ରାୟଗଡ଼ା( ଶିବ ପ୍ରସାଦ ଦୋରା): ୧୧ଲକ୍ଷ ଜନସଂଖ୍ୟାରୁ ୮ଲକ୍ଷ ଟଙ୍କିକିଆ ଚାଉଳ ଉପରେ ନିର୍ଭରଶୀଳ। କର୍ମ ନିଯୁକ୍ତି ନଥିବାରୁ ଲକ୍ଷାଧିକ (୧୪ରୁ ୫୦ ବୟସ) ଲୋକ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ଜିଲ୍ଲାର ୫୦ ପ୍ରତିଶତ ମହିଳା ରକ୍ତହୀନତାର ଶିକାର। ଅଧାରୁ ପାଠ ଛାଡ଼ିଲେଣି ୨୦ ହଜାରରୁ ଊର୍ଧ୍ଵ ଛାତ୍ରଛାତ୍ରୀ। ୮୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ ହୋଇଥିଲେ ମଧ୍ୟ ନାହିଁ ଜଳସେଚନ ସୁବିଧା। ଗମନାଗମନ, ପାନୀୟ ଜଳ, ସ୍ୱାସ୍ଥ୍ୟ କ୍ଷେତ୍ର ମଧ୍ୟ ଅବହେଳିତ। ଏହି ଚିତ୍ର ହେଉଛି ଶିଳ୍ପ ସମୃଦ୍ଧ ଓ ଖଣିଜ ସମ୍ପଦରେ ଭରପୂର ରତ୍ନଗର୍ଭା ରାୟଗଡ଼ାର। 

Advertisment

ଜିଲ୍ଲା ଗଠନକୁ ଅକ୍ଟୋବର ୨ରେ ପୂରିଛି ୩୩ ବର୍ଷ। ମୌଳିକ ସୁବିଧା ସୁଯୋଗର ବିକାଶ ପାଇଁ କୌଣସି ଅଭାବ ନାହିଁ। ଭିତ୍ତିଭୂମିଠାରୁ ଆରମ୍ଭ କରି ସରକାରୀ ଅନୁଦାନ, ଖଣିଜ ପାଣ୍ଠି, ସ୍ୱତନ୍ତ୍ର ଅନୁଦାନ ବାବଦରେ ଜିଲ୍ଲା ରାଜକୋଷରେ ଗଛିତ ଅଛି ଶହ ଶହ କୋଟି। ତଥାପି ଜିଲ୍ଲାର ଅଧା ଅଞ୍ଚଳବାସୀ ବିକାଶର ସ୍ୱାଦ ଚାଖି ପାରିନାହାନ୍ତି।

ବୃହତ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ପରେ ବି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବେକାରୀ ଦୂରୀକରଣରେ ବହୁ ପଛରେ ପଡ଼ିଛି ରାୟଗଡ଼ା। ବିଗତ ୩୩ ବର୍ଷ ମଧ୍ୟରେ ବିକାଶ ପାଇଁ ବହୁ ନକ୍ସା ପ୍ରସ୍ତୁତ ହୋଇଛି, ଜିଲ୍ଲାବାସୀଙ୍କୁ ବହୁ ସ୍ବପ୍ନ ଦେଖାଇଛନ୍ତି ସରକାର। ପ୍ରତି ବଦଳରେ ଶିଳ୍ପପତିଙ୍କ ହାତରେ ଟେକି ଦେଇଛନ୍ତି ଖଣି, ପାଣି, ଜଳ, ଜମି, ଜଙ୍ଗଲକୁ। ହେଲେ ସ୍ବପ୍ନ ସତ ଦିଗରେ କାହାର ବି ନାହିଁ ତତ୍ପରତା। ଏହା ଆମେ କହୁନୁ, କହୁଛି ଜିଲ୍ଲାର ବିକାଶ ପ୍ରତିଛବି। 

ରାୟଗଡ଼ା ଜିଲ୍ଲା ୧୧ ବ୍ଲକ, ୨ ପୌରସଂସ୍ଥା, ଗୋଟିଏ ବିଜ୍ଞାପିତ ଅଞ୍ଚଳକୁ ନେଇ ଗଠିତ। ମୋଟ ଜନସଂଖ୍ୟାରୁ ୬୦ ପ୍ରତିଶତ ଅନୁସୂଚିତ ଜନଜାତି, ୧୫ ପ୍ରତିଶତ ଅନୁସୂଚିତ ଜାତି ଓ ୨୫ ପ୍ରତିଶତ ସାଧାରଣ ବର୍ଗର। ଅପହଞ୍ଚ ଅଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ପରେ ବି ୨୦୦ରୁ ଊର୍ଧ୍ଵ ଗାଁକୁ ନିତିଦିନିଆ ରାସ୍ତା ନାହିଁ। ମୋବାଇଲ ଟାୱାର, ଦୈନନ୍ଦିନ ଜୀବନ ଜୀବିକା ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି ସୀମାନ୍ତ ଅଞ୍ଚଳବାସୀ। ମେଡ଼ିକାଲ କଲେଜ ପ୍ରତିଶ୍ରୁତିରେ ଅଟକିଛି। ବିମାନବନ୍ଦର ପାଇଁ ଇମ୍ଫା ପରିସରରେ ଉତ୍ତମ ଭିତ୍ତିଭୂମି ଓ ଲମ୍ବା ରନୱେ ଥିବା ପରେ ବି ସରକାର କାର୍ଯ୍ୟକ୍ଷମ କରିବାରେ ପଛଘୁଞ୍ଚା ଦେଉଛନ୍ତି। ନୂଆ ରେଳ ଡିଭିଜନ ସ୍ଥିତି ବି ସେଇୟା। ଘୋଷଣାର ୬ ବର୍ଷ ପରେ ସ୍ୱୟଂ କାର୍ଯ୍ୟକ୍ଷମ ହୋଇପାରିନି। ଚିରସ୍ରୋତା ନାଗାବଳୀ, ବଂଶଧାରା, କଲ୍ୟାଣୀ ନଦୀ ଉପରେ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ ପ୍ରସ୍ତାବ ଓ ଶିଳାନ୍ୟାସରେ ସୀମିତ ରହିଯାଇଛି। 

ଜିଲ୍ଲାରେ ଧାନ ଏବଂ କପା ବହୁଳ ମାତ୍ରାରେ ଚାଷ କରାଯାଇଥାଏ। ଯଦିଓ କପା ପରିବେଶକୁ ବିପର୍ଯ୍ୟୟ କରୁଛି କିନ୍ତୁ ଏହା ଏକ ଅର୍ଥକାରୀ ଫସଲ ଭାବେ ଜିଲ୍ଲାରେ ଉଭା ହୋଇଛି। ଭିତ୍ତିଭୂମି ସୁଦୃଢ଼ ସହ କର୍ମ ନିଯୁକ୍ତିର ବ୍ୟବସ୍ଥା କରି ଜିଲ୍ଲାବାସୀଙ୍କୁ ସଶକ୍ତୀକରଣ କରିବା ପରିବର୍ତ୍ତେ ୮୦% ଜନସାଧାରଣଙ୍କୁ ଦୟାର ପାତ୍ର କରିବାକୁ ଷଡ଼ଯନ୍ତ୍ର କରାଯାଉଛି ବୋଲି ବିଶିଷ୍ଟ ଶିକ୍ଷାବିତ ଡ. ଦୁଷ୍ମନ୍ତ କୁମାର ମହାନ୍ତି କହିଛନ୍ତି।