ଶୁଖିଯିବ ହୀରାକୁଦ! ଓଡ଼ିଶା ପାଇଁ ସବୁଠୁ ବିପଦ ରବିଶଙ୍କର ସାଗର ଜଳଭଣ୍ଡାର, ଜଳଧାରଣ କ୍ଷମତା ବୃଦ୍ଧି ପାଇଁ ଯୋଜନା

ବରଗଡ଼: ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଚାଲିଥିବା ମହାନଦୀ ଜଳବିବାଦର ଅବସାନ ନିକଟ ଭବିଷ୍ୟତରେ ହେବାର ସମ୍ଭାବନା ନାହିଁ। ଯଦ୍ବାରା ମହାନଦୀ ଉପ‌ର ମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍‌ ନିର୍ମାଣ ଉପରେ କଟକଣା ଲାଗି ପାରୁନାହିଁ। ଏଣେ ଛତିଶଗଡ଼ ମହାନଦୀ ଉପରେ ଆଧିପତ୍ୟ ବିସ୍ତାର କରି ଚାଲିଛି। ମହାନଦୀର ଜଳ ପରିଚାଳନା ଛତିଶଗଡ଼ ନିଜ ଅଧୀନରେ ରଖିବା ଦ୍ବାରା ଓଡ଼ିଶା କ୍ଷତିଗ୍ରସ୍ତ ହେଉଛି। ଛତିଶଗଡ଼ ଛାଡ଼ୁଥିବା ବନ୍ୟା ପାଣି ଯୋଗୁ ଓଡ଼ିଶା ବନ୍ୟ‌ାରେ ବୁଡ଼ୁଛି। ନଚେତ୍‌ ଅନ୍ୟ ଦିନରେ ଓଡ଼ିଶା ଭାଗରେ ମହାନଦୀ ଶୁଖିଲା ପଡ଼ୁଛି। ଓଡ଼ିଶାକୁ ବନ୍ୟାରୁ ବଂଚାଇବା ଉଦ୍ଦେଶ୍ୟରେ ହୀରାକୁଦ ନଦୀବନ୍ଧ ରହିଛି। ଏହି ବହୁମୁଖୀ ନଦୀବନ୍ଧ ଆଗକୁ ଛତିଶଗଡ଼ ପାଇଁ ଗୌଣ ହେବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

ଢେର୍‌ ଦିନରୁ ମହାନଦୀ ପାଣି ଉପରେ ଛତିଶଗଡ଼ ନିଜ କାୟା ବିସ୍ତାର କରିସାରିଛି। ଓଡ଼ିଶାର ଅଭିଯୋଗ ଅନୁସାରେ ଉପରମୁଣ୍ଡରେ ଛତିଶଗଡ଼ ୨ ହଜାର ପାଖାପାଖି ବ୍ୟାରେଜ୍ ନିର୍ମାଣ କରିସାରିଛି। ଯଦି ଏଗୁଡ଼ିକ ଏକକାଳୀନ କାର୍ଯ୍ୟକାରୀ ହୁଏ, ତେବେ ଓଡ଼ିଶା ଦେଇ ମହାନଦୀରୁ ଆଉ ହୀରାକୁଦକୁ ପାଣି ପହଂଚିବ ନାହିଁ। ଛତିଶଗଡ଼ ପାଖରେ ମହାନଦୀରେ ରବିଶଂକର ସାଗର, ହସ୍‌ଦେଓ ବାଂଗୋ, ମୁରୁମ୍‌ ସିଲି, ତନ୍ଦୁଲା, ସୋନ୍‌ଦୁର, ଦୁଧୱା, ଘୋଙ୍ଗା ଭଳି ବୃହତ୍‌ ଜଳଭଣ୍ଡାର ରହିଛି। ଏହାବାଦ୍‌ ଖରଂଗ, ମୋଗରା, ମୋନିୟାରି, କୋଦାର ଭଳି ଛୋଟ ଜଳଭଣ୍ଡାର ରହିଛି।

ଓଡ଼ିଶା ତୁଳନାରେ ଛତିଶଗଡ଼ ପାଖରେ ୧୦ ପ୍ରତିଶତ ଅଧିକ କେଚ୍‌ମେଣ୍ଟ ଇଲାକା ରହିଛି। ଯଦି ଛତିଶଗଡ଼ ନିଜର ସବୁ ବ୍ୟାରେଜ୍‌ କାର୍ଯ୍ୟକ୍ଷମ କରେ, ତେବେ ମହାନଦୀରେ ଏକ ତୃତୀୟାଂଶ ଜଳ ହିଁ ପ୍ରବାହିତ ହେବ। ଅନ୍ୟ ଏକ ଖବର ଅନୁସାରେ, ଇତିମଧ୍ୟରେ କିଛି ଜଳଭଣ୍ଡାରର କ୍ଷମତା ବୃଦ୍ଧି ପାଇଁ ଛତିଶଗଡ଼ ଯୋଜନା ରଖିଛି। ଏହାର ସର୍ବବୃହତ୍‌ ହସ୍‌ଦେଓ ବାଂଗୋ ଜଳଭଣ୍ଡାରର ଜଳଧାରଣ କ୍ଷମତା ହ୍ରାସ ପାଇଛି। ଏହି ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୩୦୪୬ ଏମ୍‌ସିଏମ୍‌ ରହିଛି। କିନ୍ତୁ ଏହା ୨୦୦୫ ମସିହାରେ ହୋଇଥିବା ସର୍ଭେ ଅନୁସାରେ ୪.୯୭ ପ୍ରତିଶତ ହ୍ରାସ ପାଇଛି। ଏହାର ପୁନରୁଦ୍ଧାର ପାଇଁ ଛତିଶଗଡ଼ ସରକାର ଚିନ୍ତା କରୁଛନ୍ତି। ଏହାବାଦ୍‌ ଓଡ଼ିଶା ପାଇଁ ସବୁଠୁ ବଡ଼ ବିପଦ ଥିବା ରବିଶଙ୍କର ସାଗର ଜଳଭଣ୍ଡାରର କ୍ଷମତା ବଢ଼ାଇବାକୁ ବି ଯୋଜନା ଥିବା ଛତିଶଗଡ଼ର ଜଣେ ବରିଷ୍ଠ ଯନ୍ତ୍ରୀ ନିଜ ପରିଚୟ ଗୋପନ ରଖି ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଏହି ଜଳଭଣ୍ଡାରର କ୍ଷମତା ୯୧୦ଲକ୍ଷ କ୍ୟୁବିକ୍‌ ମିଟର୍‌ ରହିଛି। ୧୪ଟି ସ୍ପିଲ୍‌ୱେ ଜରିଆରେ ଏଠାରୁ ଜଳ ନିଷ୍କାସନ ଏବଂ ୧୦ ମେଗାୱାଟ୍‌ ବିଜୁଳି ଉତ୍ପାଦନ ହେଉଛି। କିନ୍ତୁ ଛତିଶଗଡ଼ରେ ଶିଳ୍ପାନୁଷ୍ଠାନ ସଂଖ୍ୟା ବଢ଼ୁଥିବାରୁ ମହାନଦୀ ଉପରେ ନିର୍ଭରଶୀଳତା ବି ବଢ଼ୁଛି। ତେଣୁ ଛତିଶଗଡ଼ ନିଜ ଜଳଭଣ୍ଡାର ଏବଂ କିଛି ବ୍ୟାରେଜ୍‌ର କ୍ଷମତା ବୃଦ୍ଧିରେ ଲାଗି ପଡ଼ିଛି। ଏଭଳି କ୍ଷେତ୍ରରେ ଓଡ଼ିଶା ପାଇଁ ପାଣି ନିଅଣ୍ଟ ହେବ। ହୀରାକୁଦକୁ ବି କମ୍‌ ପାଣି ପହଂଚିବା ସ୍ବାଭାବିକ।

ସମ୍ବନ୍ଧିତ ଖବର