ଜୟପୁର: ରବି ଧାନ ଚାଷ ପାଇଁ ଚାଷୀ ପୁରା ଦମରେ ପ୍ରସ୍ତୁତି ଆରମ୍ଭ କରିଦେଇଥଛି। ହାଇବ୍ରିଡ୍‌ ବିହନ, ଘରୋଇ କଂପାନିର ରାସୟନିକ ସାର ପକାଇ ଚାଷ ଆରମ୍ଭ କରିସାରିଲାଣି। କେଉଁଟି ହଳ ତ ଆଉ କେଉଁଟି ପାୱରଟିଲର ଲଗାଇ କାଦୁଅ  କରିସାରିଛି। ଏହା ସାଙ୍ଗକୁ ଗତ କିଛି ଦିନ ହେବ ଧାନ ରୁଆ ବି ଆରମ୍ଭ କରିଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିଚାଷ ୨୦୨୩-୨୪ବର୍ଷ ପାଇଁ କେତେ ଚାଷ ହେବ ‌ତାହାର ସଂପୁର୍ଣ୍ଣ ବିବରଣୀ ଓ ଯୋଜନା ପ୍ରସ୍ତୁତ କରାଯାଇଛି। ଜିଲ୍ଲାରେ ଏବର୍ଷ ଖାଦ୍ୟଶସ୍ୟ ବର୍ଗରେ ୨୫ହଜାର ୯୪୦ହେକ୍ଟର ଓ ଡାଲି, ତୈଳବୀଜ, ମସଲା, ଆଖୁ, ଲେମନଗ୍ରାସ ଆଦି ୬୧ହଜାର ୩୪୦ହେକ୍ଟର ଏଭଳି ସର୍ବମୋଟ ୮୭ହଜାର ୨୮୦ହେକ୍ଟର ଜମିରେ ଚାଷ କରାଯାଉଛି।

Advertisment

ଉପ‌ରକୋଲାବ ଜଳସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ସହ ବିଭିନ୍ନ ଜଳସ୍ରୋତରୁ ୭୪ହଜାର ୫୭୦ହେକ୍ଟର ଜମିକୁ ପାଣି ମାଡ଼ୁଥିବା କହିଛନ୍ତି ମୁଖ୍ୟଜିଲ୍ଲା କୃଷି ଅଧିକାରୀ। ୧୨ହଜାର ୭୧୦ହେକ୍ଟର ଜମିରେ ପାଣି ମାଡ଼ୁନଥିଲେ ହେଁ ଜମି ଗୁଡିକର ଆଦ୍ରାତା ଓ ଖାଲଜମି ହୋଇଥିବାରୁ ଏଥିରେ ସେଭଳି ଚାଷ କରାଯାଉଛି। ଗତ ତିନି ବର୍ଷ ହେବ ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପ ଏହି ବର୍ଷ ୪ହଜାର ୪୬୪ହେକ୍ଟର ଜମିରେ ଚାଷ ପାଇଁ ଛଡାଯାଇଛି।

ଗତବର୍ଷ ତୁଳନାରେ ଏହି ବର୍ଷ ଧାନ୧୧୦୦ହେକ୍ଟର, କମ୍ ଚାଷ କରାଯାଉଛି। ୨୦୨୩-୨୪ବର୍ଷରେ ଜିଲ୍ଲାରେ ଧାନ୨୦ହଜାର ୮୨୦ହେକ୍ଟର ଚାଷ କରାଯାଉଛି। ଏଥରକ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିଚାଷ ପାଇଁ ଖାଦ୍ୟଶସ୍ୟ ବିହନ ୪୧୦୦କୁଇଣ୍ଟାଲ ଓ ଅନ୍ୟାନ୍ୟ ବିହନ ୫୪୦କୁଇଣ୍ଟାଲ ଏଭଳି ବିଭିନ୍ନ ବିତରକଙ୍କ ନିକଟରେ ବିକ୍ରୀ ପାଇଁ ଦିଆଯାଇଥିଲା।  ସେଭଳି ବିଭିନ୍ନ ବିତରକଙ୍କୁ ୟୁରିଆ ୬୫୦୦ମେଟ୍ରୀକ ଟନ, ଏସଏସପି ୬୦୦ଏମଟି, ଡିଏପି ୩୫୦୦ଏମଟି, ଏମଓପି ୧୦୦୦ଏମଟି, କ‌ମ୍ପ୍ଲେକ୍ସ ୩୨୦୦ଏମଟି ଏଭଳି ୧୪ହଜାର ୮୦୦ଏମଟି ସାର ଯୋଗାଇ ଦିଆଯାଇଥିବା   ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଖାସ୍ କରି ଧାନର ଉତ୍ପତ୍ତିସ୍ଥଳୀ ଜୟପୁର ଅଂଚଳରେ ଉପରକୋଲାବ ଜଳସେଚନ ପ୍ରକଳ୍ପ ଦ୍ବାରା ଜଳ ଜମିରେ ମାଡୁଥିବାରୁ ଚାଷୀ ମାନେ ହାଇବ୍ରୀଡ୍ ବିହନ୍  ତଳିରେ ପକାଇଛନ୍ତି। ଏହା କମ ଦିନରେ ଧାନ ଉତ୍ପାଦନ ହେଉଥିବାରୁ ଏହି ଧାନକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ଚାଷୀ ମାନେ କହିଛନ୍ତି। ସଂପ୍ରତି ଗ୍ରୀଷ୍ମ ଋତୁ ଆରମ୍ଭ ହେଉଥିବାରୁ ଗାଁ ଗହଳିରେ କାମଧନ୍ଦା ନଥିବାରୁ ମହିଳା କୃଷି ଶ୍ରମିକ ବି ପର୍ଯ୍ୟାପ୍ତ ପରିମାଣର ମିଳୁଛି। ସେଭଳି ସବୁ ଚାଷୀଙ୍କ ଜମିରେ ରବି ଚାଷ ହେଉନଥିବାରୁ ଶ୍ରମିକ ମିଳୁଛନ୍ତି ବୋଲି ଚାଷୀ ମାନେ କହିଛନ୍ତି। ସଂପ୍ରତି ଜୟପୁର ଓ ବୋରିଗୁମ୍ମା ବ୍ଲକରେ ୩୦ ପ୍ରତିଶତ ଧାନ ରୁଆ ସରିଥିବା ଜିଲ୍ଲାମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।