ରାୟଗଡା: ଚଳିତ ବର୍ଷରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ନୂତନ ଶିକ୍ଷାବର୍ଷ -୨୦୨୦। ଏଥିନେଇ ରାଜ୍ୟବ୍ୟାପୀ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ପ୍ରାଥମିକ ଶିକ୍ଷାକୁ ସୁଦୃଢିକରଣ କାରିବା ଲାଗି ରାୟଗଡା ଜିଲ୍ଲାର ପିତାମହଲ ଆଶ୍ରମ ବିଦ୍ୟାଳୟ ଏକ ସମୃଦ୍ଧ ପଦକ୍ଷେପ ଆରମ୍ଭ କରିଛି। ପ୍ରାରମ୍ଭିକ ସ୍ତରରେ ଶିକ୍ଷାଦାନ କରୁଥିବା ପିଲାମାନଙ୍କୁ ମାତୃଭାଷା ଭିତ୍ତିକ ଶିକ୍ଷାଦାନ ସହ ସଂସ୍କୃତି ଆଧାରିତ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଉଛନ୍ତି ବିଦ୍ୟାଳୟ କତ୍ତୃପକ୍ଷ। ଏଦିଗରେ ଆରମ୍ଭ କରିଛନ୍ତି ପ୍ରୟାସ। ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାର ବିବିଧଭାରା ସଂସ୍କୃତି ସଂପର୍କିତ ତଥ୍ୟକୁ ପିଲାଙ୍କ ନିକଟରେ ଅବଗତ କରାଇବା ପାଇଁ କରିଛନ୍ତି ସୁନ୍ଦର ପ୍ରୟାସ। ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ଲେଖକ ଓ ଜନଜାତି ଗବେଷକ ଦ୍ୱିତୀ ଚନ୍ଦ୍ର ସାହୁ ନିଜସ୍ୱ ଉଦ୍ୟମରେ ଜିଲ୍ଲାରେ ବସବାସ କରୁଥିବା ଜନଜାତି ସଉରା, କନ୍ଧ, ପେଂଗ ପରଜା, ଜାତାପୁ ସହ ଡଂଗରିଆ କନ୍ଧ ଓ ଲାଂଜିଆ ସଉରା ଭଳି ବିରଳ ଜନଜାତିଙ୍କ ସଂପର୍କରେ ତଥ୍ୟ ଆଧାରିତ ସଚିତ୍ର ପ୍ରଦର୍ଶନୀ ବିଦ୍ୟାଳୟରେ କରିଛନ୍ତି। ଏଥିରେ ଜନଜାତିଙ୍କ ବ୍ୟବହୃତ ବସ୍ତ୍ର , ବାସଗୃହ, ପର୍ବପର୍ବାଣୀ, ପରଂପରା ସଂପର୍କରେ ପିଲାଙ୍କୁ ବୁଝିଲା ଭଳି ଭାଷାରେ ତଥ୍ୟକୁ ସେ ଉପସ୍ଥାପିତ କରିଛନ୍ତି।
/sambad/media/post_attachments/wp-content/uploads/2023/07/Rgda-rayagada-history-in-wall-5.jpg)
କେବଳ ସେତିକି ନୁହେଁ ରାୟଗଡ ଜିଲ୍ଲାର ପ୍ରମୁଖ ପୀଠ ଓ ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ଏଥିରେ ସେ ସ୍ଥାନିତ କରିଛନ୍ତି। ପାଇକପଡା, ପଦ୍ମପୁରର ନୀଳକଂଠେଶ୍ୱର, ଚାଟିକଣାର ଶିବ ମନ୍ଦିର, ଦେବଗିରୀ, ମାଣିକେଶ୍ୱରୀ, ମାଆ ମଝିଘରିଆଣୀ ଭଳି ବହୁ ପୁରାତନ ପୀଠର ସଚିତ୍ର ଗବେଷଣାଧର୍ମୀ ତଥ୍ୟକୁ ସ୍ଥାନିତ କରିଛନ୍ତି। ଏଥିସହ ଜିଲ୍ଲାର ପ୍ରମୁଖ ହସ୍ତଶିଳ୍ପ କଳାସାମଗ୍ରୀ ଯଥା କାପଡା ଗନ୍ଦା, ସଉରା ଚିତ୍ରକଳା, ଡଂଗରିଆ ଚିତ୍ରକଳା, ଲାଖ କାମ, ଡୋକ୍ରା କାମ ଆଦି ସଂପର୍କିତ ବଡ ବଡ କଟଆଉଟ ବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ସ୍ଥାନିତ କରିଛନ୍ତି। ଏହା ପିଲାମାନଙ୍କୁ ନିଜ ନିଜର ଭାଷା ସଂସ୍କୃତି ପ୍ରତି ଆକୃଷ୍ଟ କରିବାରେ ବେଶ ସହାୟକ ହୋଇପାରୁଛି। ବର୍ତ୍ତମାନ ପିଢିର ଜନଜାତି ପିଲାମାନେ ନିଜ ସଂସ୍କୃତି ଓ ପରଂପରା ପ୍ରତି ବେଶ ଅଜ୍ଞ ଥିବାବେଳେ ଏଭଳି ତଥ୍ୟ ଭିତ୍ତିକ ପ୍ରଦର୍ଶନୀ ପିଲାଙ୍କ ମନରେ ନିଜର ସଂସ୍କୃତି ଓ ପରଂପରା ପ୍ରତି ଅସୁମାରୀ ସମ୍ଭାବନା ଜାଗ୍ରତ କରୁଛି।
/sambad/media/post_attachments/wp-content/uploads/2023/07/Rgda-rayagada-history-in-wall-6.jpg)
ଏସବୁ ତଥ୍ୟ ଓ ଚିତ୍ର ପ୍ରଦର୍ଶନୀ ଜିଲ୍ଲାର ଅନ୍ୟତ୍ର କେଉଁଠି ଦେଖିବାକୁ ମିଳୁ ନଥିବାବେଳେ ଏହି ବିଦ୍ୟାଳୟରେ ଜିଲ୍ଲାର ଭାଷା, ସଂସ୍କୃତି, ପୀଠ ପର୍ଯ୍ୟଟନ, ଜୀବନଜୀବିକା ଆଦିର ସାମଗ୍ରୀକ ଏକତ୍ର ପ୍ରତିଫଳନ ନିଆରା ପରିବେଶ ସୃଷ୍ଟି କରିଛି।କାନ୍ଥରେ ଜିଲ୍ଲାର ପରିସଂଖ୍ୟନ ସୂଚୀକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି। ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପିଲାଙ୍କୁ କୁଭି ଭାଷାରେ ଶିକ୍ଷାଦାନ ଲାଗି ମଧ୍ୟ ସେ ପ୍ରୟାସ ଆରମ୍ଭ କରିଛନ୍ତି। ବିଦ୍ୟାଳୟରେ ବହୁଭାଷୀ ଶିକ୍ଷଣ ପ୍ରକୋଷ୍ଠ ରହିଥିବାବେଳେ ସେଠାରେ ପିଲାମାନେ ମାତୃଭାଷାରେ ଶିକ୍ଷା ଗ୍ରହଣ କରୁଛନ୍ତି। ଆଗାମୀ ଦିନରେ ଏହି ବିଦ୍ୟାଳୟରେ ଜନାଜତି ସଂଗ୍ରହାଳୟ ସ୍ଥାପନ କରାଯିବ ବୋଲି ପ୍ରଧାନଶିକ୍ଷକ ଶ୍ରୀ ସାହୁ କହିଛନ୍ତି। ଏଥିସହ କାନ୍ଥରେ ପ୍ରଦର୍ଶିତ ସମସ୍ତ ତଥ୍ୟକୁ ନେଇ ପିଲାଙ୍କୁ ଆହୁରି ଅଧିକ ବୋଧଗମ୍ୟ ହେବା ପାଇଁ ମନଲାଖି ତଥ୍ୟ ଭିତ୍ତିକ ଡିଜିଟାଲ ରୂପାନ୍ତରୀକରଣ କରିବାକୁ ସେ ପ୍ରୟାସ ଆରମ୍ଭ କରିଛନ୍ତି। ଏହାଦ୍ୱାରା କେବଳ ଗୋଟିଏ ବିଦ୍ୟାଳୟର ଛାତ୍ରଛାତ୍ରୀ ଲାଭ ପାଇବେ ନାହିଁ ଜିଲ୍ଲାର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନିଶୁକ୍ଳ ଭାବେ ଏହି ଡିଜିଟାଲ ସାମଗ୍ରୀକୁ ଯୋଗାଇବେ ବୋଲି ସେ କହିଛନ୍ତି।
ପ୍ରଧାନଶିକ୍ଷକ ଶ୍ରୀ ସାହୁ ଜନଜାତି ଅଂଚଳରେ ଶିକ୍ଷା ଓ ପିଲାଙ୍କ ଶିକ୍ଷଣ ପ୍ରକ୍ରିୟାକୁ ନେଇ ବହୁ ଅଭିନବ ପଦକ୍ଷେପ ବିଭିନ୍ନ ବିଦ୍ୟାଳୟରେ ପ୍ରୟୋଗ କରି ସୁଫଳ ଲାଭ କରିଛନ୍ତି।ଅତୀତରେ କାର୍ଯ୍ୟ କରିଥିବା ବିଭିନ୍ନ ବିଦ୍ୟାଳୟରେ ତାଙ୍କର ନିଆରା ପଦକ୍ଷେପର ସ୍ମାରକୀ ସବୁ ଏବେ ବି ଝଲସି ଉଠୁଛି। ଶିକ୍ଷାର୍ଥୀ ଓ ବିଦ୍ୟାଳୟ ପ୍ରତି ତାଙ୍କର ସର୍ମପିତ ଭାବକୁ ନେଇ ସେ ବିଭିନ୍ନ ସ୍ତରରେ ସମ୍ମାନିତ ଓ ପୁରସ୍କୃତ। ଦ୍ୱିତୀଚନ୍ଦ୍ର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ଜଣେ ଅଗ୍ରଣୀ ରାଜ୍ୟସ୍ତରୀୟ ସାଧନ କର୍ମୀ, ସୁଲେଖକ, କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସର୍ବୋପରି ଜଣେ ଆଦର୍ଶ ଶିକ୍ଷକ ଭାବେ ସମଗ୍ର ଓଡିଶାରେ ତାଙ୍କର ଖ୍ୟାତି ରହିଛି। ପିତାମହଲ ଆଶ୍ରମ ବିଦ୍ୟାଳୟକୁ ଅଳ୍ପ ଦିନ ମଧ୍ୟରେ ନୂତନ ରୂପରେଖ ଦେଇ ସର୍ବାଙ୍ଗସୁନ୍ଦର କରିବାରେ ପ୍ରଧାନଶିକ୍ଷକ ଦ୍ୱିତୀଚନ୍ଦ୍ର ସାହୁଙ୍କ ପ୍ରମୁଖ ଭୂମିକା ରହିଛି ଏବଂ ତାଙ୍କର ଏଇ ଅଭିନବ ପଦକ୍ଷେପକୁ ଆମ ବିଭାଗୀୟ ସମସ୍ତ ବିଦ୍ୟାଳୟରେ ପ୍ରୟୋଗ କରିବାକୁ ଉଦ୍ୟମ କରିବୁ ବୋଲି ରାୟଗଡା ଜିଲ୍ଲା ମଂଗଳ ଅଧିକାରୀ ଅଶୋକ କୁମାର ଶତପଥି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/Extra-Curricalr-Activities-on-Tribal-Day-in-Ashram-School_Thumbnail.jpg)