ରାୟଗଡ଼ାରେ ଅମାନିଆଙ୍କୁ ସାବାଡ଼ କରୁଛି ପୁଲିସ୍ : ୩ ଦିନରେ ୧.୬୧ ଲକ୍ଷ ଫାଇନ୍ ଆଦାୟ

ରାୟଗଡ଼ା : ଲକଡାଉନ୍, ସଟଡାଉନ୍ ନୀତି ନିୟମକୁ ଉଲ୍ଲଂଘନ କରି ବାହାରେ ବୁଲୁଥିବା ଅମାନିଆଙ୍କୁ ସାବାଡ଼ କରୁଛି ପୁଲିସ୍। ହେଲମେଟ୍, ମାସ୍କ ପିନ୍ଧିନଥିବା ଅଭିଯୋଗରେ ପୁଲିସ୍ ଗତ ୩ ଦିନରେ ୧ ଲକ୍ଷ ୬୧ ହଜାର ୫ ଶହ ଟଙ୍କାର ଜରିମାନା ଆଦାୟ କରିଛି। ନିୟମ ନ ମାନି ଘରେ ନ ରହିଲେ ଆଗକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍।

ଜୁନ୍ ୩୦ ତାରିଖରେ ରାୟଗଡ଼ା ପୁଲିସ୍ ମଟର ଯାନ ଆଇନ ଉଲ୍ଲଂଘନ ଅଭିଯୋଗରେ ୪୩ ହଜାର ୫ ଶହ, ମାସ୍କ ପିନ୍ଧିନଥିବା ଅଭିଯୋଗରେ ୧୫ ହଜାର ୭ ଶହ ଟଙ୍କାର ଜରିମାନା ଆଦାୟ କରିଥିଲା। ସେହିପରି ୩୧ ତାରିଖରେ ମଟର ଯାନ ଆଇନ ଉଲ୍ଲଂଘନ ବାବଦକୁ ୩୯ ହଜାର, ମାସ୍କ ବାବଦକୁ ୨୦ ହଜାର ୫ ଶହ, ଜୁଲାଇ ୧ ତାରିଖରେ ମଟର ଯାନ ଆଇନ ଉଲ୍ଲଂଘନ ବାବଦକୁ ୪୫ ଜଣଙ୍କ ନିକଟରୁ ୨୮ ହଜାର ୫ ଶହ, ମାସ୍କ ଉଲ୍ଲଂଘନ ବାବଦକୁ ୩୭ ଜଣଙ୍କ ନିକଟରୁ ୧୪ ହଜାର ୩ ଶହ ଟଙ୍କା ଜରିମାନା ଆଦାୟ ହୋଇଛି। ସେହିପରି ସଟଡାଉନ୍ ନିୟମ ନ ମାନି ଆଜି ସହରର ଦୈନିକ ବଜାର, ଉମା ଶଙ୍କର ଲାଇନ୍, ଓଭରବ୍ରିଜ୍ ତଳେ ଦୋକାନ ଖୋଲିଥିବା ୮ ଦୋକାନୀକୁ ପୁଲିସ୍ ତାଗିଦ୍ କରିବା ସହ ନୋଟିସ୍ ଜାରି କରିଛି। ସମସ୍ତଙ୍କ ନିକଟରୁ ପୁଲିସ୍ ୮ ହଜାର ଟଙ୍କା ଫାଇନ୍ ଆଦାୟ କରିଛି। ଭାରପ୍ରାପ୍ତ ଥାନା ଅଧିକାରୀ ନିଳାମ୍ବର ଯାନି, ଏସଆଇ ମାନସ ସାହୁ, ଏଏସଆଇ କୃଷ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଚଢ଼ାଉ କରିଥିଲେ।

ସମ୍ବନ୍ଧିତ ଖବର