ଏପ୍ରିଲରେ ପୁଣି ବାଜିବ ରେଭେନ୍ସା ରେଡିଓ

କଟକ ରେଭେନ୍ସା ରେଡିଓ ପୁଣି ବାଜିବ। ଆସନ୍ତା ଏପ୍ରିଲ ମାସରେ ‌ରେଭେନ୍ସା ବିଶ୍ବବିଦ୍ୟାଳୟ କମ୍ୟୁନିଟି ରେଡିଓ ପୁଣି କାର୍ଯ୍ୟକ୍ଷମ ହେବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ରେଡିଓ ଷ୍ଟେସନ୍‌ର ମରାମତି କାମ ଚାଲିଛି। ପୂର୍ବରୁ ଥିବା ଷ୍ଟୁଡିଓରେ କିଛି ପରିବର୍ତ୍ତନ କରାଯାଇ ପୁଣି ଏହାକୁ କାର୍ଯ୍ୟକ୍ଷମ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇ କାମ ଆରମ୍ଭ କରିଛନ୍ତି। ରେଭେନ୍ସା ରେଡିଓ ପାଇଁ ଥିବା ଷ୍ଟୁଡିଅର ତିନିଟି ଗୃହ କାମ ଶେଷ ହୋଇଛି। ସେଥିମଧ୍ୟ‌ରୁ ଗୋଟିଏ ଲେଖାଏଁ ଷ୍ଟୁଡିଓ, କାର୍ଯ୍ୟାଳୟ ଓ କଣ୍ଡ୍ରୋଲ ରୁମ୍‌ ରହିଛି। ତେବେ ନୂତନ ଯନ୍ତ୍ରାଂଶ ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚଳିତ ମାସରେ ବିଜ୍ଞପ୍ତି ପ୍ରକାଶ କରିବା ସହ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି। ‌ଯନ୍ତ୍ରାଂଶ କିଣା ସରିବା ପରେ ଆସନ୍ତା ମାର୍ଚ୍ଚ ଶେଷ ସୁଧା ଏହାକୁ ପ୍ରସ୍ତୁତ କରାଯାଇ ଏପ୍ରିଲରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସ୍ଥିର କାରାଯାଇଛି। ବିଶେଷ ଭାବେ ରେଭେନ୍ସା ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲର ସୁବିଧା ପାଇଁ ଏହାକୁ ପ୍ରସ୍ତୁତ କରାଯାଉ ଥିବା ବେଳେ ଏହାର ମରାମତି ଦାୟିତ୍ବ ଉକ୍ତ ବିଭାଗର ମୁଖ୍ୟଙ୍କୁ ପ୍ରଦାନ କରାଯାଇଛି। ରେଡିଓ ମାଧ୍ୟମରେ ଦିନକୁ ୬ଘଣ୍ଟାର କାର୍ଯ୍ୟକ୍ରମ ଶ୍ରୋତାଙ୍କ ନିକଟରେ ପହଞ୍ଚିବ। ଆକାଶରେ ୧୫ କିଲୋମିଟର ପର୍ଯ୍ୟନ୍ତ ଏହାର ପ୍ରସାରଣ ପରିସର ରହିବ। ଏଥିସହ ମୋବାଇଲରେ ଯେପରି ରେଡିଓକୁ ଶୁଣିହେବ ଏଥିପାଇଁ ନୂଆ ଟେକ୍‌ନୋଲୋଜିକୁ ବ୍ୟବହାର କରାଯାଉଛି। ଏନେଇ କୁଳପତି ପ୍ରଫେସର ଡକ୍ଟର ଇସାନ କୁମାର ପାତ୍ର କହନ୍ତି, ଷ୍ଟୁଡିଓ ମରାମତି କାମ ଶେଷ ହୋଇଥିବା ବେଳେ ଅନ୍ୟ ସମସ୍ତ କାମକୁ ଖୁବ ଶୀଘ୍ର ଶେଷ କରିବାକୁ ସବୁ ସ୍ତରରେ ଉଦ୍ୟମ ହେଉଛି। ଆସନ୍ତା ଏପ୍ରିଲ ମାସ ସୁଧା ଏହାକୁ କା‌ର୍ଯ୍ୟକ୍ଷମ କରିବାକୁ ଯୋଜନା ରଖାଯାଇଥିବା ଡକ୍ଟର ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର