ରାୟଗଡ଼ା: କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ପାଇଁ ରାୟଗଡ଼ାର ୪ ପୁଲିସ୍ କର୍ମଚାରୀ ଡିଜିପି ଡିସ୍କ୍ ଆୱାର୍ଡ ପାଇଁ ମନୋନିତ ହୋଇଛନ୍ତି। ଆସନ୍ତା ଏପ୍ରିଲ୍ ୧ ତାରିଖ ଉତ୍କଳ ଦିବସ ଅବସରରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଏହି କର୍ମଚାରୀଙ୍କୁ ସମ୍ମାନିତ କରିବେ। ଡିଜିପି ଡିସ୍କ୍ ଆୱାର୍ଡ ପାଇଁ ମନୋନିତ ହୋଇଥିବା କର୍ମଚାରୀ ହେଲେ ରାୟଗଡ଼ା ଥାନା ଏସଆଇ ଶିବ ଶଙ୍କର ସାହୁ, ସାଇବର୍ ସେଲ୍ କନଷ୍ଟେବଳ କିରଣ କୁମାର ପାତ୍ର, ଡିଭିଏଫ୍ ଯବାନ ରବୀନ୍ଦ୍ର ପାତିକା। ସେହିପରି କରୋନା ମହାମାରୀ ସହ ଲଢ଼େଇ କରି ଜୀବନ ହାରିଥିବା ମୁନିଗୁଡ଼ାର ତତ୍କାଳୀନ ଥାନା ଅଧିକାରୀ ରାଜେନ୍ଦ୍ର ଦେହୁରୀଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରିବାକୁ ଡିଜିପି ଘୋଷଣା କରିଛନ୍ତି।
୨୦୧୯-୨୦ ବର୍ଷରେ ଆଇନ ଶୃଙ୍ଖଳା ସଂପର୍କିତ ମାମଲା ପରିଚାଳନା ଓ ତଦାରଖ କରିବା କ୍ଷେତ୍ରରେ ଏହି କର୍ମଚାରୀ ସେମାନଙ୍କ ପାରିଦର୍ଶିତାକୁ ପ୍ରମାଣିତ କରିଥିଲେ। ରାୟଗଡ଼ା ଥାନାରେ ବର୍ତ୍ତମାନ ଏସଆଇ ଭାବେ କାର୍ଯ୍ୟରତ ଶିବ ଶଙ୍କର ସାହୁ କୋରାପୁଟ ଜିଲ୍ଲାର ଜୟପୁର ସଦର ଥାନା ଅଧିକାରୀ ଦାୟିତ୍ବରେ ଥିବା ସମୟରେ ମାମଲା ପରିଚାଳନା ଓ ତଦାରଖ କ୍ଷେତ୍ରରେ ଭଲ କାମ କରିଥିଲେ। ସେହିପରି ସାଇବର୍ କ୍ରାଇମ୍ ଆନାଲିସସ୍ କ୍ଷେତ୍ରରେ କନଷ୍ଟେବଳ କିରଣ ପାତ୍ର ଭଲ କାମ କରିଛନ୍ତି। ମାଓ ମୁକାବିଲା ସମୟରେ ଭଲ ପ୍ରଦର୍ଶନ କରିଥିବା ଡିଭିଏଫ୍ ଯବାନ ରବୀନ୍ଦ୍ର ପାତିକାଙ୍କ କାମକୁ ବିଭାଗୀୟ ସ୍ତରରେ ପ୍ରଶଂସା କରାଯିବା ପରେ ଡିଜିପି ଡିସ୍କ ଆୱାର୍ଡ ପାଇଁ ସେ ମନୋନିତ ହୋଇଛନ୍ତି। କରୋନା ସମୟରେ ଡ୍ୟୁଟିରେ ଥାଇ ସଂକ୍ରମିତ ହୋଇ ୨୦୨୦ ସେପ୍ଟେମ୍ବର ୧୦ ତାରିଖରେ ମୃତ୍ୟୁବରଣ କରିଥିବା ମୁନିଗୁଡ଼ାର ତତ୍କାଳୀନ ଥାନା ଅଧିକାରୀଙ୍କୁ ମଧ୍ୟ ଉଲ୍ଲେଖନୀୟ କାମ ପାଇଁ ଡିଜିପି ମରଣୋତ୍ତର ଡିସ୍କ୍ ଆୱାର୍ଡ ପ୍ରଦାନ କରିବେ। ଡିଜିପି ଡିସ୍କ୍ ଆୱାର୍ଡ ପାଇଁ ମନୋନିତ ହୋଇଥିବା ସମସ୍ତ କର୍ମଚାରୀଙ୍କୁ ଡିଜିପି ଅଭୟଙ୍କ ସମେତ ଆଇଜି ଅପରେସନ୍ ଅମିତାଭ ଠାକୁର, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଶୁଭେଚ୍ଛା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/DGP-DISK-AWARD30_tHUMB-1.jpg)