କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ରରେ ବଢ଼ୁଛି ଅବ୍ୟବସ୍ଥା : ସଠିକ୍ ଚିକିତ୍ସା ହେଉନି, ଚେତା ହରାଉଛନ୍ତି ଆକ୍ରାନ୍ତ

ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ଅଭିଯୋଗ ଜଣାଇଲେ ଆଇନଜୀବୀ
ଆକ୍ରାନ୍ତଙ୍କ ଚିକିତ୍ସାରେ କୌଣସି ଅବହେଳା ନାହିଁ: ସିଡିଏମ୍ଓ

ରାୟଗଡ଼ା : କୋଭିଡ଼୍ ସ୍ୱାସ୍ଥ୍ୟକେନ୍ଦ୍ରରେ ସଠିକ୍ ଭାବେ ହେଉନି ଆକ୍ରାନ୍ତଙ୍କ ଚିକିତ୍ସା। ଘଣ୍ଟା ଘଣ୍ଟା ଧରି ଆସୁ ନାହାନ୍ତି ଡାକ୍ତର। ଏପରିକି ୨୪ ଘଣ୍ଟା ଧରି ଝାଡାବାନ୍ତିରେ ପୀଡ଼ିତ ଜଣେ ଆକ୍ରାନ୍ତଙ୍କ ଅବସ୍ଥା ସଙ୍ଗୀନ୍ ସତ୍ତ୍ବେ କେହି ଡାକ୍ତର ଚିକିତ୍ସା କରିନଥିବା ଅଭିଯୋଗ ହୋଇଛି। ଜେକେପୁର କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ରରେ ଏପରି ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ଅଭିଯୋଗ ଜଣାଇଛନ୍ତି ଆଇନଜୀବୀ ଅନୁପ କୁମାର ପାତ୍ର। ତେବେ ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସାରେ କୌଣସି ଅବହେଳା ହେଉନଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ।

ରାୟଗଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆକ୍ରାନ୍ତ ସଂଖ୍ୟା ୧୧୩୨ରେ ପହଞ୍ଚିବା ପରେ ଜେକେପୁର, ତାଡ଼ମା, ବିଷମକଟକ, ନାନିରିଗୁଡ଼ା, ଗୁଣପୁର, ଉତ୍କଳ ଆଲୁମିନା ହସପିଟାଲରେ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ତେବେ ଜେକେପୁର କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣେ ଆକ୍ରାନ୍ତ ଶନିବାର ଝାଡାବାନ୍ତିର ଶିକାର ହେବା ପରେ ମେଡ଼ିସିନ୍ ଦେବା ପାଇଁ କର୍ମଚାରୀଙ୍କୁ କହିଥିଲେ। କିନ୍ତୁ କେହି ମଧ୍ୟ ଶୁଣିନଥିଲେ। ଦିନ ତମାମ ଆକ୍ରାନ୍ତ ବାରମ୍ବାର ଝାଡା ଯିବା ଯୋଗୁ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହୋଇ ପଡ଼ିଥିଲା। ଆକ୍ରାନ୍ତଙ୍କ ଜଣେ ସଂପର୍କୀୟ ମଧ୍ୟ କରୋନା ପଜିଟିଭ୍ ହୋଇ ଚିକିତ୍ସିତ ହେଉଥିବାରୁ ଖବର ପାଇ ୱାର୍ଡକୁ ଆସି ପାଣି ପିଇବାକୁ ଦେବା ସହ ସ୍ବାସ୍ଥ୍ୟବସ୍ଥା ବୁଝି ଅଧିକାରୀଙ୍କୁ ଜଣାଇଥିଲେ। ତଥାପି କୌଣସି ସୁଫଳ ମିଳିନଥିଲା। ଫଳରେ ଆକ୍ରାନ୍ତ ଫୋନ୍ ଯୋଗେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକ ଘଟଣା ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଖବର ପଦାକୁ ଆସିବା ପରେ ଗତକାଲି ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ନିର୍ଦେଶରେ ଡାକ୍ତରୀ ଟିମ୍ ଆକ୍ରାନ୍ତଙ୍କ ଚିକିତ୍ସା କରିଥିଲେ।

ଏ ସଂପର୍କରେ ଆଜି ଆଇନଜୀବୀ ଅନୁପ କୁମାର ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ଉତ୍ତମ ଚିକିତ୍ସା ସେବା ଯୋଗାଇବାକୁ ଦାବି ରଖିଛନ୍ତି। ଆକ୍ରାନ୍ତଙ୍କୁ ଖାଦ୍ୟପେୟ ଠିକ୍ ଭାବରେ ମିଳୁନଥିବା ନେଇ ପୂର୍ବରୁ ଅଭିଯୋଗ ଆସିଥିଲା। ଏବେ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କୁ ସଠିକ୍ ସମୟରେ ଗରମ ପାଣି, ଅକ୍ସିଜେନ୍ ସୁବିଧା ମିଳୁନି। ଜେନେରଟର୍ ସୁବିଧା ନଥିବାରୁ ବିଦ୍ୟୁତ୍ କାଟ ହେଲେ ଅକ୍ସିଜେନ୍ ବନ୍ଦ ହୋଇଯିବା କାରଣରୁ ଗତ କିଛି ଦିନ ତଳେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଆଜି ବିଷମକଟକ କୋଭିଡ଼୍ କେୟାର ସେଣ୍ଟରରେ ଦିନ ସାଢ଼େ ୩ଟା ପର୍ଯ୍ୟନ୍ତ ଖାଇବାକୁ ମିଳୁନଥିବା ଅଭିଯୋଗରେ ଆକ୍ରାନ୍ତ ସ୍ବାସ୍ଥ୍ୟକେନ୍ଦ୍ର ଛାଡ଼ି ଚାଲିଯିବାକୁ ଉଦ୍ୟମ କରିଥିଲେ। କାଶୀପୁର ସଙ୍ଗରୋଧ କେନ୍ଦ୍ରରୁ ୪ ଅନ୍ତେବାସୀ ଚମ୍ପଟ ମାରିଥିବା ବେଳେ ସେମାନଙ୍କ ସ୍ବାବ ପଜିଟିଭ୍ ଆସିବା ପରେ ପ୍ରଶାସନ ସେମାନଙ୍କୁ ଖୋଜାଖୋଜି କରି କେନ୍ଦ୍ରକୁ ଫେରାଇବା ପରେ ମେଡ଼ିକାଲରେ ଭର୍ତ୍ତି କରିଛି। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ର ଓ କୋଭିଡ଼୍ କେୟାର ସେଣ୍ଟରରେ ଲାଗି ରହିଥିବା ଅସୁବିଧା ଦୂର କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର