ଏମିତିବି ଆସେ ମୃତ୍ୟୁ: ଗାଧୋଉଥିବା ବେଳେ ମାଡ଼ିଗଲା ଟ୍ରାକ୍ଟର, ପ୍ରାଣ ହରାଇଲେ କଲେଜ ଛାତ୍ରୀ

ରାୟଗଡ଼ା: ଏମିତିବି ଆସେ ମୃତ୍ୟୁ । ଇଏ ଏକ ଏମିତି ଦୁର୍ଘଟଣାର କାହାଣୀ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବାଥରୁମରେ ଜଣେ କଲେଜ ଛାତ୍ରୀ ଗାଧୋଉଥିବା ବେଳେ ମାଡ଼ିଗଲା ଟ୍ରାକ୍ଟର।  ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବତୀ।

ମିଳିଥିବା ସୂଚନାନୁଯାୟୀ, ରାୟଗଡ଼ା ସହରର ନଦୀକନ୍ଧ ସାହିରେ ଏକ ବାଲି ବୋଝେଇ ଟ୍ରାକ୍ଟର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ନଦୀରୁ ବାଲି ବୋଝେଇ କରି ଆସୁଥିବା ଟ୍ରାକ୍ଟରର ଗିୟର୍ ଫେଲ୍ ହୋଇଯିବାରୁ ଟ୍ରାକ୍ଟରଟି ଜଣେ କଲେଜ ଛାତ୍ରୀ ତାଙ୍କ ଘରର ଗାଧୁଆଘରେ ଗାଧୋଉଥିବା ବେଳେ ତାଙ୍କ ଉପରକୁ ମାଡ଼ି ଯାଇଛି। ଏହାଫଳରେ ଘଟଣାସ୍ଥଳରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀଙ୍କ ନାମ କଂଶିଳା କୁଲେସିକା। ସେ ଲକ୍ଷ୍ମୀପୁର ମହାବିଦ୍ୟାଳୟର ଯୁକ୍ତ ୩ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡ଼ିଛି। ଘଟଣା ପରେ ନଦୀକନ୍ଧ ସାହି ଓ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଗତକାଲି ସଂଧ୍ୟାରେ ନଦୀକନ୍ଧ ସାହି ନିକଟ ବାଲିଘାଟରୁ ବାଲି ଲୋଡ୍ କରି ଏକ ଟ୍ରାକ୍ଟର ସହର ଅଭିମୁଖେ ଆସୁଥିଲା। ଉଠାଣି ରାସ୍ତାରେ ଟ୍ରାକ୍ଟରର ଗିୟର୍ ଫେଲ୍ ହୋଇଯାଇଥିଲା। ଡ୍ରାଇଭର ଟ୍ରାକ୍ଟରକୁ ନିୟନ୍ତ୍ରଣ କରିବା ପାଇଁ ବ୍ରେକ୍ କଷିବା ସହ ସମସ୍ତ ଚେଷ୍ଟା କରିଥିଲେ। କିନ୍ତୁ ବାଲି ଲୋଡ୍ ହୋଇଥିବା ଯୋଗୁ ନିୟନ୍ତ୍ରଣ ହରାଇ ଟ୍ରାକ୍ଟରଟି ସାହିରେ ଥିବା ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ପଶି ଯାଇଥିଲା।

ସ୍ଥାନୀୟ ଲୋକମାନେ ଦୌଡ଼ି ଆସି ଘଟଣାସ୍ଥଳରୁ କଲେଜ ଛାତ୍ରୀ କଂଶିଳାଙ୍କ ସହ ଟ୍ରାକ୍ଟର ଡ୍ରାଇଭର ଶରତ କାଡ୍ରକାଙ୍କୁ ଉଦ୍ଧାର କରିଥିଲେ। ତେବେ ଘଟଣାସ୍ଥଳରେ କଂଶିଳାଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଡ୍ରାଇଭର ଶରତକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ରାୟଗଡ଼ା ମେଡ଼ିକାଲକୁ ପଠାଇଥିଲେ। ଖବର ପାଇ ରାୟଗଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଛାତ୍ରୀଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଘଟଣାକୁ ନେଇ ନଦୀକନ୍ଧ ସାହି ବାସିନ୍ଦା ଉତ୍ତ୍ୟକ୍ତ ହୋଇ ପଡିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଛି ସମୟ ଧରି ଉତ୍ତେଜନା ଲାଗି ରହିଥିଲା।

ସମ୍ବନ୍ଧିତ ଖବର