ବ୍ରହ୍ମପୁର : ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ରବିବାର ଦିନ ବ୍ରହ୍ମପୁର ଭିଜିଲାନ୍ସ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସହକାରୀ ଯନ୍ତ୍ରୀ ନିଜ ଆୟ ଠାରୁ ୧୨୬ ପ୍ରତିଶତ ଅଧିକ ସଂପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏଥିନେଇ ସହକାରୀ ଯନ୍ତ୍ରୀ ଶ୍ରୀ ସାହୁ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ଗଞ୍ଜାମ ଓ ଗଜପତି ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲେ। ଭିଜିଲାନ୍ସ ଚଢ଼ଉ ବେଳେ ସହକାରୀ ଯନ୍ତ୍ରୀ ଶ୍ରୀ ସାହୁଙ୍କ ବ୍ରହ୍ମପୁର ‌ଗୋପବନ୍ଧୁ ନଗର ଅଞ୍ଚଳର ସ୍ପେକ୍ଟମ୍‌ ମାଳତୀ ରେସିଡେଣ୍ଟରେ ଗୋଟିଏ ୩ବିଏଚ୍‌କେ ଫ୍ଲାଟ୍‌, ବିଜୟ ବିହାର ଅଞ୍ଚଳରେ ଗୋଟିଏ ଘର, ଜ୍ୟୋତି ନଗର ଅଞ୍ଚଳରେ ଗୋଟିଏ ଘର, ବ୍ରହ୍ମପୁର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ୧୨ଟି ପ୍ଲଟ୍‌, ୨.୭୬ ହଜାର ନଗଦ ଟଙ୍କା ସମେତ ୧୭.୦୨ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୁପା ଅଳଙ୍କାର, ଗୋଟିଏ ଦୁଇ ଚକିଆ ଯାନ ଓ ଆସବାବ ପତ୍ର ଠାବ କରିଥିଲା।