ପ୍ରକାଶ ପାଇଲା ରେଭେନ୍ସା ସ୍ନାତକ ପରୀକ୍ଷାଫଳ : କମିଲା ପାସ୍‌ ହାର, ଆଗରେ ଛାତ୍ରୀ

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କୁଳପତି ପ୍ରଫେସର ଡକ୍ଟର ଇସାନ କୁମାର ପାତ୍ରଙ୍କ ଉପସ୍ଥିତିରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ସ୍ନାତକରେ ମୋଟ ୧୩୭୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୧୮୧ ଜଣ ପାସ୍‌ କରିଛନ୍ତି। ପାସ ହାର ୮୫.୬୪ ପ୍ରତିଶତ ହୋଇଥିବା ବେଳେ ପୂର୍ବବର୍ଷ ପରି ଏଥର ମଧ୍ୟ ଛାତ୍ରଙ୍କ ପଛକୁ ଠେଲି ଛାତ୍ରୀ ଆଗରେ ଅଛନ୍ତି। ଛାତ୍ରଙ୍କ ପାସ ହାର ୪୩.୬୦ ପ୍ରତିଶତ ହୋଇଥିବା ବେଳେ ଛାତ୍ରୀଙ୍କ ପାସ ହାର ୫୬.୩୯ ପ୍ରତିଶତ ରହିଛି। ରେଗୁଲାର‌୍‌ କୋର୍ସରେ କେମେଷ୍ଟ୍ରି ଛାତ୍ରୀ ପ୍ରଗତି ଗଣତ୍ରା ୮୯.୬୪ ପ୍ରତିଶତ ରଖି ବିଶ୍ବବିଦ୍ୟାଳୟର ବେଷ୍ଟ ଗ୍ରାଜୁଏଟ୍‌ ହୋଇଥିବା ବେଳେ ପ୍ରଫେସନାଲ୍‌ କୋର୍ସରେ ଆଇଟିଏମ୍‌ ଛାତ୍ରୀ ନୌରିନ୍‌ ଫିରୋଜ ୮୪.୮୦ ପ୍ରତିଶ୍ରତ ନମ୍ବର ରଖି ବିଶ୍ବବିଦ୍ୟାଳୟର ବେଷ୍ଟ ଗ୍ରାଜୁଏଟ୍‌ ହୋଇଛନ୍ତି। ସ୍ନାତକର ସମସ୍ତ ବିଭାଗର ମୋଟ ୧୧୮୧ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ସେମାନଙ୍କ ମଧୢରୁ ୬୬୬ ଛାତ୍ରୀ ଓ ୫୧୫ ଜଣ ଛାତ୍ର ଅଛନ୍ତି। ‌ତେବେ ଗତ ଦଶ ବର୍ଷ ମଧ୍ୟରେ ଚଳିତବର୍ଷ ସ୍ନାତକ ପାସ ହାର ସବୁଠୁ କମ୍‌ ବୋଲି କୁହାଯାଉଛି। ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତିଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କତ୍ତୃର୍ପକ୍ଷ ଏହି ସୂଚନା ଦେଇଛନ୍ତି। ଏଥିରେ ବିଶ୍ବବିଦ୍ୟାଳୟର ସମସ୍ତ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର