ବାଲେଶ୍ୱର: କ୍ୟାନ୍ସର ରୋଗୀଙ୍କ ପାଇଁ ସେ ଆଶାର କିରଣ। କ୍ୟାନ୍ସର ଭଳି ଦୁରାରୋଗ୍ୟର ଚିକିତ୍ସା ପାଇଁ ଏକ ନୂଆ ଶିଳ୍ପ ପ୍ରତିଷ୍ଠାନ (ଷ୍ଟାର୍ଟଅପ୍) ଆରମ୍ଭ କରି ଗବେଷଣା ଜାରି ରଖିଛନ୍ତି। ମହାରାଷ୍ଟ୍ରର ପୁନେଠାରେ ଥିବା ଏହି ଷ୍ଟାର୍ଟଅପ୍ ଗବେଷଣା ସଂସ୍ଥାର ନାଁ ହେଉଛି ‘ସାଇଜେନିକା’। ଯାହାର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ହେଉଛନ୍ତି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ନୁସ୍ରତ ସଂଘମିତ୍ରା। ଏହି ସଫଳତା ପାଇଁ ୨୦୧୮ରେ ତାଙ୍କୁ ମିଳିଛି ରାଷ୍ଟ୍ରପତି ପୁରସ୍କାର। ନୁସ୍ରତ ସଂଘମିତ୍ରାଙ୍କ ଅସୀମ ପ୍ରତିଭା ଓ ଦକ୍ଷତା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀଙ୍କ ସମେତ ବାଲେଶ୍ବର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ତାଙ୍କୁ ଚିକିତ୍ସା ଗବେଷଣା କ୍ଷେତ୍ରରେ ଆହୁରି ଆଗକୁ ବଢ଼ିବା ଲାଗି ପ୍ରେରଣା ଦେଇଛନ୍ତି। ଟୋକ୍ନୋଲୋଜି ମାଧ୍ୟମରେ କ୍ୟାନ୍ସର ରୋଗର ଔଷଧ ତିଆରି କରାଗଲେ ଏଥିରେ ପାର୍ଶ୍ବପ୍ରତିକ୍ରିୟାକୁ ରୋକାଯାଇ ପାରିବ। ଏହି ଟେକ୍ନୋଲୋଜି ଉଦ୍ଭାବନ ପାଇଁ ନୁସ୍ରତ ଏବେ ସମ୍ମାନଜନକ ‘ଗ୍ରାହାମ୍ ବେଲ୍’ ପୁରସ୍କାରର ପ୍ରମୁଖ ଦାବିଦାର ଅଛନ୍ତି। ତାଲିକାରେ ଯେଉଁ ଶ୍ରେଷ୍ଠ ତିନି ଜଣଙ୍କୁ ଚୟନ କରାଯାଇଛି ସେମାନଙ୍କ ଭିତରେ ନୁସ୍ରତ ରହିଛନ୍ତି।
ବାଲେଶ୍ବର ଜିଲ୍ଲା ସୋର ବ୍ଲକ ମୁଳେଶ୍ବର ଅଞ୍ଚଳର ସେକ୍ ରହିମତୁଲ୍ଲା ଓ ବେଗମ୍ ରକିବାଙ୍କ ବଡ଼ଝିଅ ହେଉଛନ୍ତି ନୁସ୍ରତ ସଂଘମିତ୍ରା। ୧୯୭୭ ମସିହା ଜୁନ୍ ୯ ତାରିଖରେ ନୁସରତ୍ଙ୍କ ଜନ୍ମ। ନୁସ୍ରତଙ୍କ ଭଉଣୀ ରିଜୁଆନା କଅକବ୍ (ଓଏଏସ୍) ଏବେ ବାଲେଶ୍ବର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଥିବାବେଳେ ସାନଭଉଣୀ ମୋବାରକା ରେହମତ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଫିଜିଓଥେରାପିଷ୍ଟ୍ ଅଛନ୍ତି। ସୋର ରାଧାନାଥ ବିଦ୍ୟାପୀଠରୁ ମାଟ୍ରିକ୍ ପାସ୍ ପରେ ଭୁବନେଶ୍ବର ବେସିକ୍ ସାଇନ୍ସ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ, ବାଲେଶ୍ବର ଫକୀରମୋହନ କଲେଜରେ ରସାୟନ ବିଜ୍ଞାନରେ ଯୁକ୍ତ ତିନି, ଉତ୍କଳ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ଏବଂ ବାଙ୍ଗାଲୁରସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରେ ପିଏଚ୍ଡି କରିଛନ୍ତି ନୁସ୍ରତ। ପରେ ସେ ନେଦରଲାଣ୍ଡର ଲାଇଡେନ୍ ବିଶ୍ବବିଦ୍ୟାଳୟ, ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ, ଜାପାନ୍ର କ୍ୟୁଟୋ ବିଶ୍ବବିଦ୍ୟାଳୟରେ ଗବେଷଣା କରି ଭାରତକୁ ୨୦୧୪ରେ ଫେରିଥିଲେ। ଜାପାନ୍ରେ ହାଇପୋଥେସିସ୍ ଉଦ୍ଭାବନ କରିବା ପରେ ତାଙ୍କୁ ଭାରତ ସରକାରଙ୍କ ବାୟୋ ଟେକ୍ନୋଲୋଜି ମନ୍ତ୍ରଣାଳୟ ପକ୍ଷରୁ ସହଯୋଗ ମିଳିଥିଲା। ଏହି ଗବେଷଣାକୁ ଆଗକୁ ନେବା ପାଇଁ ୨୦୧୬ରେ ସେ ଷ୍ଟାର୍ଟଅପ୍ ଯୋଜନାରେ ଭାରତ ସରକାରଙ୍କଠାରୁ ୫୦ ଲକ୍ଷ ଅନୁଦାନ ପାଇ କାମ ଆରମ୍ଭ କରିଥିଲେ। ଏଥିରେ ୧୦ ଜଣ ବୈଜ୍ଞାନିକ କାମ କରୁଛନ୍ତି। ସେ ଯେଉଁ ଟେକ୍ନୋଲୋଜି ଉଦ୍ଭାବନ କରିଛନ୍ତି, ତାହାରି ମାଧ୍ୟମରେ ଔଷଧ ତିଆରି କରାଗଲେ କ୍ୟାନ୍ସର ରୋଗୀଙ୍କର ପାର୍ଶ୍ବପ୍ରତିକ୍ରିୟାକୁ ନିୟନ୍ତ୍ରିତ କରାଯାଇପାରିବ। ବିଶେଷ କରି କେମୋ ନେବା ପରେ କ୍ୟାନ୍ସର ରୋଗୀଙ୍କ ଚୁଟି ଝଡ଼ିଯିବା ସହିତ ଶରୀରରେ ବିଭିନ୍ନ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇଥାଏ। ହେଲେ ନୁସ୍ରତ ଉଦ୍ଭାବନ କରିଥିବା ଟେକ୍ନୋଲୋଜି ଦ୍ବାରା ଔଷଧ ତିଆରି କରାଗଲେ ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରିବ ବୋଲି କୁହାଯାଉଛି। ଚଳିତବର୍ଷ ସେ ଏହାର ମାନବରହିତ ପରୀକ୍ଷଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତାଙ୍କ ସଂସ୍ଥାର ଏକ ଶାଖା ଆୟାରଲ୍ୟାଣ୍ଡଠାରେ ମଧ୍ୟ ରହିଛି। ନୁସ୍ରତଙ୍କ ଭାଇ ଖଜ୍ଲୁଲ୍ ହକ୍ କ୍ରିଷ୍ଣନ୍ ‘ସାଇଜେନିକା’ରେ ଅପରେସନ୍ ଡାଇରେକ୍ଟର ରହି ତାଙ୍କୁ ସହଯୋଗ କରୁଛନ୍ତି।
ପିଲାଟି ବେଳୁ ଡାକ୍ତର ହେବାର ସ୍ବପ୍ନ ଦେଖିଥିଲେ ନୁସ୍ରତ୍। ହେଲେ ବାପାଙ୍କୁ କ୍ୟାନ୍ସର ହେବା ପରେ ତାଙ୍କ କଷ୍ଟଯନ୍ତ୍ରଣା ଦେଖି ମୋ ମନରେ ଗଭୀର ରେଖାପାତ କରିଥିଲା। ଡାକ୍ତର ହେଲେ କିଛି ରୋଗୀଙ୍କୁ ଭଲ କରିବି, କିନ୍ତୁ ଔଷଧ ଉଦ୍ଭାବନ କଲେ ସାରା ବିଶ୍ବବାସୀଙ୍କ କାମରେ ଲାଗିପାରିବ। ଏହା ଭାବି ମୋର ଲକ୍ଷ୍ୟ ପରିବର୍ତ୍ତନ କରିଥିଲି। ଯେ ପର୍ଯ୍ୟନ୍ତ ଲୋକେ ଏଥିରେ ଉପକୃତ ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ମୋର ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ନୁସ୍ରତ।