ରେଭେନ୍ସା କୁଳପତି ନିଯୁକ୍ତି ପ୍ରସଂଗ: ରିଟ୍‌ ଅପିଲ ପ୍ରତ୍ୟାହାର କଲେ ଆବେଦନକାରୀ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତି ପ୍ରକ୍ରିୟା ପ୍ରସଂଗରେ ଜଣିକିଆ ବିଚାରପତି ପ୍ରଦାନ କରିଥିବା ଅନ୍ତରୀଣ ନିର୍ଦ୍ଦେଶକୁ ଚାଲେଞ୍ଜ କରି ରୁଜୁ ରିଟ୍‌ ଅପିଲକୁ ଆବେଦନକାରୀ ଆଜି ପ୍ରତ୍ୟାହାର କରିଛନ୍ତି। ପ୍ରଫେସର ଡକ୍ଟର ନଚିକେତା ଦାସଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି କୁଳପତି ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଜାରି ରହି ପାରିବ, କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ନିଯୁକ୍ତି ପ୍ରସଂଗରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ ବୋଲି ୨୦୧୭, ଡିସେମ୍ବର ୧୪ରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଅନ୍ତରୀଣ ନିର୍ଦ୍ଦେଶ ଉଠାଇବା ପାଇଁ ରେଭେନ୍ସା କର୍ତ୍ତୃପକ୍ଷଙ୍କ ତରଫରୁ ମିସ୍‌ କେସ୍‌ ଦାଖଲ ହୋଇଥିଲା।

୨୦୧୭, ଡିସେମ୍ବର ୨୧ରେ ହାଇକୋର୍ଟ ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ରହିତାଦେଶ ଉଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି ରହିବ। ବିଚାରାଧୀନ ମାମଲାର ଫଳାଫଳ ଉପରେ କୁଳପତି ନିଯୁକ୍ତିର ଭବିଷ୍ୟତ ନିର୍ଭର କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜଣିକିଆ ବିଚାରପତିଙ୍କ ଡିସେମ୍ବର ୨୧ ତାରିଖର ଅନ୍ତରୀଣ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଡକ୍ଟର ଦାସ ହାଇକୋର୍ଟରେ ରିଟ୍‌ ଅପିଲ ଦାୟର କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ରିଟ୍‌ ଅପିଲର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଆବେଦନ ପ୍ରତ୍ୟାହାର ପାଇଁ ପ୍ରାର୍ଥନା କରାଯାଇଥିଲା। ଏଥି ପାଇଁ ଖଣ୍ଡପୀଠ ଅନୁମତି ପ୍ରଦାନ କରିଥିଲେ।

ଅନ୍ୟ ପକ୍ଷରେ କୁଳପତି ନିଯୁକ୍ତି ପ୍ରକ୍ରିୟାକୁ ଚାଲେଞ୍ଜ କରି ଡକ୍ଟର ଦାସଙ୍କ ପକ୍ଷରୁ ରୁଜୁ ମୂଳ ରିଟ୍‌ ଆବେଦନର ପରବର୍ତ୍ତୀ ଶୁଣାଣି ଜାନୁଆରି ୮ ତାରିଖରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ରେଭେନ୍ସା କୁଳ ସଚିବଙ୍କ ପକ୍ଷରୁ ଆଇନଜୀବୀ ପ୍ରତାପ ଚନ୍ଦ୍ର ମିଶ୍ର ଓ କୁଳାଧିପତିଙ୍କ ପକ୍ଷରୁ ଆଇନଜୀବୀ ସୁବିର ପାଲିତ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର