ଜୀବିକା ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ: ଚାଉଳ ପାଇଁ ନଦୀ ଡେଇଁ ଚାଲୁଛନ୍ତି ୬ କି.ମି.

ବିକାଶରେ ପ୍ରତିବନ୍ଧକ ସାଜିଛି ନାଗାବଳୀ ନଦୀ, ଘରେ ହୋଇଥିବା ଅସ୍ଥାୟୀ ବୁଥ୍‌ରେ କଲେ ମତଦାନ

ରାୟଗଡ଼ା : ଆନ୍ଧ୍ର ସୀମାନ୍ତରେ ବିକାଶ ଖୋଜୁଛି ଓଡ଼ିଶାର ଗାଁ କେରାଣ୍ଡି। ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ବେ ସମସ୍ତ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ନାନା ଅସୁବିଧାରେ ଦିନ କାଟୁଛନ୍ତି ଗ୍ରାମବାସୀ। ଗାଁକୁ ଯିବା ପାଇଁ ନା ଅଛି ଭଲ ରାସ୍ତା, ନା ଗାଁରେ ଅଛି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା। ଶିକ୍ଷା ବ୍ୟବସ୍ଥା କଥା ନ କହିବା ଭଲ। ବିଦ୍ୟାଳୟ ତ ଦୂରର କଥା ପ୍ରାଥମିକ ଶିକ୍ଷା ପାଇଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ମଧ୍ୟ ନାହିଁ। ଜୀବନ ଜୀବିକା ପାଇଁ ଗ୍ରାମବାସୀ ଆନ୍ଧ୍ର ଉପରେ ନିର୍ଭରଶୀଳ।

ରାୟଗଡ଼ା ବ୍ଲକ୍ ହାଟଶେଷଖାଲ ପଞ୍ଚାୟତ ଅଧୀନରେ ରହିଛି କେରାଣ୍ଡି ଗାଁ। ପାହାଡ଼ ପାଦ‌ଦେଶ ଓ ନାଗାବଳୀ ନଦୀକୂଳରେ ଥିବା ଏହି ଗାଁରେ ବସବାସ କରୁଛନ୍ତି ଆଦିବାସୀ ସଂପ୍ରଦାୟର ଲୋକ। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ପରେ ଆନ୍ଧ୍ର ବଜାରରେ ବିକ୍ରି କରି ଗ୍ରାମବାସୀ ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। ମୌଳିକ ସୁବିଧାସୁଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଛନ୍ତି। ହେଲେ ଗ୍ରାମବାସୀଙ୍କ ଦାବି ପ୍ରତି ଜିଲ୍ଲା ପ୍ରଶାସନ କିମ୍ବା ଲୋକ ପ୍ରତିନିଧିଙ୍କ ଦୃଷ୍ଟି ପଡୁନି। ଫଳରେ ପାହାଡ଼ିଆ ଓ ମାଟି ରାସ୍ତା ଗ୍ରାମବାସୀଙ୍କ ଯାତାୟାତର ମାଧ୍ୟମ ପାଲଟିଛି। ବର୍ଷାଦିନରେ ନଦୀ ଫୁଲିଲେ ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଛନ୍ତି। ଗ୍ରାମରେ ବିଦ୍ୟାଳୟ ନଥିବାରୁ ନାଗାବଳୀ ନଦୀ ଡେଇଁ ୬ କିମି ଦୂରରେ ଥିବା ହାଟଶେଷଖାଲ ସ୍କୁଲକୁ ପିଲା ପାଠ ପଢ଼ିବାକୁ ଯାଉଛନ୍ତି। ସେହିପରି ଅଙ୍ଗନବାଡ଼ି କେନ୍ଦ୍ର ନଥିବା ଯୋଗୁ ଗ୍ରାମର ଶିଶୁ ଓ ଗର୍ଭବତୀଙ୍କୁ ପୃଷ୍ଟିକର ଖାଦ୍ୟ ମିଳିପାରୁନି। ଭତ୍ତା ଓ ପିଡିଏସ୍ ସାମଗ୍ରୀ ପାଇଁ ହିତାଧିକାରୀ ଚାଲି ଚାଲି ହାଟଶେଷଖାଲ ପଞ୍ଚାୟତକୁ ଯାଉଛନ୍ତି। ଗାଁକୁ ନିତିଦିନିଆ ରାସ୍ତା ନଥିବାରୁ ଆମ୍ବୁଲାନସ୍ ଆସିପାରୁନି। ତେଣୁ ଗୁରୁତର ରୋଗୀ ଓ ଗର୍ଭବତୀଙ୍କୁ ୧୦ କିମି ବୋହି ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ପଡୁଛି। ଗ୍ରାମରେ ନଳକୂପ କିମ୍ବା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ନଥିବାରୁ ପାହାଡ଼ି ଝରଣା ଓ ନାଗାବଳୀ ନଦୀ ପାଣି ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି।

ସରକାରଙ୍କ ସମସ୍ତ ମୌଳିକ ସୁବିଧା ସୁଯୋଗରୁ ଗ୍ରାମବାସୀ ବଞ୍ଚିତ ହେବା ସତ୍ତ୍ବେ ଚଳିତ ପଞ୍ଚାୟତ ନିର୍ବାଚନରେ ମତଦାନ କରିଛନ୍ତି। ଗ୍ରାମରେ ବସବାସ କରୁଥିବା ୩୧ ପରିବାର ନିଜ ଅଧିକାର ସାବ୍ୟସ୍ତ ପାଇଁ ମତଦାନରେ ଅଂଶଗ୍ରହଣ କରି ପ୍ରାର୍ଥୀ ଚୟନ କରିଛନ୍ତି। ଗାଁରେ ବୁଥ୍ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଜଣେ ଗ୍ରାମବାସୀଙ୍କ ଘରେ ହୋଇଥିବା ବୁଥ୍‌ରେ ସମସ୍ତେ ମତଦାନ କରିଛନ୍ତି। ତେବେ ସ୍ବାଧୀନତାର ୭୫ ବର୍ଷ ପରେ ବି ଗାଁକୁ ବିକାଶ ଅପହଞ୍ଚ ହୋଇ ରହିଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି। ପଛୁଆ, ଅପହଞ୍ଚ ଇଲାକାରେ ରହୁଥିବା ଗ୍ରାମବାସୀଙ୍କ ବିକାଶକୁ ଅଗ୍ରାଧିକାର ଭିତ୍ତିରେ ଗୁରୁତ୍ବ ଦେବାକୁ ବିଧାୟକ ମୁଦୁଲି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର