ଭୁବନେଶ୍ୱର/ ରାୟଗଡ଼ା: ନୂତନ ଭାବେ ପ୍ରତିଷ୍ଠିତ ରାୟଗଡା ରେଳମଣ୍ଡଳ ଭାରତୀୟ ରେଳବାଇର ୭୦ତମ ରେଳମଣ୍ଡଳ ହୋଇଛି। ଓଡ଼ିଶାର ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକରେ ରେଳ କାର୍ଯ୍ୟର ତଦାରଖ ପାଇଁ ଏହି ରେଳମଣ୍ଡଳ ଉତ୍ତରଦାୟୀ ରହିବ। ରାୟଗଡା, କୋରାପୁଟ, ଗଜପତି, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ସମେତ ଆଦିବାସୀ ବହୁଳ ତଥା ଆକାଂକ୍ଷା ଜିଲ୍ଲାର ସ୍ୱାର୍ଥ ପାଇଁ ଏହି ରେଳମଣ୍ଡଳ ସେବା କରିବ। ଏହି ଅଞ୍ଚଳର ରଣନୀତିକ ଅବସ୍ଥାନ ଓ ବୃଦ୍ଧି ପାଉଥିବା ଗୁରୁତ୍ୱ ଓଡ଼ିଶା ରେଳ ନେଟୱର୍କର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବିଭାଗୀୟ ମୁଖ୍ୟାଳୟର ତ୍ୱରିତ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଏବଂ ଏହି ଅଞ୍ଚଳରେ ରେଳ ଭିତ୍ତିଭୂମି ବିକାଶକୁ ସୁନିଶ୍ଚିତ କରିବାକୁ ଡିଆରଏମ୍ ନିଯୁକ୍ତ କରାଯାଇଛି। ଅମିତାଭ୍ ସିଂଘଲ ନୂଆ ଡିଆରଏମ୍ ଭାବେ ନିଯୁକ୍ତ ହୋଇଛନ୍ତି।
ଏହି ପଦକ୍ଷେପ ଦକ୍ଷିଣ ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳରେ ଏକ ପରିବର୍ତ୍ତନଶୀଳ ପ୍ରଭାବ ପକାଇବ। ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି, ସ୍ଥାନୀୟ ଶିଳ୍ପ ସହ ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ବହୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଉନ୍ନତ ରେଳ ସେବା ସହ ସ୍ଥାନୀୟ ଜନସମୂଦାୟର ବଜାର ଚାହିଦା, ସ୍ୱାସ୍ଥ୍ୟସେବା, ଶିକ୍ଷା ପାଇଁ ବର୍ଦ୍ଧିତ ରେଳ ଭିତ୍ତିଭୂମି ଓ ଯୋଗାଯୋଗ ବହୁପରିମାଣରେ ସହାୟତା ପ୍ରଦାନ କରିବ। ଯାହାକି ଏହି ଅଞ୍ଚଳର ଅଧିବାସୀଙ୍କ ପାଇଁ ଏକ ଉନ୍ନତମାନର ଜୀବନଯାପନ ପ୍ରଣାଳୀ ଅଭିଜ୍ଞତା ପ୍ରଦାନ କରିବ। କୋରାପୁଟ-ରାୟଗଡା ରେଳମାର୍ଗ ପୂର୍ବଘାଟଗୁଡ଼ିକର ଚମତ୍କାର ସୌନ୍ଦର୍ଯ୍ୟମୟ ଦୃଶ୍ୟ ପ୍ରଦାନ କରିବା ସହିତ ଏହି ମାର୍ଗଗୁଡ଼ିକ ସବୁଜିମା, ଜଳପ୍ରପାତ, ଆଦିବାସୀ ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ଦୃଶ୍ୟମାନ ବିଶେଷ ଅଭିଜ୍ଞତା ପ୍ରଦାନ କରେ। ଉଭୟ ଜାତୀୟ ତଥା ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଏହି ଅଞ୍ଚଳ ଆକର୍ଷିତ କରିବ। କୋରାପୁଟ କଫି ଓ ହଳଦୀ ପାଇଁ ବଜାରକୁ ବୃଦ୍ଧି କରିବ ଏବଂ ଏଗ୍ରୋଭିତ୍ତିକ ଶିଳ୍ପଗୁଡ଼ିକୁ ମଧ୍ୟ ସମର୍ଥନ କରିବ। ଓଡ଼ିଶାରେ ପର୍ଯ୍ୟଟନ, ଅର୍ଥନୈତିକ ବିକାଶ ଓ ଭିତ୍ତିଭୂମି ଅଭିବୃଦ୍ଧିରେ ରାୟଗଡା ରେଳମଣ୍ଡଳ ପ୍ରତିଷ୍ଠା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଉନ୍ନତ ରେଳ ନେଟୱର୍କ କେବଳ ସ୍ଥାନୀୟ ଶିଳ୍ପ ପାଇଁ ସଂଯୋଗକୁ ଉନ୍ନତ କରିବ ନାହିଁ, ବରଂ ଏହି ଅଞ୍ଚଳକୁ ଏକ ପ୍ରମୁଖ ଅର୍ଥନୈତିକ କେନ୍ଦ୍ର ଭାବରେ ପରିଣତ କରିବ। ଏହି ପ୍ରକଳ୍ପ ଆକାଂକ୍ଷୀ ଜିଲ୍ଲାମାନଙ୍କରେ ସଂଯୋଗ ବୃଦ୍ଧି, ପର୍ଯ୍ୟଟନକୁ ପ୍ରୋତ୍ସାହିତ, ଏହି ଅଞ୍ଚଳର ଅଭିବୃଦ୍ଧିରେ ଦେଶର ସାମଗ୍ରିକ ପ୍ରଗତିରେ ଉଲ୍ଲେଖନୀୟ ଯୋଗଦାନ କରିବାକୁ ସ୍ଥିର ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2017/12/rayagada.jpg)