କଟକ : ହାଇଦ୍ରାବାଦ୍ ଗଣଦୁଷ୍କର୍ମ ଘଟଣାରେ ଦେଶବ୍ୟାପୀ ନିଆଁ ଜଳୁଥିବାବେଳେ କଟକ ସହରରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ରେଭେନ୍ସାରେ ପଢ଼ୁଥିବା ୩ ଜଣ କଲେଜ ଛାତ୍ରୀଙ୍କୁ କଲେଜ ଛକରୁ ଦୁର୍ବୃତ୍ତମାନେ ନିଶା ଦେଇ ଅପହରଣ ପରେ ଖଡ଼ଗପୁରରେ ଫିଙ୍ଗି ଫେରାର ହୋଇ ଯାଇଛନ୍ତି। ଛାତ୍ରୀଙ୍କ ପର୍ସରୁ ଟଙ୍କା ଲୁଟି ନିଆଯାଇଛି। ଖଡଗପୁରରେ ପୁଲିସର ଚେକିଂ ଚାଲିଥିବାରୁ ଦୁର୍ବୃତ୍ତ ୩ ଛାତ୍ରୀଙ୍କୁ ରାସ୍ତାରେ ଫିଙ୍ଗି ଫେରାର ହୋଇଯାଇଥିବା ବେଳେ ସେମାନେ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ˚କଟାପନ୍ନ ଥିବାରୁ ଠିକ୍ରେ କଥା କହିପାରୁନଥିବା କୁହାଯାଉଛି। ତେବେ ଛାତ୍ରୀଙ୍କୁ ଅପହରଣ ପଛରେ କଟକର ଜଣେ ଅଟୋ ଚାଳକ ମାଷ୍ଟରମାଇଣ୍ତ ଥିବା ଅଭିଯୋଗ ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ଯାଜପୁର କୋରେଇ ଥାନା ଗୌରପୁର ଓ ଭଦ୍ରକ ଧୂଷୁରିର ଦୁଇ ଜଣ ଯୁକ୍ତ ୨ ତୃତୀୟ ବର୍ଷ କଳା ଛାତ୍ରୀ ରେଭେନ୍ସାରେ ପଢ଼ୁଥିବା ବେଳେ କଲେଜ ଛକର ଏକ ଘରୋଇ ହଷ୍ଟେଲ୍ରେ ରୁହନ୍ତି। ଗଲା ୧୯ ତାରିଖ ଦିନ ପ୍ରାୟ ୨ଟା ୧୫ ବେଳେ ଉଭୟ ନିଜ ଗାଁକୁ ଯିବାକୁ କଲେଜ ଛକରେ ଅଟୋକୁ ଅପେକ୍ଷା କରିଥିଲେ। ଅଟୋରେ ବାଦାମବାଡ଼ି ବସ୍ ଷ୍ଟାଣ୍ତ ଯାଇଥାନ୍ତେ। ସେଠୁ ବସ୍ ଯୋଗେ ଘରକୁ ଯିବାକୁ ଯୋଜନା ଥିଲା। ଏହି ସମୟରେ ତାଙ୍କ ସହିତ ଅଟୋରେ ବାଦାମବା଼ଡ଼ି ଔଷଧ କିଣିବାକୁ ଯିବା ପାଇଁ ରେଭେନ୍ସାର ଆଉ ଜଣେ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ମଧ୍ୟ ଅପେକ୍ଷା କରିଥିଲେ। ୩ ଜଣ ଛାତ୍ରୀ ଗୋଟିଏ ଅଟୋରେ ସାଙ୍ଗ ହୋଇ ବାଦାମବାଡ଼ି ଆସିଥିଲେ। ଅଟୋ ଭଡ଼ା ୪୦ ଟଙ୍କା ଦେବାକୁ ମୁଲଚାଲ କରି ତିନି ଜଣ ସେଥିରେ ଆସିଥିଲେ। ରାଣୀହାଟ କେନାଲ ନିକଟରେ ଅଟୋ ଚାଳକ ଅଟୋ ରଖି ପାନ ଆଣିବାକୁ କହି କେଉଁଆଡେ଼ ଯାଇଥିଲା। କିଛି ସମୟ ପରେ ଫେରି ୩ ଛାତ୍ରୀଙ୍କ ମୁହଁକୁ ନିଶା ସ୍ପ୍ରେ କରି ଦେଇଥିଲା। ଛାତ୍ରୀମାନେ ଅଚେତ ହୋଇପଡ଼ିବାରୁ ଆଗକୁ କଣ ସେମାନଙ୍କ ସହିତ ଘଟିଥିଲା, କେହି କିଛି ଠିକ୍ରେ ମନେ ପକାଇ ପାରୁ ନାହାନ୍ତି। କିନ୍ତୁ ସେମାନେ ଏକ ସ୍କର୍ପିଓ ଗାଡ଼ିରେ କେଉଁଆଡେ଼ ଯାଉଥିବା ଜଣେ ଛାତ୍ରୀ ଝାପ୍ସା ଦେଖିବାକୁ ପାଇଥିଲେ। ଅନ୍ୟପଟେ ଅପରାହ୍ନ ପ୍ରାୟ ୩ଟା ୩୦ ବେଳକୁ ପରିବାର ଲୋକେ ସେମାନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବପର ହୋଇନଥିଲା। ସମସ୍ତଙ୍କ ଫୋନ୍ ସୁଇଚ ଅଫ୍ ହୋଇ ଯାଇଥିଲା। ପରିବାର ଲୋକେ ବ୍ୟସ୍ତ ହୋଇ ହଷ୍ଟେଲ୍ କର୍ମଚାରୀ ଏବ˚ ଅନ୍ୟ ସାଙ୍ଗଙ୍କୁ ବି ଯୋଗାଯୋଗ କରିଥିଲେ। ଚାରି ଆଡ଼ୁ ନିରାଶ ହେବା ପରେ ରାତି ପ୍ରାୟ ୭ଟା ୫୫ରେ ବେଳେ ୩ ଛାତ୍ରୀ ଖଡ଼ଗପୁର ନିକଟ ଜାତୀୟ ରାଜପଥ ନିକଟରେ ଥିବା ଏକ ବରଗଛ ମୂଳରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଚେତା ଫେରିବା ପରେ ଜାଣିବାକୁ ପାଇଥିଲେ। ନିକଟରେ ଖଡ଼ଗପୁର ରେଳ ଷ୍ଟେସନ୍ ଥିବାରୁ ବହୁ କଷ୍ଟରେ ଷ୍ଟେସନ୍କୁ ଯାଇଥିଲେ। ଆର୍ପିଏଫ୍ ପୁଲିସ ସହାୟତାରେ ପରିବାର ଲୋକଙ୍କୁ ଯୋଗାଯୋଗ କରିବା ସମ୍ଭବପର ହୋଇଥିଲା। ୩ ଛାତ୍ରୀଙ୍କ ପରିବାର ଲୋକେ ଖଡ଼ଗପୁରରେ ପହଞ୍ଚି ପ୍ରମାଣପତ୍ର ଦାଖଲ ପରେ ପୁଲିସ ପରିବାର ଲୋକଙ୍କ ଜିମାରେ ଛାତ୍ରୀଙ୍କୁ ଛାଡ଼ିଥିଲା। ତେବେ ସେମାନଙ୍କ ପର୍ସରୁ ଟଙ୍କା ଲୁଟ୍ ହୋଇଥିବା ବେଳେ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ କରି ଦୁର୍ବୃତ୍ତମାନେ ପର୍ସରେ ରଖି ପଳାଇ ଯାଇଥିବା ଜଣାପଡ଼ିଥିଲା। ଅନ୍ୟପଟେ ଖଡ଼ଗପୁର ପୁଲିସର କହିବା ଅନୁଯାୟୀ, ୧୮ ତାରିଖ ରାତିରେ ଖଡ଼ଗପୁରରେ ଗାଡ଼ି ଚେକି˚ ଚାଲିଥିବା ବେଳେ କିଛି ଦୂରରେ ଏକ ସ୍କର୍ପିଓ ଗାଡ଼ି ଛିଡ଼ା ହୋଇ ରହିଥିଲା। ପୁଲିସ ଭୟରେ ୩ ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ଉକ୍ତ ଗାଡ଼ିରେ ଆଣୁଥିବାରୁ ଆଗକୁ ନଯାଇ ରାସ୍ତାରେ ଫିଙ୍ଗି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି।
ଏବେ ଉଦ୍ଧାର ହୋଇଥିବା ଛାତ୍ରୀଙ୍କୁ ପରିବାର ଲୋକେ ବିଭିନ୍ନ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ନାକ, ଆଖି, ଗଳାରେ ଯନ୍ତ୍ରଣା ହେଉଥିବା ବେଳେ ମୁଣ୍ତ ବୁଲାଉଥିବା ସହିତ ଦେହ ଥରୁଥିବାରୁ ସେମାନଙ୍କୁ ଅତ୍ୟଧିକ ନିଶା ସ୍ପ୍ରେ କରାଯାଇଥିବା ଡାକ୍ତର କହୁଛନ୍ତି। ଜଣେ ଛାତ୍ରୀଙ୍କ ପରିବାର ପକ୍ଷରୁ ଭଦ୍ରକ ଥାନାରେ ଏତଲା ଦିଆଯାଇଥିବା ବେଳେ ଅନ୍ୟ ଦୁଇ ଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସୁସ୍ଥ ହେଲେ କଟକ କମିସନରେଟ୍ ପୁଲିସରେ ଏତଲା ଦିଆଯିବା ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ଦିନ ଦ୍ବିପ୍ରହରରେ କଲେଜ ଛକରୁ ୩ ରେଭେନ୍ସା ଛାତ୍ରୀଙ୍କୁ ନିଶା ଦେଇ ଅପହରଣ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।