କାବୁ ହେଉନି କଲେରା: ବଢ଼ୁଛି ଆକ୍ରାନ୍ତ ସଂଖ୍ୟା, ଆଉ ଜଣେ ମୃତ

ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାଶ

କାଶୀପୁର : ନିରନ୍ତର ପ୍ରୟାସ ସତ୍ତ୍ବେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ କାବୁ ହେଉନି କଲେରା। ବଢ଼ି ଚାଲିଛି ମୃତ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ରାତିରେ ଦୁବୁଡ଼ାବାହାଲ ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗାଗୁଡ଼ା ଗାଁର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ୫୫ବର୍ଷୀୟ ଅର୍ଜୁନ ମାଝୀ ବୋଲି ସୂଚନା ମିଳିଛି। ଏହାପରେ ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ପୂର୍ବରୁ ଆକ୍ରାନ୍ତ ହୋଇ ଅର୍ଜୁନ ମାଝୀ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ଗତକାଲି ରାତିରେ ଘରକୁ ଫେରିଥିଲେ। କିନ୍ତୁ ଘରକୁ ଫେରିବା ପରେ ପୁଣି ବାରମ୍ବାର ଝାଡ଼ାବାନ୍ତି ହୋଇ ବାପାଙ୍କ ମୃତ୍ୟୁ ହେଲା ବୋଲି ପୁଅ ନିରଞ୍ଜନ ମାଝୀ କହିଛନ୍ତି। ସେହିପରି ଏହି ଗାଁରୁ ଆଉ ଦୁଇ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସେତେଟା ଭଲ ନଥିବାରୁ ଆଜି ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଶହେରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହେବା ଏବଂ ୯ଜଣଙ୍କ ମୃତ୍ୟୁ ହେବା କଲେରାର ଭୟବହତାର ପ୍ରମାଣ ଦେଉଛି।

ସତର୍କତା ଏବଂ ତତ୍ପରତା ସତ୍ତ୍ବେ କଲେରା ନିୟନ୍ତ୍ରଣକୁ ଆସୁନି। ଯଦିଓ ବ୍ୟାପିବା ବେଗରେ ରୋକ ଲାଗିଛି। ତଥାପି ପ୍ରତିଦିନ ଜଣେ କିମ୍ବା ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଅନ୍ୟପକ୍ଷରେ ‌କଲେରା ଭୂତାଣୁ ରୂପ ବଦଳାଇବା ଉଦ୍‌ବେଗ ଜନକ ପରିସ୍ଥିତି ସୃଷ୍ଟି କରିଛି। କେଉଁ ପରିସ୍ଥିତିରେ ଭୂତାଣୁ ରୂପ ପରିବର୍ତ୍ତନ କଲା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ନୂଆ ଭୂତାଣୁ ଚିହ୍ନଟ ହୋଇଥିଲେ ସୁଦ୍ଧା ଏହା କେତେ ମାରାତ୍ମକ ଏବଂ କେଉଁ ବେଗରେ ସଂକ୍ରମଣକୁ ବଢ଼ାଏ ସେହି ବିଷୟରେ ଅଧିକ ତଥ୍ୟ ମିଳିପାରି ନାହିଁ।

ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାଶ

ରାୟଗଡ଼ା/କାଶୀପୁର : କଲେରା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଔଷଧର ଅଭାବ ନାହିଁ। ଡାକ୍ତର ପଦବି ପୂରଣ ହେବ। ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରାଯିବ। ଖୁବ୍ ଶୀଘ୍ର କାଶୀପୁର କଲେରା ମୁକ୍ତ ହେବ। ଆଗାମୀ ଦିନରେ କାଶୀପୁରର ଜଣେ ବି ଅଧିବାସୀ ଯେମିତି କଲେରା କିମ୍ବା ହଇଜାରେ ପ୍ରପୀଡ଼ିତ ନ ହେବେ ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

କାଶୀପୁର ଗସ୍ତରେ ଆସି କଲେରା ସ୍ଥିତି ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାଶ। ମନ୍ତ୍ରୀ କହିଛନ୍ତି କାଶୀପୁରର ବିକାଶକୁ ସରକାର ସବୁବେଳେ ଗୁରୁତ୍ବ ଦେଇ ଆସୁଛନ୍ତି। ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ସରକାରଙ୍କ ପ୍ରଥମ ଲକ୍ଷ୍ୟ। କାଶୀପୁରରେ କଲେରା ଅଣାୟତ୍ତ ପରେ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ରାଜ୍ୟସ୍ତରୀୟ ଟିମ୍ ସ୍ଥିତି ଉପରେ ନଜର ରଖିଛନ୍ତି। ୮ଟି ଡାକ୍ତରୀ ଟିମ୍ ଗାଁକୁ ଗାଁ ବୁଲି ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ହଇଜା ଯେମିତି ଲୋକଙ୍କର ଆଉ କିଛି ଅସୁବିଧା ନ କରେ ‌ସେଥି ପ୍ରତି ସ୍ବାସ୍ଥ୍ୟ ବିଭାଗ ସଜାଗ ଅଛି। ଧୈର୍ଯ୍ୟ ନ ହରାଇ ହଇଜାର ମୁକାବିଲା ଆମକୁ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି। ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ତ୍ବରିତ୍‌ ପଦକ୍ଷେପ ନେବାକୁ ମନ୍ତ୍ରୀ ଜିଲ୍ଲାପାଳ ସ୍ବଧା ଦେବ ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ବରରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ମଧ୍ୟାହ୍ନ ସାଢ଼େ ୧୨ଟାରେ ମନ୍ତ୍ରୀ ଦୋରାଗୁଡ଼ାରେ ଓହ୍ଲାଇଥିଲେ। ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲିଙ୍କ ସହ ସ୍ବାସ୍ଥ୍ୟ ମନ୍ତ୍ରୀ ଉତ୍କଳ ଆଲୁମିନାର ଉଷାପଡ଼ା ସ୍ଥିତ ଡାକ୍ତରଖାନାକୁ ଯାଇ ଆକ୍ରାନ୍ତ ଏବଂ ଡାକ୍ତର ରାଜେନ୍ଦ୍ର କୁମାର ମଣ୍ଡଳଙ୍କ ସହ ଆଲୋଚନା କରିଥିଲେ। ସ୍ଥିତି ଅନୁଧ୍ୟାନ ପରେ ମନ୍ତ୍ରୀ ଦୁଡୁକାବାହଲ ଗାଁକୁ ଯାଇ ଆକ୍ରାନ୍ତ ଓ ମୃତକଙ୍କ ପରିବାରକୁ ଭେଟିଥିଲେ। ଆକ୍ରାନ୍ତଙ୍କ ପରିବାରକୁ ମିଳୁଥିବା ଚିକିତ୍ସା ସେବା ସଂପର୍କରେ ମନ୍ତ୍ରୀ ପଚାରି ବୁଝିବା ସହ ମୃତକଙ୍କ ପରିବାରକୁ ଆଶ୍ବସନା ଦେଇଥିଲେ। ପାନୀୟ ଜଳ ସମସ୍ୟା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଲାଗି ରହିଥିବା ଅସୁବିଧା ସଂପର୍କରେ ଗ୍ରାମବାସୀ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କାଶୀପୁର ଶିଳ୍ପ ସମୃଦ୍ଧ ସତ୍ତ୍ବେ ଏହି ଅଞ୍ଚଳର ଲୋକ ଚିକିତ୍ସା ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଥିବା ଗ୍ରାମବାସୀ ମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରିଥିଲେ।

ସମ୍ବନ୍ଧିତ ଖବର