ପରାଜୟର କାରଣ ଖୋଜୁଛି କଂଗ୍ରେସ, ଆରମ୍ଭ ହେଲା ମାନସ ମନ୍ଥନ

ସବୁ ବିଧାନସଭା ଆସନରେ ପଛୁଆ ସତ୍ତ୍ବେ ଜିତିଲେ ସପ୍ତଗିରି

ରାୟଗଡା : ୩ରୁ ୩ ବିଧାନସଭା ଆସନରେ ପ୍ରାର୍ଥୀ ପଛୁଆ। ରାୟଗଡା, ବିଷମକଟକ ନିର୍ବାଚନ ମଣ୍ଡଳୀରେ ଦଳ ଲଢ଼େଇକୁ ଆସିବା ତ’ ଦୂରର କଥା ତୃତୀୟ ସ୍ଥାନକୁ ଚାଲିଗଲା। ଗୁଣପୁର ଆସନରେ ଦଳ ଲଢ଼େଇ କରି ହାରିଲା। କେବଳ ରାୟଗଡା ନୁହେଁ, କୋରାପୁଟ ଲୋକସଭା ଆସନର ୭ଟି ଆସନ ମଧ୍ୟରୁ ଜୟପୁରକୁ ଛାଡି ଅନ୍ୟ ୬ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ହାରିଗଲେ। ଏହା ସତ୍ତ୍ବେ କଂଗ୍ରେସର ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ଜିତିଲେ। ତେବେ ଏତେ ବଡ଼ ବିପର୍ଯ୍ୟୟ ପଛର କାରଣ କ’ଣ ହୋଇପାରେ ତାକୁ ନେଇ ଦଳ ପକ୍ଷରୁ ଆରମ୍ଭ ହୋଇଛି ମାନସ ମନ୍ଥନ। ଖୁବ୍ ଶୀଘ୍ର ନିର୍ବାଚନ ମଣ୍ଡଳୀ ୱାରି ବୁଥସ୍ତରୀୟ ସମୀକ୍ଷା ପାଇଁ ଦଳୀୟ ନେତୃବୃନ୍ଦ ତଥ୍ୟ ସଂଗ୍ରହରେ ଲାଗିଛନ୍ତି।

କଂଗ୍ରେସର ଗଡ଼ ରାୟଗଡା। ମୋଦୀ ହାୱା, ନବୀନ ରାଜ ସତ୍ତ୍ବେ ଏଠି କଂଗ୍ରେସ ଭୋଟ ଏବେ ବି ସୁରକ୍ଷିତ ରହିଛି ଏ କଥା ପ୍ରାମଣ ହୋଇଛି ସପ୍ତଗିରିଙ୍କ ବିଜୟରୁ। କୋରାପୁଟ ଲୋକସଭା ପ୍ରାର୍ଥୀଙ୍କ ବିଜୟରେ ଦୀର୍ଘ ବର୍ଷରୁ ରାୟଗଡାର ୩ ନିର୍ବାଚନ ମଣ୍ଡଳୀ ହିଁ ଗୁରୁତ୍ବପୂର୍ଣ ଭୂମିକା ନିଭାଇ ଆସୁଛନ୍ତି। ପୂର୍ବତନ ସାଂସଦ ଡ. ଗିରିଧର ଗମାଙ୍ଗଙ୍କଠୁ ଆରମ୍ଭ କରି ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକା, ବିଜେଡିର ପୂର୍ବତନ ସାଂସଦ ଝିନ୍ନ ହିକକା, ଜୟରାମ ପାଙ୍ଗୀଙ୍କ ଏକତରଫା ବିଜୟ ପଛରେ ରହିଛି ରାୟଗଡା ଭୋଟରଙ୍କ ନିଃସର୍ତ ମତଦାନ।

୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସ ବିଜୟରେ ରୋକ୍ ଲଗାଇଥିବା ତତ୍କାଳୀନ ବିଜେଡି ସାଂସଦ ଜୟରାମ ପାଙ୍ଗୀ ରାୟଗଡାରୁ ଅଧିକ ଭୋଟ ପାଇଥିଲେ। ସେହିପରି ୨୦୧୪ରେ ମଧ୍ୟ ବିଜେଡିର ପୂର୍ବତନ ସାଂସଦ ଝିନ୍ନ ହିକକା ଅନ୍ୟ ୬ ନିର୍ବାଚନ ମଣ୍ଡଳୀରେ ଆଶାତୀତ ଭୋଟ ପାଇନଥିବା ବେଳେ ବିଷମ କଟକ ନିର୍ବାଚନ ମଣ୍ଡଳୀରୁ ୨୯ ହଜାର ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ। ୨୦୧୯ରେ ମଧ୍ୟ ତାର ପୁନରାବୃତ୍ତି ଦେଖିବାକୁ ମିଳିଛି। ସବୁଠି କମ୍ ବ୍ୟବଧାନ ରହି ଆସୁଥିବା ସାଂସଦ ପ୍ରାର୍ଥୀଙ୍କୁ ଆଶୀର୍ବାଦ ସଦୃଶ ହୋଇଥିଲା ରାୟଗଡା ନିର୍ବାଚନ ମଣ୍ଡଳୀ। ଏକଦା ବିଜେଡି ସାଂସଦ ପ୍ରାର୍ଥିନୀ ୧୯ ହଜାର ୪ ଶହ ଭୋଟରେ ଆଗୁଆ ଥିବା ବେଳେ ଶେଷ ମୁହୂର୍ତରେ ରାୟଗଡା ବିଧାନସଭା ଆସନରୁ କଂଗ୍ରେସକୁ ଯାଇଥିଲା ଅଧିକ ୬ ହଜାର ୮୯୮ ଭୋଟ। ଯାହା ୩ ହଜାର ୬୧୩ ଭୋଟ ବ୍ୟବଧାନରେ ସପ୍ତଗିରିଙ୍କୁ ବିଜୟୀ କରିଥିଲା।

କିନ୍ତୁ ସାଂସଦଙ୍କ ଭଳି ଜିଲ୍ଲାର ବିଧାନସଭା ପ୍ରାର୍ଥୀମାନେ ଭୋଟ ହାର ବଢ଼ାଇ ପାରି ନଥିଲେ। ରାୟଗଡା ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଆପଲସ୍ବାମୀ କାଡ୍ରେକା ୩୯ ହଜାର ୬୨୫ ଭୋଟ ପାଇଥିଲେ। ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ୫୨୭୫୧ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଲାଲ୍ ବିହାରୀ ହିମିରିକା ୪୭ ହଜାର ୯୧୩ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ।

କଂଗ୍ରେସର ଗଡ କୁହାଯାଉଥିବା ଏହି ଆସନରେ ଦଳ ୨୦୦୯ରୁ ବିଜୟୀ ବାନା ଉଡ଼ାଇ ପାରୁନି। ଏପରି ସ୍ଥିତିରେ ୨୦୦୯ ମସିହାର କଂଗ୍ରେସ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କୁ ଦଳ ଚଳିତ ନିର୍ବାଚନରେ ଟିକେଟ୍ ନ ଦେବା ମହଙ୍ଗା ସାବ୍ୟସ୍ତ ହେଲା। ସେହିପରି ବିଷମକଟକ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ୫୨ ହଜାର ୩୫୪ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିବା ବେଳେ ୧୪ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ଜଗନ୍ନାଥ ସାରକା। କଂଗ୍ରେସ ଚଳିତ ଥର ବରିଷ୍ଠ ନେତା ପୂର୍ବତନ ବିଧାୟକ ଡମ୍ବରୁଧର ଉଲ୍ଲାକାଙ୍କ ବଦଳରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ନୀଳମାଧବଙ୍କୁ ଟିକେଟ୍ ଦେଇଥିଲା। କିନ୍ତୁ ନୀଳ ଭୋଟରଙ୍କ ଆସ୍ଥା ଭାଜନ ହୋଇପାରିଲେନି। ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କିନ୍ତୁ କଂଗ୍ରେସ ପ୍ରାର୍ଥୀ ଦମ୍ ଦେଖାଇଲେ। ପୁରୁଷୋତ୍ତମ ଗମାଙ୍ଗ ଜିତୁ ଜିତୁ ହାରିଗଲେ ସିନା ଭୋଟ ଗଣତି ଶେଷ ପର୍ଯ୍ୟନ୍ତ ଶାସକ ଦଳ ବିଧାୟକ ପ୍ରାର୍ଥୀଙ୍କ ହୋସ୍ ଉଡାଇ ଦେଇଥିଲେ। ଗଣତି ଶେଷ ପର୍ଯ୍ୟାୟରେ ଗୁଣପୁର ପୌର ପରିଷଦ ଭୋଟ ବିଜେଡି ପ୍ରାର୍ଥୀ ରଘୁନାଥ ଗମାଙ୍ଗଙ୍କ ସପକ୍ଷରେ ଯିବାରୁ ୬ ହଜାର ୨୪୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ପୁରୁଷୋତ୍ତମ ୪୨ ହଜାର ୫୨୨ ଭୋଟ ପାଇଥିବା ବେଳେ ରଘୁନାଥ ୪୮ ହଜାର ୭୬୫ ଭୋଟ ପାଇଛନ୍ତି। ସେହିପରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ କୈଳାସ କୁଲେସିକା ୨ ଶହ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା ବେଳେ ପଟାଙ୍ଗୀ, କୋରାପୁଟରେ ବିଜୟ ସମ୍ଭାବନା ଥିବା ସତ୍ତ୍ବେ ଦଳ ହାରିଗଲା।

ସମ୍ବନ୍ଧିତ ଖବର