କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ୱେବ୍ସାଇଟ୍କୁ କେହି ଦୃର୍ବୃତ୍ତ ହ୍ୟାକ୍ କରିଛି। ଗତକାଲି ବିଳମ୍ବିତ ରାତିରେ ଏହା ଜଣାପଡ଼ିଥିଲା। ବିଶ୍ବବିଦ୍ୟାଳୟ ୱେବ୍ସାଇଟ୍କୁ କ୍ଲିକ୍ କଲେ ଏକ ବେଟିଂ ସାଇଟ୍ ଖୋଲୁଛି। ଯେଉଁଥିରେ ଇଣ୍ଡୋନେସିଆ ଭାଷା ପରି ଲାଗୁଥିବା ଭାଷାକୁ ଇଂରାଜୀରେ ଲେଖା ଯାଇଥିବା ଦେଖିବାକୁ ମିଳିଛି। ଡେସ୍କଟପ୍ ଓ ମୋବାଇଲ୍ରେ ୱେବ୍ସାଇଟ୍ ଖୋଲିଲେ ‘BENTO4D’ ପରି ଏକ ବେଟିଂ ପ୍ଲାଟ୍ଫର୍ମ ଲିଙ୍କ୍ ଆସୁଛି। ଯାହା ପୂର୍ବରୁ ଦେଖିବାକୁ ମିଳୁ ନ ଥିଲା। ମାତ୍ର ଏହାକୁ କ୍ଲିକ୍ କଲେ ବିଶ୍ବବିଦ୍ୟାଳୟର କୌଣସି ତଥ୍ୟ ଆସୁ ନାହିଁ।
ରେଭେନ୍ସା ସାଇଟ୍ ବଦଳରେ ଖୋଲୁଛି ବେଟିଂ ସାଇଟ୍
କାମ ଦେଉନି ୨ କୋଟି ଟଙ୍କାର ଉଚ୍ଚଶକ୍ତିସମ୍ପନ୍ନ ‘ବ୍ଲେଡ୍ ସର୍ଭର’
ଏଭଳି ସ୍ଥିତିରେ ରେଭେନ୍ସା ୱେବ୍ସାଇଟ୍ରୁ ସାର୍ଟିଫିକେଟ୍ ଡାଉନ୍ଲୋଡ୍ ନେଇ କୌଣସି କାମ କରି ହେଉନାହିଁ ବୋଲି ଛାତ୍ରଛାତ୍ରୀଙ୍କ ପକ୍ଷରୁ କୁହାଯାଇଛି। ସେହିପରି ବିଶ୍ବବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ବହୁ ତଥ୍ୟକୁ ହ୍ୟାକ୍ କରି ହ୍ୟାକ୍ର ନେଇ ଯାଇଥିବା ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ବହୁ ଛାତ୍ରଛାତ୍ରୀ ଆଶଙ୍କାରେ ଅଛନ୍ତି। ଅନ୍ୟପଟେ ବିଶ୍ବବିଦ୍ୟାଳୟର ୱେବ୍ସାଇଟ୍ ହ୍ୟାକ୍ ହେବାର ସୂଚନା ତାଙ୍କ ପାଖରେ ନାହଁି ବୋଲି ପିଜି କାଉନସିଲ୍ ଅଧ୍ୟକ୍ଷା ପ୍ରଫେସର ଡକ୍ଟର ଲୁନା ସାମନ୍ତ କହିଛନ୍ତି। ତେବେ ୱେବ୍ସାଇଟ୍ ହ୍ୟାକ୍ ହୋଇଥିବା ନେଇ ଦାୟିତ୍ବରେ ଥିବା ଅଧିକାରୀ ପ୍ରଫେସର ପ୍ରିୟଙ୍କା ପ୍ରିୟଦର୍ଶିନୀ କହିଛନ୍ତି।
ସୂଚନାଯୋଗ୍ୟ, ଗତ ୨ ବର୍ଷ ତଳେ ସମାନ ଢଙ୍ଗରେ ୱେବ୍ସାଇଟ୍ ହ୍ୟାକ୍ କରାଯାଇଥିଲା। ରେଭେନ୍ସା ବିଶ୍ବବିଦ୍ୟାଳୟ ପକ୍ଷରୁ ରେଭେନ୍ସା ୱେବ୍ସାଇଟ୍ରେ ଗତ ୬ ବର୍ଷ ପୂର୍ବେ ଉଚ୍ଚଶକ୍ତିସମ୍ପନ୍ନ ‘ବ୍ଲେଡ୍ ସର୍ଭର’ କାର୍ଯ୍ୟକ୍ଷମ ହୋଇଥିଲା। ୨କୋଟିରୁ ଅଧିକ ଟଙ୍କାରେ ଉକ୍ତ ସର୍ଭର୍ ଲଗାଯାଇଥିଲା। ଏହା ସାହାଯ୍ୟରେ ଏକାସାଙ୍ଗରେ ୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇ ପାରିବେ ବୋଲି କୁହାଯାଇଥିଲା। ଏହିସହ ଉକ୍ତ ବ୍ଲେଡ୍ ସର୍ଭର୍ ଯୋଗୁଁ ସିକ୍ୟୁରିଟି ସିଷ୍ଟମ୍ ହ୍ୟାକ୍ ହେବାର ସମ୍ଭାବନା କମ୍ ଥିବା କୁହାଯାଇଥିଲା। ମାତ୍ର ପୁଣି ଥରେ ୱେବ୍ସାଇଟ୍ ହ୍ୟାକ୍କୁ ନେଇ ଉଦ୍ବେଗ ପ୍ରକାଶ ପାଇଛି।