ସଫଳତାରେ ବାଧକ ହୋଇନି ଦୃଷ୍ଟିହୀନତା : ରେଭେନ୍ସାରେ ଅଧ୍ୟାପକ ହୋଇ ଉଦାହରଣ ସୃଷ୍ଟି କଲେ ଡ. ଆଶିଷ ସାହୁ

ବରଗଡ଼ : ଦୃଷ୍ଟିହୀନ ବା ଭିନ୍ନକ୍ଷମମାନଙ୍କୁ ସମାଜରେ ଅନେକ ବାଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ମାତ୍ର ବରଗଡ଼ ନିକଟସ୍ଥ କଟାପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଆଶିଷ ନିଜର ଇଚ୍ଛାଶକ୍ତି ବଳରେ କେବଳ ଉଚ୍ଚଶିକ୍ଷା ଲାଭ କରିନାହାନ୍ତି, କିଛି ବର୍ଷ ତଳେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗଦେଇ ଓଡ଼ିଆ ବିଭାଗରେ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଉଛନ୍ତି।

୧୯୮୮ରେ ବାପା ସ୍ବର୍ଗତ ଗୋପୀନାଥ ସାହୁ ଓ ମା’ ଯଶୋବନ୍ତୀଙ୍କ ୪ ପୁଅ ଓ ଗୋଟିଏ ଝିଅ ମଧ୍ୟରେ ତୃତୀୟ ପୁତ୍ର ଭାବରେ କଟାପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଆଶିଷ। ତେବେ ଜନ୍ମରୁ ଦୃଷ୍ଟିହୀନ ହୋଇଥିଲେ ହେଁ ଶିକ୍ଷକ ପିତାଙ୍କଠାରୁ ଅନୁପ୍ରାଣିତ ହୋଇ ପ୍ରଥମେ ସରକାରୀ ଦୃଷ୍ଟିହୀନ ବିଦ୍ୟାଳୟ ବୁର୍ଲାରୁ ମାଟ୍ରିକ୍‌ ପାସ କରିବା ପରେ ବୁର୍ଲା ଏନ୍‌ଏସି କଲେଜରୁ ଯୁକ୍ତ-୨ ଶିକ୍ଷା ଲାଭ କରିଥିଲେ। ଏହା ପରେ ରେଭେନ୍ସା କଲେଜରୁ ସ୍ନାତକ ଓ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରୁ ଓଡ଼ିଆରେ ସ୍ନା‌ତକୋତ୍ତର ଡିଗ୍ରି ମଧ୍ୟ ହାସଲ କରିଥିଲେ। ତେବେ ଏତିକିରେ ଅଟକି ଯାଇ ନ ଥିଲେ ଆଶିଷ। ଓଡ଼ିଆ ଭାଷାରେ ଗବେଷଣା କରି ସେ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଏମ୍‌.ଫିଲ୍‌ ଓ ପିଏଚ୍‌.ଡି ଡିଗ୍ରି ମଧ୍ୟ‌ ହାସଲ କରିଥିଲେ। ଷଷ୍ଠ ଶ୍ରେଣୀରେ ମହାନଦୀ କବିତା ପଢ଼ିବା ସମୟରେ ସେଥିପ୍ରତି ତାଙ୍କର ‌ଯଥେଷ୍ଟ ଆଗ୍ରହ ସୃଷ୍ଟି ହୋଇଥିଲା ଏବଂ ‘ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ମହାନଦୀ’ ଶୀର୍ଷକରେ ସେ ଗବେଷଣା କରି ନିଜର ପିଏଚ୍‌.ଡି ଡିଗ୍ରି ଲାଭ କରିଛନ୍ତି। ଆଗକୁ ନିଜର ଗବେଷଣା ଜାରି ରଖି ଶିକ୍ଷା କ୍ଷେତ୍ରରେ ଅଧିକ କାମ କରିବାକୁ ତାଙ୍କର ସ୍ବପ୍ନ ରହିଛି। ତେବେ ଜଣେ ଦୃଷ୍ଟିହୀନ ଯୁବକ ଏକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରେ ପାଠ ପଢ଼ାଇବା ସହିତ ଏକାକି ଟ୍ରେନ୍‌ରେ ଯିବା ଆସିବା ମଧ୍ୟ କରିପାରନ୍ତି। ଦୃଷ୍ଟିହୀନ ହୋଇ ମଧ୍ୟ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରି ଆଶିଷ ଅନ୍ୟମାନଙ୍କ ପାଇଁ ପ୍ରେରଣା ଓ ଦୃଷ୍ଟାନ୍ତ ସାଜି ପା‌ରିଛନ୍ତି।

ସମ୍ବନ୍ଧିତ ଖବର