ଷାରେ ଅନେକ ଛାତ୍ରଛାତ୍ରୀ ଭିଜିଥିବା ଅଭିଯୋଗ କରିଛନ୍ତି।

ପ୍ରବେଶିକା ପରୀକ୍ଷାର ଦ୍ୱିତୀୟ ଦିନର ପ୍ରଥମ ସିଟିଙ୍ଗ୍‌ରେ ଆଜି ଓଡ଼ିଆ, ଇଂରାଜୀ, ଉଦ୍ଭିଦ ବିଜ୍ଞାନ ଓ ଇଲୋକ୍ଟ୍ରନିକ୍ସ ଆଣ୍ଡ ଟେଲି କମୁନିକେସନ୍‌ (ଇଟିସି) ଥିଲା। ପରୀକ୍ଷା ସମୟ ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ କମର୍ସ ବ୍ଲକ୍‌ ନିକଟରେ ପହଞ୍ଚି ଥିଲେ। ମାତ୍ର ଇଂରାଜୀ ଓ ଉଦ୍ଭିଦ ବିଜ୍ଞାନ ପରୀକ୍ଷା ପାଇଁ ଆସିଥିବା ଅନେକ ଛାତ୍ରଛାତ୍ରୀ ସେମାନଙ୍କ ରୋଲ ନମ୍ବର ସମାନ ଥିବାର ଜାଣିବାକୁ ପାଇଥିଲା। କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ରୋଲ ନମ୍ବରକୁ ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ପଡିଥିଲେ। ଗୋଟିଏ ରୋଲ ନମ୍ବରକୁ ଏକାଧିକ ଛାତ୍ରଛାତ୍ରୀଙ୍କୁ ମିଳିଥିବାରୁ କିଏ କେଉଁଠାରେ ବସିବ ତାହାକୁ ନେଇ ଛାତ୍ରଛାତ୍ରୀ ଓ ପରୀକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ସମସ୍ୟାରେ ପଡି ଯାଇଥିଲେ। ରୋଲ ନମ୍ବର ଠିକ୍‌ ନଥିବାରୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ପଶିବାକୁ ଦିଆଯାଇ ନଥିଲା। ଏପରି ପରିସ୍ଥିତିରେ ବର୍ଷାରେ ମୁଣ୍ଡ ଗୁଞ୍ଜିବାକୁ ଛାତ୍ରଛାତ୍ରୀ ଏଣେତେଣେ ଦୌଡିଥିଲେ। ଭୁଲ ରୋଲ ନମ୍ବରକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ଫଳରେ, ପରୀକ୍ଷାକୁ ବ୍ୟବସ୍ଥିତ କରିବାକୁ ରେଭେନ୍ସା କର୍ତ୍ତୃପକ୍ଷଙ୍କୁ ଏକ ଘଣ୍ଟା ସମୟ ଲାଗି ଯାଇଥିଲା। ସକାଳ ୯ଟାରେ ଆରମ୍ଭ ହେବାକୁ ଥିବା ପରୀକ୍ଷାକୁ ଏକ ଘଣ୍ଟା ବିଳମ୍ବରେ ଅତାର୍ଥ ୧୦ଟାରେ ଆରମ୍ଭ କରାଯାଇଥିଲା। ଏଥିପାଇଁ ୧୧ଟା ପରିବର୍ତ୍ତେ ମଧ୍ୟାହ୍ନ ୧୨ଟାରେ ପରୀକ୍ଷା ଶେଷ ହୋଇଥିଲା।

ଅଭିଭାବକ ଦେବେନ୍ଦ୍ର ପୃଷ୍ଟି କହିବା ଅନୁଯାୟୀ ଗତକାଲି ରେଭେନ୍ସା ସାଇଟ୍‌ରୁ ଆଡମିଟ୍‌ କାର୍ଡ ଡାଉନ୍‌ଲେଡ୍‌ କରିଥିଲୁ। ମାତ୍ର ଆଜି ପରୀକ୍ଷା ପୂର୍ବରୁ ଗୋଟିଏ ରୋଲ ନମ୍ବରକୁ ଏକାଧିକ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ଦେଖିବାକୁ ପାଇଥିଲୁ। ଏହାକୁ ନେଇ ଏକ ଘଣ୍ଟା ଧରି ପିଲା ଓ ଅଭିଭାବକଙ୍କୁ ହଇରାଣ ହୋଇଥିଲେ। ମାତ୍ର ଶେଷରେ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ କରି ସବୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦେଇଥିଲେ। ଏପିର ଭୁଲ ଯେପରି ନହୁଏ ଏଥିପ୍ରତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ଶ୍ରୀ ପୃଷ୍ଟି ଦାବି କରିଛନ୍ତି। ରୋଲ ନମ୍ବରକୁ ନେଇ ଆଜି ସମସ୍ୟା ଦେଖାଯାଇଥିଲା। ଯେଉଁ ଅନୁଷ୍ଠାନକୁ େଓ୍ଵବସାଇଟ୍‌ରେ ପରୀକ୍ଷା ବିଷୟକୁ ପ୍ରକାଶ କରିବାକୁ ଦିଆଯାଇଛି ସେମାନଙ୍କ ଦ୍ୱାରା ଏପରି ଭୁଲ ହୋଇଛି। ଆଗାମୀ ଦିନରେ ଯେମିତି ଏପରି ଭୁଲ ନହୁଏ ସେଥିପ୍ରତି ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶେଷ ଧ୍ୟାନ ଦିଆଯିବ ବୋଲି କୁଳପତି ପ୍ରଫେସର ଇସାନ୍‌ କୁମାର ପାତ୍ର କହିଛନ୍ତି। ସକାଳ ବର୍ଷା ଯାଗୁଁ ଅନେକ ଛାତ୍ରଛାତ୍ରୀ ରେଳ ଷ୍ଟେସନ ଓ ବସ୍‌ ଷ୍ଟାଣ୍ଡରେ ରହିଯାଇଥିଲେ। ଅନ୍ୟପଟେ କରେଣ୍ଟ ନରହିବା ଓ ଭୁଲ ରୋଲ ନମ୍ବର ପାଇଁ ପରୀକ୍ଷାକୁ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ କରାଯାଇଥିଲା ବୋଲି ଡକ୍ଟର ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର