କରୋନାର କରୁଣ ଚିତ୍ର : ଶେଷକୃତ୍ୟ ପାଇଁ ମିଳିଲାନି ଶ୍ମଶାନ

ରାଜି ହେଲେନି କର୍ମଚାରୀ, ୨୪ ଘଣ୍ଟା ପଡ଼ି ରହିଲା ଶବ
ଅଜଣା ଜାଗାରେ ସତ୍କାର କଲା ପ୍ରଶାସନ

ରାୟଗଡ଼ା : କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଶେଷକୃତ୍ୟ ପାଇଁ ମିଳିଲାନି ଶ୍ମଶାନ। ସତ୍କାର କରିବାକୁ ରାଜି ହେଲେନି କର୍ମଚାରୀ। ମୃତଦେହ ନେବାକୁ ଆମ୍ବୁଲାନସ୍ ଡ୍ରାଇଭର ବି ମନା କରିଦେଲେ। ଫଳରେ ୨୪ ଘଣ୍ଟା ପଡ଼ି ରହିଲା ଶବ। ବହୁ ବୁଝାସୁଝା କରି ସଫେଇ କର୍ମଚାରୀ ରାଜି ହେବା ପରେ ଭଡ଼ା ଗାଡ଼ିରେ ମୃତଦେହକୁ ନେଇ ଆଜି ମଧ୍ୟାହ୍ନରେ ଏକ ଅଜଣା ଜାଗାରେ ମୃତକଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଏପରି ଅଭାବନୀୟ ଓ ଅମାନବୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ମହକୁମାରେ।

ରାମନାଗୁଡ଼ା ବ୍ଲକ୍ ଅଞ୍ଚଳର ୪୭ ବର୍ଷୀୟ ବ୍ୟକ୍ତି ଗୁରୁବାର ପୂର୍ବାହ୍ନରେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। କିଛି ଦିନ ହେଲା ଥଣ୍ଡା, କାଶ, ଜ୍ବରରେ ବ୍ୟକ୍ତି ଜଣଙ୍କ ପୀଡ଼ିତ ଥିବାରୁ କରୋନା ଲକ୍ଷଣ ସନ୍ଦେହରେ ସ୍ବାବ୍‌ ପରୀକ୍ଷା ପାଇଁ ଡାକ୍ତର ସୁପାରିସ୍ କରିଥିଲେ। ସ୍ବାବ୍‌ ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିବା ପରେ କୋଭିଡ୍‌ ହସପିଟାଲକୁ ସ୍ଥାନାନ୍ତର ପାଇଁ ମେଡ଼ିକାଲ୍ କର୍ତ୍ତୃପକ୍ଷ ପ୍ରସ୍ତୁତ ହେଉଥିବା ବେଳେ ଆକ୍ରାନ୍ତଙ୍କ ମେଡିକାଲରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ସଂପର୍କରେ ପରିବାର ଲୋକଙ୍କୁ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯିବା ସହ ସ୍ବାବ୍ ରିପୋର୍ଟ କରୋନା ପଜିଟିଭ୍ ଆସିଥିବାରୁ ମୃତଦେହ ହସ୍ତାନ୍ତର କରାଯିବ ନାହିଁ ବୋଲି ସୂଚନା ଦିଆଯାଇଥିଲା। ଖବର ପାଇ ପରିବାର ଲୋକ ମେଡିକାଲରେ ପହଞ୍ଚି ଦୂରରୁ ଶେଷ ଦର୍ଶନ କରି ଫେରି ଯାଇଥିଲେ। କିଛି ସମୟ ମଧ୍ୟରେ ମୃତଶରୀରକୁ କୋଭିଡ୍‌ ହସପିଟାଲକୁ ସ୍ଥାନାନ୍ତର କରାଯାଇ ଏକ ବକ୍ସ ଭିତରେ ସିଲ୍ କରାଯାଇଥିଲା।

VectorStock

ତେବେ ଶବ ସତ୍କାରକୁ ନେଇ ପ୍ରଶାସନ ହରଡ଼ଘଣାରେ ପଡ଼ିଥିଲା। ଗାଁ ଲୋକ ସ୍ଥାନୀୟ ଶ୍ମଶାନରେ ଶବ ସତ୍କାର ପାଇଁ ବିରୋଧ କରୁଥିବାରୁ ଆମ୍ବୁଲାନସରେ ସହରଠୁ ଦୂରକୁ ନେଇ ଶେଷକୃତ୍ୟ ପାଇଁ ଯୋଜନା କରିଥିଲା ପ୍ରଶାସନ। ହେଲେ ଶବ ନେବା ପାଇଁ ଆମ୍ବୁଲାନସ୍ କର୍ମଚାରୀ ରାଜି ହୋଇ ନ ଥିଲେ। ସତ୍କାର କରିବାକୁ ସଫେଇ କର୍ମଚାରୀ ମଧ୍ୟ ରୋକଠୋକ୍ ମନା କରି ଦେଇଥିଲେ। ସଂଧ୍ୟା ସୁଦ୍ଧା କୌଣସି ନିଷ୍ପତ୍ତି ନ ହେବାରୁ ଗତକାଲି ଶବ ସତ୍କାର ହୋଇପାରି ନଥିଲା। ଯାହାକୁ ନେଇ ଚିନ୍ତାରେ ପଡ଼ିଥିଲା ପ୍ରଶାସନ। ଆଜି ସକାଳେ ପ୍ରଶାସନ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ବୁଝାସୁଝା କରାଯିବା ପରେ ମଧ୍ୟାହ୍ନରେ ଏକ ଭଡ଼ା ଅଟୋରେ ମୃତଦେହକୁ ନେଇ ସତ୍କାର କରାଯାଇଥିଲା। ଶବ ସତ୍କାରରେ ବିଳମ୍ବ ସଂପର୍କିତ କୌଣସି ସୂଚନା ଦେବା ପାଇଁ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ପୌର ପରିଷଦ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ ମନା କରି ଦେଇଥିଲେ। ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ ବିରୋଧ, ଆମ୍ବୁଲାନସ୍ କର୍ମଚାରୀ ଏବଂ ସଫେଇ କର୍ମଚାରୀଙ୍କ ଅସହଯୋଗ କାରଣରୁ ଶବ ସତ୍କାରରେ ବିଳମ୍ବ ହେଲା ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୧ ତାରିଖ ସଂଧ୍ୟା‌ରେ ମୃତ୍ୟୁ ହୋଇଥିବା କରୋନା ଆକ୍ରାନ୍ତଙ୍କ ଶବ ସତ୍କାର ସମୟରେ ଗ୍ରାମବାସୀଙ୍କ ବିରୋଧ ଯୋଗୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ, ପ୍ରଶାସନିକ ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ବିଳମ୍ବିତ ରାତିରେ ଶବ ସତ୍କାର ହୋଇଥିଲା।

ସମ୍ବନ୍ଧିତ ଖବର