ସମ୍ବଲପୁର: କରୋନା ଲକଡାଉନରେ ଧାନ କଟା ପାଇଁ ବାହାର ରାଜ୍ୟର ଶ୍ରମିକଙ୍କ ଆସିବା ନେଇ ଅନିଶ୍ଚିତତା, ବାଧାପ୍ରାପ୍ତ ହେବ ରବି ଧାନ ଅମଳ। ଏଭଳି ସ୍ଥିତିରେ ସମ୍ବଲପୁର ଜିଲ୍ଲାରେ ୧୨ ହଜାର ହେକ୍ଟରର ଡାଳୁଅ ଧାନ କଟା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ସମ୍ବଲପୁର ଆରମ୍ଭ ହୋଇଛି ଡାଳୁଅ ଧାନ କଟା। ବର୍ଷା ଯୋଗୁଁ କିଛି ଅଞ୍ଚଳରେ କଟା ସାମାନ୍ୟ ବିଳମ୍ବିତ ହୋଇଛି। ମେ ପ୍ରଥମ ସପ୍ତାହ ଠାରୁ ଏକ ମାସ ପର୍ଯ୍ୟନ୍ତ ଚାଷୀ ଲାଗି ପଡ଼ିବ। ଧାନ କଟା ପାଇଁ ପଞ୍ଜାବ, ଉତ୍ତରପ୍ରଦେଶ, ଛତିଶଗଡ଼ ସମେତ ବାହାର ରାଜ୍ୟର ଶ୍ରମିକଙ୍କ ଆବଶ୍ୟକତା ରହିଛି।

Advertisment

ଏଥିଯୋଗୁଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପାଇଁ ଦାବି କରିଥିଲା ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତି। ତେଣୁ ସରକାରଙ୍କ ପଦକ୍ଷେପକୁ ଅନେକ ଚାଷୀ ଅପେକ୍ଷା କରି ରହିଛନ୍ତି। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର ଏଥିସଂକ୍ରାନ୍ତରେ କୌଣସି ଦୃଷ୍ଟି ଦେଇ ନାହାନ୍ତି। କରୋନା ସଂକ୍ରମିତ କର୍ଣ୍ଣାଟକ, ପଞ୍ଜାବ, ହରିଆଣା, ଛତିଶଗଡ଼ରୁ ସମ୍ବଲପୁରକୁ ଶ୍ରମିକ ଆଣିବା ସୁରକ୍ଷିତ ନୁହେଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଉଛି। ଏଭଳି ସ୍ଥିତିରେ ବାହାର ରାଜ୍ୟର କୃଷି ଶ୍ରମିକ ସମ୍ବଲପୁରକୁ ଆସି ଫସଲ କାଟିବାର ଆଶା କ୍ଷୀଣ ରହିଛି। ଏଥିଯୋଗୁଁ ଚାଷୀଙ୍କ ଚିନ୍ତା ବୃଦ୍ଧି ପାଇଛି। ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ ଚାଷୀ ସୁଶାନ୍ତ ପଣ୍ଡା କହିଛନ୍ତି, ତାଙ୍କର ୨୦ ଏକର ଚାଷ ଜମି ରହିଛି। ହାରଭେଷ୍ଟିଂ ମେସିନ ଜରିଆରେ କର୍ଣ୍ଣାଟକର ବଙ୍ଗାଳି ଚାଳକ ଧାନ କାଟିଥାଆନ୍ତି। ଗୋଟିଏ ମେସିନ ପାଇଁ ୨ ଜଣ ଆସିଥାଆନ୍ତି।

କେବଳ ଏକମାତ୍ର ସେ ନୁହଁନ୍ତି ତାଙ୍କ ବ୍ଲକକୁ ହାରଭେଷ୍ଟିଂ ଗାଡ଼ି ଚଳାଇବା ପାଇଁ ୩୦୦ ଜଣ ଆସିଥାଆନ୍ତି। ଏଭଳି ସ୍ଥିତିରେ ସ୍ଥାନୀୟ ଗାଡ଼ି ଚାଳକ ଏବଂ ହେଲପରଙ୍କୁ ଭରସା କରିବାକୁ ପଡ଼ିବ। ସ୍ଥାନୀୟ ସ୍ତରରେ ହାରଭେଷ୍ଟିଂ ଗାଡ଼ି ଚଳାଇପାରୁଥିବା ଚାଳକ ସଂଖ୍ୟା ଖୁବ କମ ରହିଛି। ତେଣୁ କିଭଳି କାର୍ଯ୍ୟ ହେବ ଏହା ଚିନ୍ତା ମଧ୍ୟ କରାଯାଇ ପାରୁ ନାହିଁ। ସୁଶାନ୍ତ କହନ୍ତି, ତାଙ୍କ ଛତାବର ଗାଁରେ ୩୫ଟି ହାରଭେଷ୍ଟିଂ ମେସିନ ଅଛି କିନ୍ତୁ ଚାଳକ ୫ ଜଣ। ତେଣୁ ଚାଷୀର ସ୍ଥିତି କିଭଳି ଥିବ ସହଜରେ ଅନୁମାନ କରାଯାଇ ପାରିବ। ଯେଉଁ ଜମିରେ ମେସିନରେ ଧାନ କଟିବ ନାହିଁ, ବାହାର ରାଜ୍ୟ ଏବଂ ଜିଲ୍ଲାର ଶ୍ରମିକ ଆସି କାଟିବେ।

ଏକ ମାସ ମଧ୍ୟରେ ଏହି କାର୍ଯ୍ୟ ସରିବାକୁ ଥିବାରୁ ଧାନ କଟା ସମୟରେ ଶାସନ କେନାଲ ଅନ୍ତର୍ଗତ ଦୁଇ ଫସଲୀ ଅଞ୍ଚଳରେ ହଜାର-ହଜାର ଶ୍ରମିକ ବାହାରୁ ଆସିଥାଆନ୍ତି। ପୁଣି କରାମାଡ଼ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ସ୍ଥିତି ଆହୁରି ଜଟିଳ ହୋଇ ପଡ଼ିଛି। ଚାଉଁରପୁର ଚାଷୀ କାଶୀ ବିଶ୍ବନାଥ କହିଛନ୍ତି, ପ୍ରତି ବର୍ଷ ୪୦ରୁ ୫୦ ଶ୍ରମିକ ଧାନ କଟା ପାଇଁ ବାହାର ରାଜ୍ୟରୁ ତାଙ୍କ ପଞ୍ଚାୟତକୁ ଆସି ଥାଆନ୍ତି। ଛତିଶଗଡ଼ ଶ୍ରମିକ ସର୍ବାଧିକ ରହିଛି। ୧୦ ଏକରରୁ ଅଧିକ ଜମି ଚାଷ କରୁଥିବା ଜମି ବାହାରିଆ ଶ୍ରମିକଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ବୋଲି କହନ୍ତି କାଶୀ। ବିଶେଷକରି ବାହାଲ ଜମି ଅନ୍ୟ ଉପରେ ନିର୍ଭରଶୀଳ। ଚାଷୀ ହରିଶଙ୍କର ପୁରୋହିତ କହିଛନ୍ତି, ପ୍ରତିବର୍ଷ ଛତିଶଗଡ଼ର ୨୫ରୁ ୩୦ ଶ୍ରମିକ ଆସି ଧାନ କାଟି ଥାଆନ୍ତି। ଏହି ଶ୍ରମିକଙ୍କୁ ପୁଣି ଆଣିବା ପାଇଁ ଯିବାକୁ ପଡ଼େ ନାହିଁ। ଫୋନରେ ଜଣାଇଲେ ସେମାନେ ଚାଲି ଆସନ୍ତି। କରୋନା ଯୋଗୁଁ ଚଳିତ ବର୍ଷ ସେମାନେ ଆସିବା ପାଇଁ ମନା କରି ଦେଇଛନ୍ତି। ଏଭଳି ସ୍ଥିତି କାର୍ଯ୍ୟ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।