ରାୟଗଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଦ୍ବିତୀୟ ଦିନରେ ବି ବିଜେଡ଼ି-କଂଗ୍ରେସ ମଧ୍ୟରେ କଡା ଟକ୍କର୍ ଦେଖିବାକୁ ମିଳିଛି। ଆଜି ଗଣତି ହୋଇଥିବା ୯ଟି ଜୋନ୍ (କେବଳ ‘ଖ’) ମଧ୍ୟରୁ ରାୟଗଡ଼ା, ଗୁଣପୁରରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କାଶୀପୁର, କୋଲନରା ଜୋନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଛନ୍ତି।  ସେହିପରି ପଦ୍ମପୁର ଜୋନରେ ବିଜେଡ଼ି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ମୁନିଗୁଡ଼ା, ବିଷମକଟକ, କଲ୍ୟାଣସିଂହପୁର, ରାମନାଗୁଡ଼ାରେ ଦଳୀୟ ପ୍ରାର୍ଥୀ ବିରୋଧୀ କଂଗ୍ରେସଠାରୁ ଆଗୁଆ ରହିଥିବା ଜଣା ପଡିଛି।

କାଶୀପୁର, କୋଲନରା ଜୋନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ

କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡ଼ା, ରାମନାଗୁଡ଼ାରେ ବିଜେଡ଼ି ଆଗୁଆ

Advertisment

ପ୍ରାଥମିକ ପର୍ଯ୍ୟାୟରେ ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ, ରାୟଗଡ଼ା ‘ଖ’ ଜୋନରେ କଂଗ୍ରେସ ପ୍ରାର୍ଥୀ ପଦ୍ମାବତୀ ମାଣ୍ଡାଙ୍ଗି ବିଜୟୀ ହୋଇଛନ୍ତି। ପଦ୍ମାବତୀ ୧୨ ହଜାର ୬୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥିନୀ  ସଂଧ୍ୟାରାଣୀ ସାରକା ୯ ହଜାର ୭୮୩ ଭୋଟ ପାଇଛନ୍ତି। କଂଗ୍ରେସର ପଦ୍ମାବତୀ ମାଣ୍ଡାଙ୍ଗି ୨ ହଜାର ୨୮୨ ଭୋଟ ବ୍ୟବଧାନରେ ବିଜୟୀ ଲାଭ କରିଛନ୍ତି। ଗୁଣପୁର ‘ଖ’ ଜୋନରେ ମଧ୍ୟ କଂଗ୍ରେସ ପ୍ରାର୍ଥିନୀ କୁନି ନିମାଲା ବାଜିମାତ୍ କରିଛନ୍ତି। ବିଜେଡ଼ି ପ୍ରାର୍ଥିନୀ ରଶ୍ମିରେଖା ଶତପଥୀଙ୍କୁ ୨୮୦୭ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି କୁନି। କଂଗ୍ରେସକୁ ଏହି ଜୋନରେ ୯୪୭୨ ଭୋଟ ମିଳିଥିବା ବେଳେ ବିଜେଡ଼ି ୬୬୬୫ ଭୋଟ ପାଇଛି। କାଶୀପୁର ଖ ଜୋନରେ ମଧ୍ୟ କଂଗ୍ରେସ ଆଗୁଆ ରହିଛି। ଅଷ୍ଟମ ରାଉଣ୍ଡ ସୁଦ୍ଧା କଂଗ୍ରେସ ପ୍ରାର୍ଥିନୀ ରଞ୍ଜିତା ନାୟକ ୬୫୨ ଭୋଟରେ ବିଜେଡ଼ି ପ୍ରାର୍ଥିନୀ ପଦମିଲା ନାୟକଙ୍କଠୁ ଆଗରେ ରହିଛନ୍ତି।

publive-image

କୋଲନରା ଖ ଜୋନରେ ମଧ୍ୟ କଂଗ୍ରେସ ବେଶ୍ ଆଗୁଆ ରହିଛି। ଦଳର ପ୍ରାଥିନୀ ସୁନିତା ତାଡ଼ିଙ୍ଗ୍ ନବମ ରାଉଣ୍ଡ ସୁଦ୍ଧା ବିଜେଡ଼ିଠାରୁ ୨୭୧୬ ଭୋଟରେ ଆଗୁଆ ରହିଛନ୍ତି। ସୁନିତା ୭୦୯୫ ଭୋଟ ପାଇଥିବା ବେଳେ ବିଜେଡ଼ିର ଲିଲି କାଡ୍ରକା ୪୩୭୯ ଭୋଟ ପାଇଛନ୍ତି। ରାମନାଗୁଡ଼ା ‘ଖ’ ଜୋନରେ ବିଜେଡ଼ି ପ୍ରାର୍ଥୀ ସୁରେଶ ଗମାଙ୍ଗ କଂଗ୍ରେସର ସସ୍ମିତା ଗମାଙ୍ଗଙ୍କୁ ୪ ହଜାର ୨୦୦ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ବିଜେଡ଼ି ଏହି ଜୋନରେ ୭ ହଜାର ୫୦୦ ଭୋଟ ପାଇଥିବା ବେଳେ କଂଗ୍ରେସ ୩ ହଜାର ୩୦୦, ବିଜେପି ୩ ହଜାର ୯୫ ଭୋଟ ପାଇଛି। ସେହିପରି ପଦ୍ମପୁର ଖ ଜୋନରେ ବିଜେଡ଼ି ପ୍ରାର୍ଥୀ ରବି ନାରାୟଣ ଆଚାର୍ଯ୍ୟ ୨୬୧୬ ଭୋଟରେ ବିଜୟୀ ହୋଇଛନ୍ତି।

ବିଜେଡ଼ି ଏହି ଜୋନରେ ୭୩୨୯, କଂଗ୍ରେସ ପ୍ରାର୍ଥୀ ୪୭୧୩, ବିଜେପି ୩୫୫୪ ଭୋଟ ପାଇଛନ୍ତି। କଲ୍ୟାଣସିଂହପୁର ଖ ଜୋନରେ ୧୦ ରାଉଣ୍ଡ ଫଳାଫଳ ସୁଦ୍ଧା ବିଜେଡ଼ି ଆଗରେ ରହିଛି। ବିଜେଡ଼ି ପ୍ରାର୍ଥୀ ୭ ହଜାର ୫୭୫ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୪ ହଜାର ୭୩୯, ବିଜେପି ୮୬୨, ବିଏସପି ୧୧୦୪ ଭୋଟ ପାଇଛନ୍ତି। ବିଜେଡ଼ି ପ୍ରାର୍ଥୀ ୨ ହଜାର ୮୩୬ ଭୋଟରେ ଆଗୁଅ ରହିଛନ୍ତି। ସେହିପରି ବିଷମକଟକ ‘ଖ’ ଜୋନରେ ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ୧୮୨୨ ଭୋଟରେ ଆଗୁଆ ରହିଛି। ବିଜେଡ଼ି ପ୍ରାର୍ଥୀ ଏଠାରେ ୫୨୯୫, କଂଗ୍ରେସ ୪୧୦୨, ବିଏସପି ୨୧୯୫, ବିଜେପି ୬୯୬ ଭୋଟ ପାଇଛନ୍ତି। ମୁନିଗୁଡ଼ା ‘ଖ’ ଜୋନରେ ମଧ୍ୟ ବିଜେଡ଼ି ଆଗୁଆ ରହିଛି। ବିଜେଡ଼ି ପ୍ରାର୍ଥୀ ୩୭୩୨ ଭୋଟରେ ଆଗୁଆ ରହିଥିବା ଜଣା ପଡିଛି।