ଭୁବନେଶ୍ବର: ବିଜେଡି ସରକାର ସମୟର ଆଉ ଦୁଇ ଜଣ ପ୍ରଭାବଶାଳୀ ଆଇପିଏସ୍ ଅଧିକାରୀ ଡିଏସ୍ କୁଟ୍ଟେ ଓ ରବିକାନ୍ତଙ୍କୁ ବିଜେପି ସରକାରର ଚୋଟ ଲାଗିଛି। ଉଭୟଙ୍କୁ ଆଜି ଗୃହ ବିଭାଗର ଓଏସ୍ଡି ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଆଇପିଏସ୍ ଅଧିକାରୀ ଆଶିଷ ସିଂହଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ନିଯୁକ୍ତି ଦିଆଯାଇଥିଲା। ବିଜେଡି ସରକାରର ଦ୍ବିତୀୟ କ୍ଷମତାକେନ୍ଦ୍ର ଭି କେ ପାଣ୍ଡିଆନଙ୍କର ବିଶ୍ବସ୍ତ ଅଧିକାରୀ ଭାବେ ଏହି ତିନି ଆଇପିଏସ୍ ଅଧିକାରୀ କାମ କରୁଥିବା ଅଭିଯୋଗ ହେଉଥିଲା। ଏପରିକି ବିଜେଡିର ଦଳୀୟ ଟିକେଟ ବଣ୍ଟନ ଓ ନିର୍ବାଚନ ପରିଚାଳନାରେ ମଧ୍ୟ ଏମାନଙ୍କର ବଡ଼ ଭୂମିକା ରହୁଥିଲା। ସରକାର ବଦଳିଲା ପରେ ତିନି ଜଣଙ୍କ କ୍ୟାରିୟର୍ରେ ଦାଗ ଲାଗିଯାଇଛି। ଏବେ ଏହି ତିନି ଅଧିକାରୀ ଗୃହ ବିଭାଗରେ ହାଜିରା ପକାଇବା ବ୍ୟତୀତ ଆଉ କିଛି କାମ ନାହିଁ।
୧୯୯୮ ବ୍ୟାଚ୍ର ଓଡ଼ିଶା କ୍ୟାଡର୍ ଆଇପିଏସ୍ ଅଧିକାରୀ ରବିକାନ୍ତଙ୍କୁ ନୂଆଦିଲ୍ଲୀରେ ଆବାସିକ କମିସନଙ୍କ କାର୍ଯ୍ୟାଳୟରେ ୫ ବର୍ଷରୁ ଅଧିକ ସମୟ ଧରି ନିଯୁକ୍ତି ଦିଆଯାଇଥିଲା। ସେଠାରେ ପ୍ରଥମେ ତାଙ୍କୁ ଓଏସ୍ଡି ଭାବେ ନିଯୁକ୍ତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଆବାସିକ କମିସନର୍ ଭାବେ ନିଯୁକ୍ତି ମିଳିଥିଲା। ଜଣେ ଆଇପିଏସ୍ ଅଧିକାରୀଙ୍କୁ ଲମ୍ବା ସମୟ ଧରି କାହିଁକି ନୂଆଦିଲ୍ଲୀରେ ପୋଷ୍ଟିଂ ଦିଆଯାଇଛି, ତାହା ଚର୍ଚ୍ଚାର ବିଷୟ ହୋଇଥିଲା। ପାଣ୍ଡିଆନଙ୍କର ସେ ଜଣେ ଅତି ବିଶ୍ବସ୍ତ ଅଧିକାରୀ ଭାବେ ନୂଆଦିଲ୍ଲୀରେ ସମସ୍ତ କାମ ସେ କରୁଥିବା ଅଭିଯୋଗ ହେଉଥିଲା। ଏବେ ସରକାର ବଦଳିଲା ପରେ ତାଙ୍କୁ ସେଠାରୁ ହଟାଇ ଦିଆଯାଇଛି।
ନୂଆଦିଲ୍ଲୀରେ ଆବାସିକ କମିସନ୍ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଶିଳ୍ପ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ତଥା ୧୯୯୮ ବ୍ୟାଚ୍ ଆଇଏଏସ୍ ଅଧିକାରୀ ବିଶାଲ ଗଗନଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆବାସିକ କମିସନର ଭାବେ ଦାୟିତ୍ବ ତୁଲାଇବାକୁ କୁହାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ଆଇପିଏସ୍ ଅଧିକାରୀ ଡି ଏସ୍ କୁଟ୍ଟେଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି। ନିର୍ବାଚନ ପରିଚାଳନାରେ ଅଯଥା ହସ୍ତକ୍ଷେପ କରୁଥିବାରୁ ମେ’ ୨୮ ତାରିଖରେ ଶ୍ରୀ କୁଟ୍ଟେଙ୍କୁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଲମ୍ବନ କରାଯାଇଥିଲା। ନିଲମ୍ବନ ଅବଧି ଭିତରେ ତାଙ୍କ ମୁଖ୍ୟାଳୟ ନୂଆଦିଲ୍ଲୀସ୍ଥିତ ଓଡ଼ିଶାର ଆବାସିକ କମିସନଙ୍କ କାର୍ଯ୍ୟାଳୟ କରାଯାଇଥିଲା। ସେ ମଧ୍ୟ ମେ’ ୨୯ ତାରିଖରେ ସେଠାରେ ଯୋଗ ଦେଇଥିଲେ। ଜୁନ୍ ୬ ତାରିଖରେ ନିର୍ବାଚନ କମିସନ ତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି ବୋଲି କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସରକାରଙ୍କୁ ଜଣାଯାଇଥିଲା। ଏହା ପରେ ରାଜ୍ୟ ସରକାର ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିଲେ। ସରକାର ତାଙ୍କୁ ଆଜି ଗୃହ ବିଭାଗର ଓଏସ୍ଡି ଭାବେ ନିଯୁକ୍ତି ଦେଇଛନ୍ତି।