ବିନା ଅନୁମତିରେ ନିଯୁକ୍ତି ମନା, ୟୁଜିସି ନିୟମାବଳୀ ଉଲ୍ଲଘଂନ ଅଭିଯୋଗ

ରେଭେନ୍ସା କୁଳପତି ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ଅଙ୍କୁଶ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ଅଙ୍କୁଶ ଜାରି କରିଛନ୍ତି। କୁଳପତି ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଜାରି ରହି ପାରିବ। କିନ୍ତୁ ହାଇକୋର୍ଟଙ୍କ ବିନା ଅନୁମତିରେ କୁଳପତି ନିଯୁକ୍ତି ପ୍ରସଂଗରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ୨୦୧୭, ଅକ୍ଟୋବର ୨୩ରେ କୁଳପତି ନିଯୁକ୍ତି ବିଜ୍ଞପ୍ତି ୟୁଜିସି ନିୟମାବଳୀ ଉଲ୍ଲଂଘନ କରୁଛି ଦର୍ଶାଇ ରୁଜୁ ମାମଲାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର, କୁଳପତି, କୁଳପତି ଚୟନ ପାଇଁ ଗଠିତ ସର୍ଚ୍ଚ କମିଟି ଅଧ୍ୟକ୍ଷ ଓ ଯୁଜିସିକୁ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଫେସର ଡକ୍ଟର ନଚିକେତା ଦାସଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ୨୦୧୭, ଡିସେମ୍ବର ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜୟନ୍ତ କୁମାର ରଥ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଦେବାଶିଷ ମହାକୁଡ ତାଙ୍କୁ ସହାୟତା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଚଳିତ ମାସ ୩୧ ତାରିଖରେ ରେଭେନ୍ସା କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡଙ୍ଗୀଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ୨୦୧୭, ଅକ୍ଟୋବର ୨୩ରେ କୁଳପତି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୁଳପତି ପଦ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୬୨ ରଖା ଯାଇଥିବା ବେଳେ ଆବେଦନର ଶେଷ ତାରିଖ ୨୦୧୭, ନଭେମ୍ବର ୨୫ ଧାର୍ଯ୍ୟ କରାଯାଇଥିଲା। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଓ କୁଳପତିଙ୍କ ନିଯୁକ୍ତି ବେଳେ ୟୁଜିସି ନିୟମାବଳୀ ଅନୁସରଣ କରାଯାଉଥିବା ବେଳେ ଅକ୍ଟୋବର ୨୩ରେ କୁଳପତି ପଦ ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ଶିକ୍ଷାଗତ ଯୋଗ୍ୟତା ଓ ଅନୁଭବ ପ୍ରସଂଗରେ ଏହାର ଉଲ୍ଲଘଂନ କରାଯାଇଥିବା ଅଭିଯୋଗ ହୋଇଥିଲା। ୨୦୧୪ରେ କୁଳପତି ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତି ୟୁଜିସି ନିୟମାବଳୀ ଅନୁସାରେ ପ୍ରକାଶ ପାଇଥିବା ବେଳେ ଚଳିତ ବର୍ଷ କିନ୍ତୁ ଏଥିରେ ବ୍ୟତୀକ୍ରମ ଦେଖା ଦେଇଥିଲା।

୨୦୧୪ରେ କୁଳପତି ନିଯୁକ୍ତି ପାଇଁ ସର୍ଚ୍ଚ କମିଟି ସାକ୍ଷାତକାର ପାଇଁ ଆବେଦନକାରୀଙ୍କୁ ଡାକି ଥିଲା। କିନ୍ତୁ ଚଳିତ ବର୍ଷ ସମଗ୍ର ପ୍ରକ୍ରିୟା ଅନ୍ଧକାର ଭିତରେ ରହିଥିବା ବେଳେ ଏ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। କୁଳପତି ନିଯୁକ୍ତି ଲାଗି ଜାରି ରହିଥବା ନିଯୁକ୍ତି ପ୍ରକ୍ରିୟା ସଂପର୍କରେ ମଧ୍ୟ ବିଶ୍ୱବିଦ୍ୟାଳୟ େଓ୍ଵବସାଇଟରେ କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ। ଅନ୍ୟପକ୍ଷରେ ୟୁଜିସି ନିୟମାବଳୀ ଅନୁସାରେ ଆବେଦନକାରୀ ଯୋଗ୍ୟ ପ୍ରାର୍ଥୀ ହୋଇଥିବା ବେଳେ ଚଞ୍ଚକତା କରି ତାଙ୍କୁ ନିଯୁକ୍ତି ପ୍ରକ୍ରିୟାରୁ ବାଦ ଦିଆଯାଇଛି। ଏପରି ପରିସ୍ଥିତିରେ ୟୁଜିସି ନିୟମାବଳୀ ଅନୁସାରେ କୁଳପତି ନିଯୁକ୍ତି ବିଜ୍ଞପ୍ତିରେ ସଂଶୋଧନ କରାଯିବା ଆବଶ୍ୟକ। ଏଥି ସହିତ କୁଳପତି ନିଯୁକ୍ତି ସଂପର୍କିତ ସମସ୍ତ ତଥ୍ୟ ସର୍ବସାଧାରଣରେ େଓ୍ଵବସାଇଟ ଓ ନୋଟିସ୍‌ ବୋର୍ଡରେ ଉପଲବ୍ଧ କରି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣାଯିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର