ରାଉରକେଲା: କୋଲକାତାରେ ଥିବା ସେଲ୍ କଞ୍ଚାମାଲ୍ ଡିଭିଜନ(ଆର୍ଏମ୍ଡି) ବିଭାଜନ ଓ ସେଥିରୁ ଗୋଟିଏ ରାଉରକେଲାକୁ ସ୍ଥାନାନ୍ତରଣ ହେବାର ନିଷ୍ପତ୍ତି ପରେ ସହରରେ ବର୍ତ୍ତମାନ ଖୁସିର ଲହରି। ଏ ପ୍ରସଙ୍ଗରେ ବହୁ ଦିନର ଦାବିକୁ ଗତ ଜୁନ ୧୦ ତାରିଖରେ ସେଲ୍ ବୋର୍ଡ ବୈଠକରେ ଆନୁଷ୍ଠାନିକ ମୋହର ବାଜିଥିଲା। ଆର୍ଏମ୍ଡିକୁ ବିଭାଜନକରି ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି) ଓ ବୋକାରୋ ଇସ୍ପାତ କାରଖାନା(ବିଏସ୍ପି) ଅଧୀନକୁ ଟେକିଦେବା ନିଷ୍ପତ୍ତିକୁ କିନ୍ତୁ ପଶ୍ଚିମବଙ୍ଗରେ ତୀବ୍ର ବିରୋଧ କରାଯାଇଥିଲା। ଏମିତିକି ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତିର ପୁନର୍ବିଚାର ପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହାକୁ ପଶ୍ଚିମବଙ୍ଗ ବିରୋଧରେ କେନ୍ଦ୍ର ସରକାରଙ୍କର ଏକ ଚକ୍ରାନ୍ତ ବୋଲି ତୃଣମୂଳ କଂଗ୍ରେସ ଅଭିଯୋଗ କରିଥିଲା। ଏତଦ୍ବ୍ୟତୀତ ଅନୈତିକଭାବେ ବିଭାଜନ କରାଯାଇଥିବା ଅଭିଯୋଗରେ ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ପଶ୍ଚିମବଙ୍ଗରେ ଏତେସବୁ ବିରୋଧ ଯୋଗୁଁ ସଂପୂର୍ଣ୍ଣ ସ୍ଥାନାନ୍ତର ପ୍ରକ୍ରିୟାରେ ବିଳମ୍ବ ଘଟିବା ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଏହି ଆଶଙ୍କା ଏବେ ପାଣିରେ ମିଳେଇ ଯାଇଛି। କୋଲକାତା ଆର୍ଏମ୍ଡି କାର୍ଯ୍ୟାଳୟରେ ଅବସ୍ଥାପିତ ୨୫ ଜଣ ଉଚ୍ଚ ଅଧିକାରୀଙ୍କୁ ତୁରନ୍ତ ଆର୍ଏସ୍ପିରେ ଯୋଗଦେବାକୁ ସେଲ୍ ଉଚ୍ଚ କର୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶକ୍ରମ କିଛି ଅଧିକାରୀ ଆର୍ଏସ୍ପିରେ ଯୋଗଦେବା ଆରମ୍ଭ କଲେଣି।
ଆର୍ଏମ୍ଡି କୋଲାକାତା କାର୍ଯ୍ୟାଳୟରେ ନିୟୋଜିତ ପ୍ରାୟ ୭୦ ଜଣ ଅଧିକାରୀଙ୍କୁ ଦୁଇ ଭାଗରେ ବିଭକ୍ତକରି ଆର୍ଏସ୍ପି ଓ ବିଏସ୍ପିକୁ ସ୍ଥାନାନ୍ତର କରାଯାଇଛି। ଏନେଇ ସେଲ୍ ପକ୍ଷରୁ ଜୁନ ୩୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ଅନୁସାରେ, ଆର୍ଏସ୍ପିରେ ୨୫ ଜଣ ଅଧିକାରୀ ଯୋଗଦେବେ। ଏଥିମଧ୍ୟରୁ ଜଣେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିବାବେଳେ ୬ ଜଣ ମହାପ୍ରବନ୍ଧକ, ୬ ଜଣ ଉପ ମହାପ୍ରବନ୍ଧକ, ୩ ଜଣ ସହକାରୀ ମହାପ୍ରବନ୍ଧକ, ୬ ଜଣ ବରିଷ୍ଠ ମ୍ୟାନେଜର, ୨ ଜଣ ମ୍ୟାନେଜର ଓ ଜଣେ ସହକାରୀ ମ୍ୟାନେଜର ଅଛନ୍ତି। ଆର୍ଏମ୍ଡି କୋଲକାତା କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ(ସେଲ୍ସ) ଏ.କେ. କୁଣ୍ଡୁ ଆର୍ଏସ୍ପିରେ ନିର୍ବାହୀ ନିର୍ଦ୍ଦେଶକ(ଖଣି)ଭାବେ ଯୋଗଦେବେ। ତେବେ ଶ୍ରୀ କୁଣ୍ଡୁ ଜୁଲାଇ ୧୦ ତାରିଖ ଯାଏଁ କୋଲକାତା କାର୍ଯ୍ୟାଳୟରେ ଦାୟିତ୍ବ ନିର୍ବାହ କରିବେ। ଏହାପରେ ସେ ଆର୍ଏସ୍ପିରେ ଯୋଗଦେବେ। ଅନ୍ୟ ଅଧିକାରୀ, ଯଥା-ମହାପ୍ରବନ୍ଧକ, ଉପ ମହାପ୍ରବନ୍ଧକ, ସହକାରୀ ମହାପ୍ରବନ୍ଧକ, ବରିଷ୍ଠ ମ୍ୟାନେଜର, ମ୍ୟାନେଜର ଓ ସହକାରୀ ମ୍ୟାନେଜରମାନଙ୍କୁ ଜୁଲାଇ ୧୦ ତାରିଖ ଭିତରେ ଆର୍ଏସ୍ପିରେ ଯୋଗଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଆର୍ଏମ୍ଡି ଅଧିନସ୍ଥ ଖଣିଗୁଡ଼ିକୁ ମଧ୍ୟ ଆର୍ଏସ୍ପି ଓ ବିଏସ୍ପି ମଧ୍ୟରେ ବାଣ୍ଟି ଦିଆଯାଇଛି। ଏହି କ୍ରମରେ ଓଡ଼ିଶାରେ ଥିବା ବଲାଣି, ବରସୁଆଁ, ତାଲଡିହି, ଟେନ୍ସା ଆଦି ଖଣି ଆର୍ଏସ୍ପି ଅଧିନରେ ରହିବ। ସେହିଭଳି ଝାଡ଼ଖଣ୍ଡରେ ଥିବା ମେଘଟାବୁରୁ, କିରିବୁରୁ, ଗୁଆ, ଚିରିଆ(ମନୋହରପୁର), ଡୋଲୋ, କୁଟେଶ୍ବର ଆଦି ଖଣି ବିଏସ୍ପିରେ ଅଧିନରେ ରହିବ। ଓଡ଼ିଶାରେ ଥିବା ଖଣିରେ କାର୍ଯ୍ୟରତ ଶ୍ରମିକ ଆର୍ଏସ୍ପି ଦ୍ବାରା ପରିଚାଳିତ ହେବେ। ଆର୍ଏମ୍ଡି ଆର୍ଏସ୍ପି ଅଧୀନକୁ ଆସିବାପରେ ବିଭିନ୍ନ କ୍ଷେତ୍ରରେ ଲାଭବାନ ହେବ। ମୁଖ୍ୟତଃ ଫାଇନ୍ସ ବିକ୍ରିରୁ ହେଉଥିବା ଲାଭ ଆର୍ଏସ୍ପିର ଉପଲବ୍ଧିରେ ଗଣନା ହେବ। ଫାଇନ୍ସ ବିକ୍ରି ନେଇ ଟେଣ୍ଡର୍ ଆହ୍ବାନଠାରୁ ଆରମ୍ଭକରି ଅନ୍ୟାନ୍ୟ ଆନୁସଙ୍ଗିକ ଦିଗ ପର୍ଯ୍ୟନ୍ତ ସବୁ ଆର୍ଏସ୍ପି ନୟମନ୍ତ୍ରଣରେ ରହିବ। ପୂର୍ବରୁ ଫାଇନ୍ସ ବିକ୍ରି ମାଧ୍ୟମରେ ଆର୍ଏମ୍ଡି ବାର୍ଷିକ ହଜାରେ କୋଟିର କାରବାର କରୁଥିଲା। ଏବେ ଆର୍ଏମ୍ଡି ଦୁଇ ଭାଗରେ ବିଭକ୍ତ ହେବାପରେ ଆର୍ଏଏସ୍ପିର ଅନ୍ୟୁନ ୫ ଶହ କୋଟିର ଆୟ ବଢ଼ିବ। ଏତଦ୍ବ୍ୟତୀତ ଓଡ଼ିଶାରେ ଥିବା ଖଣି ଶ୍ରମିକ ବହୁମାତ୍ରାରେ ଉପକୃତ ହେବେ। ସାମାନ୍ୟ ସମସ୍ୟା, ଚିକିତ୍ସା ସେବା ଆଦି ପାଇଁ ପୂର୍ବରୁ ଖଣି ଶ୍ରମିକ କୋଲକାତାକୁ ଯାଇ ଅଯାଥା ଖର୍ଚ୍ଚାନ୍ତ ଓ ହଇରାଣ ହରକତର ସମ୍ମୁଖୀନ ହେଉଥିଲେ। ଏଣିକି ସେମାନଙ୍କୁ ଏହି ସମସ୍ୟା ଆଉ ଭୋଗିବାକୁ ପଡ଼ିବନି। ଏହାସହ ଅପବ୍ୟୟ ରୋକିବା, ରାଜ୍ୟ, ଜିଲ୍ଲା ପ୍ରଶାସନ ସହ ସଂପର୍କ ସୁଦୃଢ଼ ହେବା, ସ୍ଥାନୀୟ ଅର୍ଥନୀତିର ବିକାଶ ହେବବୋଲି ବିଶେଷଜ୍ଞ ମତ ଦିଅନ୍ତି।
ଏ ଖବରକୁ ନେଇ ରାଉରକେଲା ସହରବାସୀ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। କାରଣ ବିଭିନ୍ନ କାରଣରୁ, ବିଶେଷକରି କମ୍ପ୍ୟୁଟରକରଣ ପରେ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ର କର୍ମଚାରୀ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇବାର ପ୍ରଭାବ ଏ ସହର ଓ ଏହାର ଅର୍ଥନୀତି ଉପରେ ପଡ଼ିଥିଲା। ତେବେ ଆର୍ଏମ୍ଡି କାର୍ଯ୍ୟାଳୟ ଉଠି ଆସିବାପରେ ପ୍ରାୟ ୧୦ ହଜାର ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ କୋଲକାତାରୁ ରାଉରକେଲା ଆସିବାର ଥିବାରୁ ସେ ଅଭାବ କିଛିଟା ପୂରଣ ହେବାର ଆଶା ଦେଖା ଯାଉଛି।