ଶିଳ୍ପନଗରୀ ରାୟଗଡ଼ାରେ ଗ୍ରୀଷ୍ମର ରାଜୁତି : କରୋନା ଚିନ୍ତାରେ ଜଳଛତ୍ର ଖୋଲିବାକୁ ଭୁଲିଗଲା ପ୍ରଶାସନ

ତାପମାତ୍ରା ୪୨ ଡିଗ୍ରୀ ଟପିଲା, ଜନଜୀବନ ଅସ୍ତବ୍ୟସ୍ତ
ପାଣି ଟୋପାଏ ପାଇଁ ପଥଚାରୀ ଡହଳ ବିକଳ
ଗ୍ରାମାଞ୍ଚଳରେ ଲୋ’ ଭୋଲଟାଜ୍ ସମସ୍ୟା

ରାୟଗଡ଼ା : ଅକ୍ଷୟ ତୃତୀୟା ଗଲାଣି। କେରଳକୁ ମୌସୁମୀ ଛୁଇଁବା ଉପରେ। ପ୍ରାକ୍ ମୌସୁମୀ ଓ ବାତ୍ୟା ଅମ୍ଫାନ୍ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହୋଇଛି। ଅଥଚ ଶିଳ୍ପନଗରୀ ରାୟଗଡ଼ାରେ ଗ୍ରୀଷ୍ମର ରାଜୁତି ଚାଲିଛି। ବର୍ଷା ବଦଳରେ ରାୟଗଡ଼ାର ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ତାପମାତ୍ରା ୪୨ ଡିଗ୍ରୀକୁ ଟପିବା ପରେ ଗରମରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି।

ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲାରେ ବର୍ଷା, ଶୀତ ଅପେକ୍ଷା ଗ୍ରୀଷ୍ମର ପ୍ରଭାବ ଅଧିକ। ଲଣ୍ଡା ପାହାଡ଼ ସାଙ୍ଗକୁ ଜଙ୍ଗଲ ହ୍ରାସ, ଖଣି ଖନନ ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ହୋଇଛି। ରାୟଗଡ଼ାରୁ ମାତ୍ର ୨୫ କିମି ଦୂରରେ ଆନ୍ଧ୍ର ଥିବାରୁ ଗରମ ଜଳବାୟୁ ସହିତ ଏଠାକାର ଜନସାଧାରଣ ଅଭ୍ୟସ୍ତ ହୋଇ ସାରିଲେଣି। ତେବେ ପ୍ରତିବର୍ଷ ତାପମାତ୍ରା ପରିମାଣ ବଢ଼ି ଚାଲିଥିବାରୁ ସମସ୍ୟା ଉତ୍କଟ ହେବାରେ ଲାଗିଛି। ସାଧାରଣତଃ ମେ’ ମାସରେ ରାୟଗଡ଼ା ତାପମାତ୍ରା ୪୦ ଡିଗ୍ରୀ ଭିତରେ ସୀମିତ ରହୁଥିଲା। ଯାହା ଚଳିତ ବର୍ଷ ୪୨ ଡିଗ୍ରୀକୁ ଟପିଛି। ଜୁନ୍ ଶେଷଭାଗ, ଜୁଲାଇ ପ୍ରଥମ ସପ୍ତାହରେ ରାୟଗଡ଼ାକୁ ମୌସୁମୀ ଛୁଉଁଥିବାରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ରାୟଗଡ଼ାରେ ଗରମ ଅନୁଭୂତ ହୋଇଥାଏ। ୨୦୧୯ ରେ ରାୟଗଡ଼ା ତାପମାତ୍ରା ୪୫ ଡିଗ୍ରୀକୁ ଟପିଥିଲା। ଚଳିତ ଜୁନ୍ ମାସରେ ମଧ୍ୟ ଏହି ସ୍ଥିତି ହୋଇପାରେ। ସକାଳ ୮ଟା ସୁଦ୍ଧା ରାୟଗଡ଼ାର ତାପମାତ୍ରା ୩୦ ଡିଗ୍ରୀକୁ ଟପୁଥିବା ବେଳେ ୧୨ଟା ସୁଦ୍ଧା ୪୦ ଡିଗ୍ରୀକୁ ଅତିକ୍ରମ କରୁଛି। ଦିନ ୨ଟା ବେଳକୁ ତାପମାତ୍ରା ବୃଦ୍ଧି ପାଇ ୪୨ ଡିଗ୍ରୀକୁ ଟପି ୪୪ ଡିଗ୍ରୀ ପର୍ଯ୍ୟନ୍ତ ଯାଉଛି। ପ୍ରବଳ ଗୁଳୁଗୁଳି ଯୋଗୁ ସଂଧ୍ୟାରେ ମଧ୍ୟ ଘରେ ରହିବା କଷ୍ଟକର ହୋଇ ପଡ଼ୁଛି। ଗ୍ରାମାଞ୍ଚଳରେ ବିଦ୍ୟୁତକାଟ, ଲୋ-ଭୋଲଟାଜ୍ ସମସ୍ୟା ଗରମକୁ ଦ୍ବିଗୁଣିତ କରିବା ଯୋଗୁ ଗ୍ରୀଷ୍ମ ମୁକାବିଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଥାଏ। ଖରା ପ୍ରଭାବରେ ନଦୀ, ନାଳ ଝରଣା ଶୁଖିବା ପରେ ସୀମାନ୍ତ ଗ୍ରାମ, ପାହାଡ ଉପରେ ଥିବା ଗାଁ ଗୁଡ଼ିକର ଲୋକେ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେବା ସହିତ ବହୁ ଦୂରକୁ ଯାଇ ପାଣି ସଂଗ୍ରହ କରିବାର ନଜିର ରହିଛି। ଯଦିଓ ଧୀରେ ଧୀରେ ପାନୀୟ ଜଳ ସମସ୍ୟାରେ ସୁଧାର ଆସିଛି, ତଥାପି କୋଲନରା, ବିଷମକଟକ, ରାୟଗଡ଼ା, ଚନ୍ଦ୍ରପୁର, କାଶୀପୁର ବ୍ଲକରେ ପାଣି ପାଇଁ ଜନ ଆନ୍ଦୋଳନ ଗ୍ରୀଷ୍ମରେ ମୁଣ୍ଡ ଟେକିଥାଏ। ୨୦୧୮ ମସିହା ପରଠାରୁ ପ୍ରତି ବର୍ଷ ଜିଲ୍ଲାର ତାପମାତ୍ରା ୧ ଡିଗ୍ରୀ ଅନୁଯାୟୀ ବଢ଼ି ଚାଲିଛି। ସବୁଠୁ ବଡ଼ କଥା ହେଲା ଗତ ୩ ଦିନ ଧରି ବାତ୍ୟା ଅମ୍ଫାନ୍ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପଡୋଶୀ କୋରାପୁଟ ଜିଲ୍ଲାରେ ବର୍ଷା ସହ କୁଆପଥର ମାଡ଼ ହୋଇଥିଲା। କିନ୍ତୁ ରାୟଗଡ଼ାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିନଥିଲା।

ଚଳିତ ବର୍ଷ କରୋନା ବିପତ୍ତିର ମୁକାବିଲା ଲାଗି ଲକଡାଉନ୍ ଚାଲିଥିବାରୁ ଗ୍ରୀଷ୍ମକୁ ନେଇ ପ୍ରଶାସନ ଏତେଟା ଚିନ୍ତିତ ନୁହେଁ। ମାର୍ଚ୍ଚ ୨୨ରୁ ମେ’ ୧୭ ତାରିଖ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକଡାଉନ୍ ଚାଲିଥିବାରୁ ଘରୁ ବାହାରିବା ଉପରେ କଟକଣା ଜାରି କରିଥିଲା ପ୍ରଶାସନ। କଟକଣା କୋହଳ ପରେ ସକାଳ ୬ଟାରୁ ଅପରାହଣ୍ ୨ଟା ପର୍ଯ୍ୟନ୍ତ ଏବେ ଦୋକାନ, ବଜାର ଖୋଲିବାକୁ ଅନୁମତି ମିଳିଛି। ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଶିଳ୍ପାନୁଷ୍ଠାନ ସମେତ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଥିବାରୁ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। କିନ୍ତୁ ରାୟଗଡ଼ା ସହର ସମେତ ରାଜପଥର ପ୍ରମୁଖ ଛକ ନିକଟରେ ଏଯାବତ୍ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲାଯାଇନି। ଫଳରେ ଗୁରୁତ୍ବପୂର୍ଣ୍ଣ କାମରେ ଆସୁଥିବା ଲୋକ ପାଣି ଟୋପାଏ ପାଣି ଡହଳ ବିକଳ ହେଉଛନ୍ତି। ପୌର ପରିଷଦଠୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ସଭିଁଏ କରୋନା ମୁକାବିଲାରେ ଲାଗିଥିବାରୁ ଜଳଛତ୍ର ପ୍ରତି କାହାର ନଜର ନାହିଁ। ଲକଡାଉନ୍ କୋହଳ ପରେ ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକମାନେ ଘର ବାହୁଡ଼ା ହେଉଥିବାରୁ ରାସ୍ତାରେ ଜଳଛତ୍ରର ଆବଶ୍ୟକତା ରହିଛି। ଗ୍ରୀଷ୍ମ ମୁକାବିଲା ଲାଗି ମାର୍ଚ୍ଚ ମାସରେ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲିବା ଉପରେ ଗୁରୁତ୍ବାରୋପ କରାଯାଇଥିବା ସତ୍ତ୍ବେ ଏ ଦିଗରେ ପ୍ରଶାସନିକ ଅଧିକାରୀ ଦୃଷ୍ଟି ନ ଦେବା ପରିତାପର ବିଷୟ।

ସମ୍ବନ୍ଧିତ ଖବର