ରେଭେନ୍ସା ଛାତ୍ରାବାସ କର୍ମଚାରୀଙ୍କୁ ଅବହେଳା

୭ ଦଫା ଦାବି ନେଇ କର୍ମଚାରୀ ସଂଘର ଆନ୍ଦୋଳନ ୧୯ ଦିନରେ, ସୌମ୍ୟରଞ୍ଜନଙ୍କୁ ଭେଟିଲେ କର୍ମଚାରୀ

କଟକ/ଭୁବନେଶ୍ବର : ରେଭେନ୍ସା ବିଶ୍ବବିଦ୍ୟାଳୟର କ୍ରମବିକାଶରେ ଛାତ୍ରାବାସ କର୍ମଚାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଛାତ୍ରାବାସରେ ରହୁଥିବା ପିଲାମାନଙ୍କ ସମସ୍ତ ଯତ୍ନ ନେବା ସହ ସେମାନଙ୍କ ସୁରକ୍ଷା ଦିଗରେ ଏମାନେ ୨୪ ଘଣ୍ଟା ଜାଗ୍ରତ ରୁହନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହି କର୍ମଚାରୀମାନେ ସର୍ବନିମ୍ନ ସୁବିଧାସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏପରିକି ରାଜ୍ୟ ସରକାରଙ୍କ ସ୍ଥିରୀକୃତ ସର୍ବନିମ୍ନ ମଜୁରୀ ବି ଏମାନଙ୍କୁ ପ୍ରଦାନ କରାଯାଉ ନାହିଁ। ଏହାକୁ ନେଇ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଗତ ୯ ତାରିଖରୁ ସେମାନେ ୭ ଦଫା ଦାବି ନେଇ ଆନ୍ଦୋଳନରେ ବସିଛନ୍ତି।

ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏବେ ୧୩ଟି ହଷ୍ଟେଲ୍‌ ରହିଛି। ଏଠାରେ ପାଖାପାଖି ୧୫୦ ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ଏମାନେ ମୁଖ୍ୟତଃ ସୁରକ୍ଷା, ସଫେଇ, ରେ‌ାଷେଇ, ଆଟେଣ୍ଡାଣ୍ଟ୍ ଆଦି କାର୍ଯ୍ୟରେ ନିୟୋଜିତ ‌ଅଛନ୍ତି। ବର୍ଷ ବର୍ଷ ଧରି ସେମାନେ ହଷ୍ଟେଲ୍‌ର ଅନ୍ତେବାସୀମାନଙ୍କୁ ମୌଳିକ ସେବା ଯୋଗାଇ ଦେଉଥିଲେ ବି ନିଜର ବହୁ ସମସ୍ୟା ସେମାନଙ୍କ ଜୀବନକୁ ଦୁର୍ବିସହ କରିଦେଉଛି। ୧୦ରୁ ୧୨ ଘଣ୍ଟା ସେମାନେ ହଷ୍ଟେଲ୍‌ରେ କାମ କରୁଥିଲେ ବି ଯେତିକି ପାରିଶ୍ରମିକ ମିଳୁଛି ସେଥିରେ ପରିବାର ଭରଣପୋଷଣ କରିବା କଷ୍ଟକର ହୋଇପଡ଼ୁଛି। ସମସ୍ୟାର ସମାଧାନ ପାଇଁ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କିଛି ସୁଫଳ ମିଳି ନାହିଁ।

ଛାତ୍ରାବାସ କର୍ମଚାରୀ ସଂଘ ପକ୍ଷରୁ ୭ ଦଫା ଦାବି ନେଇ ଗତ ୯ ତାରିଖ ଠାରୁ ଧାରଣା ଦିଆଯାଇଛି। ଏହି ଦାବିଗୁଡ଼ିକ ମଧ୍ୟରେ ଅଛି ରାଜ୍ୟ ସରକାରଙ୍କ ଦ୍ବାରା ସ୍ଥିରୀକୃତ ସର୍ବନିମ୍ନ ମଜୁରୀ ପ୍ରଦାନ, ସମସ୍ତ କର୍ମଚାରୀଙ୍କ ଦରମାରୁ ଇପିଏଫ୍ କାଟିବା, ଠିକା ମେସ୍‌ଗୁଡ଼ିକ ଉଚ୍ଛେଦ କରାଯାଇ ସାଧାରଣ ମେସ୍‌ କରାଯାଉ ଅଥବା କର୍ମଚାରୀମାନଙ୍କ ମଧ୍ୟରୁ ଯୋଗ୍ୟ କର୍ମଚାରୀମାନଙ୍କୁ ମେସ୍ ପରିଚାଳନା ଦାୟିତ୍ବ ପ୍ରଦାନ, ବିଶ୍ବବିଦ୍ୟାଳୟ କର୍ମଚାରୀଙ୍କୁ ହଷ୍ଟେଲ୍‌ରୁ ପ୍ରତ୍ୟାହାର କରି ନିଆଯାଇ ସେମାନଙ୍କୁ ବିଶ୍ବବିଦ୍ୟାଳୟ କାର୍ଯ୍ୟ ଦିଆଯିବା, ହଷ୍ଟେଲ୍‌ କର୍ମଚାରୀଙ୍କ ମଧ୍ୟରୁ ଯୋଗ୍ୟ କର୍ମଚାରୀଙ୍କୁ ବିଶ୍ବବିଦ୍ୟାଳୟରେ ନିଯୁକ୍ତି ଦେବା, ଗୋଲ୍‌ଡେନ୍ ହ୍ୟାଣ୍ଡ୍‌ ସ୍କିମ୍‌ ପ୍ରଦାନ ରାଶିକୁ ୨୫ ହଜାର ଟଙ୍କାରୁ ୫୦ ହଜାର ଟଙ୍କାକୁ ବୃଦ୍ଧି। ଏହା ସହ ନିମ୍ନ ଶ୍ରେଣୀର କର୍ମଚାରୀମାନଙ୍କ ପାଇଁ ରାଜ୍ୟ ସରକାର ପ୍ରଦାନ କରିଥିବା ଏକ କୋଟି ୩୮ ଲକ୍ଷ ଟଙ୍କାରେ ବାସଗୃହ ନିର୍ମାଣ କରାଯିବା ପାଇଁ ମଧ୍ୟ ସଂଘ ଦାବି କରିଛି। ଏହା ମଧ୍ୟରେ ଧାରଣା ୧୯ ଦିନ ହୋଇଥିଲେ ବି କର୍ତ୍ତୃପକ୍ଷ ସମାଧାନର ବାଟ ବାହାର କରୁ ନ ଥିବାରୁ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆଜି ଧାରଣାରତ କର୍ମଚାରୀମାନେ ‘ସମ୍ବାଦ’ର ସଂପାଦକ ତଥା ରେଭେନସା ଆଲୁମିନି ଆସୋସିଏସନ ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାର ଓ ରେଭେନ୍ସା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି କର୍ମଚାରୀଙ୍କ ସମସ୍ୟାର ସମାଧାନ କରିବାକୁ ଶ୍ରୀ ପଟ୍ଟନାୟକ ଧାରଣାରତ କର୍ମଚାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଆଜିର ଆଲୋଚନାରେ କର୍ମଚାରୀ ସଂଘ ସଦସ୍ୟ ପ୍ରଭାତ ନଳିନୀ ମିଶ୍ର, ହରେକୃଷ୍ଣ ପ୍ରଧାନ, ଅମୁଲ୍ୟ ବାରିକ, ବାବୁଲି ମିଶ୍ର, ଆରତ ବାରିକ, ମଞ୍ଜୁଶ୍ରୀ ପ୍ରଧାନ, ମୀନା ପଣ୍ଡା, ସଞ୍ଜୁବାଳା ପ୍ରଧାନ, ମୀରା ଦାସ, ସବିତା ବାରିକ, ଚିତ୍ତରଂଜନ ବସନ୍ତିଆ, ମ‌େନାହର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର