ବ୍ରହ୍ମପୁର : ଭିଜିଲାନ୍ସ ହାତରେ ଶନିବାର ଦିନ ଧରାପଡ଼ିଛନ୍ତି ଗଜପତି ଜିଲ୍ଲା ରାୟଗଡ଼ ପଞ୍ଚାୟତ ସମିତିର ସହକାରୀ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଦିଲ୍ଲୀପ କୁମାର ସାହୁ। ଭିଜିଲାନ୍ସର ଟିମ୍ ଗଂଜାମ ଓ ଗଜପତି ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରି ଦିଲ୍ଲୀପଙ୍କ ବହୁ ଆୟ ବର୍ହିଭୂତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛନ୍ତି। ଭିଜିଲାନ୍ସର ୪ଟି ଟିମ୍ ବ୍ରହ୍ମପୁର, ଦିଗପହଣ୍ଡି, ଆର୍.ଉଦୟଗିରି ଓ ଛେଳିଗଡ଼ରେ ଥିବା ସରକାରୀ କ୍ବାର୍ଟର୍ସରେ ଚଢ଼ଉ କରିଥିବା ବେଳେ ସନ୍ଧ୍ୟା ସୁଦ୍ଧା ଖାନତଲାସ ଜାରି ରହିଥିବା ଜଣାପଡ଼ିଛି।
ଯାଞ୍ଚ ବେଳେ ଅଭିଯୁକ୍ତ ସହକାରୀ ଇଞ୍ଜିନିୟର ଦିଲ୍ଲୀପଙ୍କ ନାମରେ ବ୍ରହ୍ମପୁର ଗୋପବନ୍ଧୁ ନଗରରେ ଥିବା ୩ ବିଏଚ୍କେ ଫ୍ଲାଟ୍, ଜ୍ୟୋତିଗନରରେ ଦ୍ବିତଳ ପୈତୃକ ଘର ଓ ସହର ପ୍ରମୁଖ ସ୍ଥଳରେ ୧୨ଟି ନାମୀ ପ୍ଲଟ ରହିଥିବା ଭିଜିଲାନ୍ସ ଟିମ ଜାଣିବାକୁ ପାଇଛି। ଏହାସହ ଚଢ଼ଉ ବେଳେ ଘରୁ ୨ଲକ୍ଷ ୭୨ ହଜାର ଟଙ୍କା, ୩୪୫ ଗ୍ରାମ ସୁନାଗହଣା, ୩ ଲକ୍ଷ ୪୪ ହଜାର ଟଙ୍କାର ବ୍ୟାଙ୍କ ଜମା, ବେନାମୀ କାର ଓ ୨ଟି ବାଇକ୍ ଥିବା ଭିଜିଲାନସ୍ ଏସ୍ପିଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। ଏହି ଚଢ଼ଉରେ ଜଣେ ଅତିରିକ୍ତ ଏସ୍.ପି, ୫ ଜଣ ଇନ୍ସପେକ୍ଟର, ୨ ଜଣ ଏଏସ୍ଆଇ ସାମିଲ ହୋଇଥିଲେ।