ପ୍ରକାଶ ପାଇଲା ରେଭେନ୍ସା ସ୍ନାତକ ପରୀକ୍ଷାଫଳ: ୯୭ ପ୍ରତିଶତ ପାସ୍‌

ସୌରିୟା, ଅଲିଭା ଶ୍ରେଷ୍ଠ ସ୍ନାତକ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତବର୍ଷ ପାସ୍‌ ହାର ୯୭.୨୨ ପ୍ରତିଶତ ରହିଥିବା ବେଳେ ଛାତ୍ର ତୁଳନାରେ ଅଧିକ ସଂଖ୍ୟକ ଛାତ୍ରୀ ପାସ୍‌ କରିଛନ୍ତି।

ଚଳିତ ବର୍ଷ ସ୍ନାତକରେ ମୋଟ ୧୪୭୯ ଜଣ ପରୀକ୍ଷା ଦେଇଥିବା ବେଳେ ୧୪୩୮ ଜଣ ପାସ୍‌ କରିଛନ୍ତିି। ସାମଗ୍ରିକ ପାସ୍‌ ହାର ଫଳ ୯୭.୨୨ ପ୍ରତିଶ୍ରତ ରହିଛି। ବିଗତ ଦଶ ବର୍ଷରେ ଏହି ହାର୍‌ ଶ୍ରେଷ୍ଟ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ରେଗୁଲାରରେ ଜିଓଲୋଜି ଛାତ୍ରୀ ସୌରିୟା ନାୟକ ୮୬.୧୪ ପ୍ରତିଶ୍ରତ ଓ ପ୍ରଫେସ୍‌ନାଲ୍‌ କୋର୍ସରେ ଆଇଏସ୍‌ଟି ଛାତ୍ରୀ ଅଲିଭା ଦାସ ୮୭.୯୬ ପ୍ରତିଶ୍ରତ ନମ୍ବର ରଖି ବିଶ୍ୱବିଦ୍ୟାଳୟର ବେଷ୍ଟ ଗ୍ରାଜୁଏଟ୍‌ ବିବେଚିତ ହୋଇଛନ୍ତି। ଚଳିତ ବର୍ଷ ଛାତ୍ରଙ୍କ ଠାରୁ ଛାତ୍ରୀ ଆଗରେ ଅଛନ୍ତି। ସ୍ନାତକରେ ସମସ୍ତ ବିଭାଗର ଟପ୍‌ ଟେନ୍‌ ମଧ୍ୟରେ ୨୯୪ ଜଣ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯୫ ଛାତ୍ରୀ ଓ ୯୯ଜଣ ଛାତ୍ର ରହିଥିବା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଇସାନ କୁମାର ପାତ୍ର ସୂଚନା ଦେଇଛନ୍ତି।

ବିଶ୍ୱବିଦ୍ୟାଳୟର ସ୍ନାତକ ପରୀକ୍ଷା ଚଳିତ ଏପ୍ରିଲ ୧୬ରୁ ମେ ୨୦ରେ ଶେଷ ହୋଇଥିବା ବେଳେ ଆଜି ଫଳ ପ୍ରକାଶ ପାଇଛି। ୬ଦିନ ମଧ୍ୟରେ ସମସ୍ତ ଉତ୍ତରଖାତା ମୂଲ୍ୟାୟନ କରି କର୍ତ୍ତୃପକ୍ଷ ଫଳ ପ୍ରକାଶ କରିଥିବାରେ ସଫଳ ହୋଇଛନ୍ତି। ପରୀକ୍ଷାରେ ୧୪୩୮ ଜଣ ପାସ୍‌ କରିଥିବା ବେଳେ ସେଥିରେ ୭୬୬ ଜଣ ଛାତ୍ରୀ ଓ ୬୭୨ ଜଣ ଛାତ୍ର ଅଛନ୍ତି। ବିଜ୍ଞାନରେ ୫୦୯ଜଣ ପରୀକ୍ଷା ଦେଇଥିବା ବେଳେ ୪୯୬ ଜଣ ପାସ୍‌ କରିଛନ୍ତି। ସେହିପରି କଳାରେ ୪୯୬ ରୁ ୪୮୧ଜଣ ଓ ବାଣିଜ୍ୟରେ ୪୭୪ରୁ ୪୬୧ ଜଣ ପାସ୍‌ କରିଛନ୍ତି। ଆଜି ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଆସନ୍ତା ୩୦ତାରିଖରୁ ବିଶ୍ୱବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟାଳୟର କାଉଣ୍ଟର ନ-୭ରେ ପ୍ରୋଭିଜିନାଲ୍‌ ସାଟିଫିକେଟ, ମାର୍କସିଟି ପ୍ରଦାନ କରାଯିବ। ନମ୍ବରକୁ ନେଇ ଦ୍ୱନ୍ଦ୍ୱ ରହିଥିଲେ ପ୍ରାର୍ଥୀ ଉକ୍ତ କାଉଣ୍ଟରରେ ଏକ ମାସ ମଧ୍ୟରେ ଅଭିଯୋଗକୁ ଜଣାଇବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଆଜି କୁଳପତିଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁଳପତି ଡକ୍ଟର ପାତ୍ରଙ୍କ ସମେତ ସିସିଡି ପ୍ରଫେସର ଡକ୍ଟର ସଙ୍ଗୀତା ରଥ, ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଡକ୍ଟର ତ୍ରିଲୋଚନ ମିଶ୍ର, ପ୍ରଫେସର ଡକ୍ଟର ଚଣ୍ଡୀପ୍ରସାଦ ନନ୍ଦ, ଡକ୍ଟର ପଦନ କୁମାର ଜେନା, ଡିଏସ୍‌ଡବ୍ଲୁ ଡକ୍ଟର ରିତା ପାଇକରାୟ, ଡକ୍ଟର ଧର୍ମବ୍ରତ ମହାପାତ୍ର, ଡକ୍ଟର ପୂର୍ଣ୍ଣେନ୍ଦୁ ପାଢୀ, ଡକ୍ଟର ଜ୍ଞାନ ରଂଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର