ରାୟଗଡ଼ା: ସୁସ୍ଥ ହେଲେ ଦୁଇ କରୋନା ଆକ୍ରାନ୍ତ, ଚାଲିଛି ଆଉ ୫ ସଂକ୍ରମିତଙ୍କ ଚିକିତ୍ସା

ରାୟଗଡ଼ା : କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲାର ୭ ସଂକ୍ରମିତଙ୍କ ମଧ୍ୟରୁ ଆଜି ୨ ଜଣ ସୁସ୍ଥ ହୋଇଛନ୍ତି। ସଂପୂର୍ଣ୍ଣ ଚିକିତ୍ସା ପରେ ପୁଣି ଥରେ ସ୍ୱାବ ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ୍ ଆସିବା ଯୋଗୁ ମେଡ଼ିକାଲରୁ ଡିସଚାର୍ଜ କରାଯାଇଥିବା ନେଇ ସୂଚନା ଜାରି କରିଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୨ ଜଣଙ୍କ ସଂପର୍କରେ କୌଣସି ସୂଚନା ଦେବାକୁ ମନା କରି ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ।

YouTube

ଲକଡାଉନ୍ ପରଠୁ ୨ ମାସ ପର୍ଯ୍ୟନ୍ତ ରାଜ୍ୟର ଏକ ମାତ୍ର ଜିଲ୍ଲା ଭାବେ ଗ୍ରିନ୍ ଜୋନରେ ଥିବା ରାୟଗଡ଼ାକୁ ଶେଷରେ ଛୁଇଁଥିଲା କରୋନା। ଜୁନ୍ ୨ ତାରିଖରେ ପ୍ରଥମ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଦିଲ୍ଲୀର ଏକ ଷ୍ଟିଚିଂ କଂପାନିରେ କାମ କରୁଥିବା ୨୦ ବର୍ଷୀୟ ଯୁବତୀ ରାୟଗଡ଼ା ସହରକୁ ଫେରିବା ପରେ ପଜିଟିଭ୍ ଚିହ୍ନଟ ହୋଇଥିଲା। ପରବର୍ତ୍ତୀ ସମୟରେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୩ ଜଣଙ୍କ ସ୍ୱାବ ମଧ୍ୟ ପଜିଟିଭ୍ ଆସିଥିଲା। ସେହିପରି କର୍ଣ୍ଣାଟକରୁ ଫେରିଥିବା ଜଣେ ମହିଳାଙ୍କ ସ୍ୱାବ ରିପୋର୍ଟ ୪ ତାରିଖରେ ପଜିଟିଭ୍ ଆସିଥିଲା। ୭ ତାରିଖରେ ଦିଲ୍ଲୀରୁ ଫେରିଥିବା ବିଷମକଟକର ୨୭ ବର୍ଷୀୟ ଯୁବତୀଙ୍କ ସ୍ୱାବ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ୯ ତାରିଖରେ ଜିଲ୍ଲା ଭେଷଜ ନୀରିକ୍ଷକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଞ୍ଚିଥିଲା। ଜିଲ୍ଲା ଭେଷଜ ନୀରିକ୍ଷକ କରୋନା ହେବା ପରେ ସିଡ଼ିଏମଓଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ୭୧ ଜଣ କର୍ମଚାରୀ ହୋମ୍ କ୍ବାରାଣ୍ଟିନରେ ରହିଥିଲେ। ସମସ୍ତଙ୍କ ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିବା ପରେ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ଦିଲ୍ଲୀ ଫେରନ୍ତାଙ୍କୁ ନେଇ ଗୋଷ୍ଠୀ ସଂକ୍ରମଣର ଭୟ ଲାଗି ରହିଥିବା ବେଳେ ସଂକ୍ରମିତଙ୍କ ମଧ୍ୟରୁ ଆଜି ୨ ଜଣ ସୁସ୍ଥ ହେବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଜାରି କରିବା ପରେ ଜିଲ୍ଲାବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଜିଲ୍ଲାରୁ ଆଜି ସୁଦ୍ଧା ୨୩ଟି ପର୍ଯ୍ୟାୟରେ ୨୩୯୭ ସ୍ୱାବ ପରୀକ୍ଷା ପାଇଁ ଯାଇଥିବା ବେଳେ ୨୩୯୦ଟି ନେଗେଟିଭ୍ ଓ ୭ଟି ସ୍ୱାବ ପଜିଟିଭ୍ ଆସିଥିବା ଜଣା ପଡ଼ିଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ଦିଲ୍ଲୀ ଫେରନ୍ତା ଯୁବତୀଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ରହୁଥିବା ଅନାଗାର, କୋଲନରା, କାଶୀପୁର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, ରାୟଗଡ଼ା ମିନି ମେଡ଼ିକାଲ୍ କଲୋନିକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର