ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ରବି-ବବିଙ୍କ କୋଣ ଆଲୋଚନା, ମଞ୍ଚରୁ ଟାଣି ତଳକୁ ଆଣି‌ବା ନେଇ ଚର୍ଚ୍ଚା

ଜୟପୁର: ଜୟପୁର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ହେ‌ଲିକେପଟରରେ ଦଶହରାପଡ଼ିଆରେ ଓହ୍ଲାଇବା ପରେ କାରକେଡରେ ମଞ୍ଚକୁ ଆସିଥିଲେ। ସେଠାରେ ଉପସ୍ଥିତ ଥିବା ସାଂସଦ, ମନ୍ତ୍ରୀ, ପୂର୍ବତନ ସାଂସଦ, ପୂର୍ବତନ ମନ୍ତ୍ରୀ ଆଦି ତାଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ମଞ୍ଚ ଉପରକୁ ଯାଉଥିବା ବେଳେ ତାଙ୍କ ସହ ଅଚାନକ ଭାବେ ଯାଇଥିଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ। ପରେ ତାଙ୍କୁ ହାତକୁ ଧରି ମଞ୍ଚ ଉପରୁ ତଳକୁ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ଆଣିଥିଲେ। ଏହି ଘଟଣାକୁ  ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ସଂପୂର୍ଣ୍ଣ ସରକାରୀ ଭାବେ ପାଳନ କରିଥିଲେ। ତେବେ ବହୁ ଦିନ ପରେ ମୁଖ୍ୟମନ୍ତ୍ରୀ ଆସୁଥିବାରୁ ବିଜେଡି ନେତୃମଣ୍ଡଳୀ ବେଶି ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।

ମୁଖ୍ୟମନ୍ତ୍ରୀ ଜୟପୁର ପହଞ୍ଚିବା ପୂର୍ବରୁ ପୂର୍ବତନ ମନ୍ତ୍ରୀ ଶ୍ରୀ ନନ୍ଦଙ୍କୁ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଜି ଡାକି ଗୋଟିଏ କୋଣକୁ ନେଇ ଆଲେଚାନା କରୁଥିବା ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ଦଶହରାପଡ଼ିଆରେ ଓହ୍ଲାଇବା ସମୟରେ ବି ସେ ପୂର୍ବତନ ମନ୍ତ୍ରୀଙ୍କୁ ସାଙ୍ଗରେ ଡାକିକି ନେଇଥିଲେ। ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ପୂର୍ବତନ ମନ୍ତ୍ରୀ ସାଙ୍ଗରେ ସାଙ୍ଗରେ ସଭା ମଞ୍ଚ ଉପରକୁ ପଳାଇ ଯାଇଥିଲେ।

ତେବେ ପ୍ରଟୋକଲ ଅନୁଯାୟୀ ତାଙ୍କ ପାଇଁ ସେଠାରେ ସିଟ୍ ପକା ଯାଇ ନଥିବା ବେଳେ ତାଲିକାରେ ବି ତାଙ୍କ ନାଁ ନଥିଲା। ତାଲିକାରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ.ରୋହିତ ପୂଜାରୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଏବଂ କୋରାପୁଟ ବିଧାୟକ ରଘୁରାମ ପଢ଼ାଲ, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ପଟ୍ଟାଙ୍ଗୀ ବିଧାୟକ ପିତମ୍ ପାଢ଼ୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକାଙ୍କ ନାଁ ରହିଥିଲା।

ତେବେ ପୂର୍ବତନ ମନ୍ତ୍ରୀ ଶ୍ରୀ ନନ୍ଦ ମୁଖ୍ୟମନ୍ତ୍ରୀଙ୍କ ସହ ଅଚାନକ ସଭା ମଞ୍ଚ ଉପରକୁ ଯାଉଥିବା ସମୟରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ତଳକୁ ଯିବା ପାଇଁ ଆଖିରେ ଠାରି ସୂଚନା ଦେଇଥିଲେ। ତେବେ ପୂର୍ବତନ ମନ୍ତ୍ରୀ ଏହାକୁ ଦେଖି ପାରି ନଥିଲେ। ସେ ମଞ୍ଚ ଉପରକୁ ପଳାଇ ଯାଇଥିଲେ। ପରେ ଏହା ଦେଖି ବବି ମଞ୍ଚ ଉପରକୁ ଯାଇ ପୂର୍ବତନ ମନ୍ତ୍ରୀଙ୍କୁ ହାତ ଧରି ତଳକୁ ଆଣିଥିଲେ। ତେବେ ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଜୋର ଧରିଛି।

 

ସମ୍ବନ୍ଧିତ ଖବର