ରାୟଗଡ଼ା : ଜନ୍ମ କରିବା ମାଆ ସିନା ଚାଲିଗଲା, ସମାଜରେ ବଞ୍ଚିଥିବା ଶହ ଶହ ମାଆ, ବାପାଙ୍କ ପାଇଁ ମୋର କର୍ତ୍ତବ୍ୟ ରହିଛି। ଏପରି ବିପତ୍ତି ସମୟରେ ଘରେ କେମିତି ରହିବି। ଭାଇବନ୍ଧୁଙ୍କୁ ଦାୟିତ୍ବ ଦେଇ କାର୍ଯ୍ୟରେ ଯୋଗଦେଲି।
କରୋନା ଯୁଦ୍ଧର ଅନ୍ୟତମ ଯୋଦ୍ଧା ସାଜିଥିବା ପୁଲିସ୍ ଏଏସ୍ଆଇ ଦୁଶା ପାଲକା। ଆମ୍ବଦଳା ଥାନାରେ କାର୍ଯ୍ୟରତ ଦୁଶା କୋଭିଡ଼୍ ଡ୍ୟୁଟିରେ ନିୟୋଜିତ ଥିବା ସମୟରେ ମାଆ ନାଜୁକତାର ପାଲକା ଗତ ୨୧ ତାରିଖରେ ଆରପାରିକୁ ଚାଲିଗଲେ। ଦୁଃଖଦ ଖବର ଶୁଣି ଦୁଶା ଘରେ ପହଞ୍ଚି ମାଆଙ୍କ ଶେଷ ଦର୍ଶନ କରିବା ସହ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେଇଥିଲେ। ଅନ୍ତ୍ୟେଷ୍ଟି ସରିବା ପରଦିନ ୨୨ ତାରିଖରେ ଦୁଶା ଘରୁ ଫେରିଆସି ଥାନାରେ ପହଞ୍ଚିବା ସହ କାର୍ଯ୍ୟରେ ଯୋଗ ଦେଇଥିଲେ। ୧୯୯୭ ମସିହାରେ ପୁଲିସ୍ ବିଭାଗରେ କନେଷ୍ଟବଳ ଭାବେ ଯୋଗ ଦେଇଥିବା ଦୁଶା ପାଲକାଙ୍କ ଘର ରାୟଗଡ଼ା ଜିଲ୍ଲା ଗୁଡ଼ାରି ବ୍ଲକର ମେରିଆପଙ୍ଗା ଗାଁରେ। ଦୀର୍ଘ ୨୦ ବର୍ଷ କନେଷ୍ଟବଳ ଭାବେ କାମ କରିବା ପରେ ୨୦୧୮ ମସିହାରେ ଏଏସଆଇ ଭାବେ ପଦୋନ୍ନତି ପାଇଥିଲେ। ପଦୋନ୍ନତି ପରଠୁ ଦୁଶା ପୁଲିସ୍ ମୁଖ୍ୟାଳୟରେ କାର୍ଯ୍ୟରତ ଥିଲେ। କୋଭିଡ଼୍ ମୁକାବିଲା ପାଇଁ ଥାନା ଗୁଡ଼ିକରେ ଅଧିକ ସଂଖ୍ୟକ ଅଫିସର୍ ଆବଶ୍ୟକ ହେବା ପରେ ମାର୍ଚ୍ଚ ୧୭ ତାରିଖରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏଏସଆଇ ଏମ୍ ଦୁଶା ପାଲକାଙ୍କୁ ଅମ୍ବାଦଳା ଥାନାରେ ଯୋଗଦେବା ପାଇଁ ନିର୍ଦେଶ ଦେଇଥିଲେ। ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶ ମୁତାବକ ଦୁଶା କାର୍ଯ୍ୟରେ ଯୋଗଦେଇ କାମ କରି ଆସୁଛନ୍ତି।
ମାଆ ନାଜୁକତାରଙ୍କ ଦେହ ଖରାପ ସତ୍ତ୍ବେ ନିଜ କର୍ତ୍ତବ୍ୟ ତୁଲାଇବା ପାଇଁ ଦୁଶା ଛୁଟିରେ ଯାଇପାରିନଥିଲେ। ବୟସାଧିକ କାରଣରୁ ନାଜୁକତାର ଦୀର୍ଘ ଦିନ ହେଲା ଅସୁସ୍ଥ ହୋଇ ପଡ଼ିବା ସହ ୨୧ ତାରିଖରେ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖା ଦେବା ପରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମାଆଙ୍କ ଅନ୍ତ୍ୟେଷ୍ଟି ପରେ ଦୁଶା କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଦଶାହ ଓ ଏକାଦଶାହ କାର୍ଯ୍ୟରେ ଯୋଗଦେବାକୁ ଛୁଟିରେ ଯିବେ ବୋଲି କହିଛନ୍ତି। ତାହା ପୁଣି ମାତ୍ର ୩ ଦିନ ପାଇଁ। ଏକାଦଶାହ କାର୍ଯ୍ୟକ୍ରମ ସରିବା ପରଦିନ ହିଁ କାର୍ଯ୍ୟରେ ଯୋଗଦେବାକୁ ଦୁଶା ଛୁଟି ଆବେଦନରେ ଉଲ୍ଲେଖ କରିଛନ୍ତି। ନିଜ କର୍ତ୍ତବ୍ୟପରାୟଣତା ପାଇଁ କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି ପାଇଥିବା ଦୁଶାଙ୍କ ଏପରି ନିଷ୍ଠାକୁ ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍ ପ୍ରଶଂସା କରିଛନ୍ତି। ପୁଲିସ୍ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଏହା ପ୍ରେରଣା ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/RGD_Police-ASI-Dusa-Palaka-f.jpg)