ରାୟଗଡ଼ା: ଓଡିଶା ଗଣ ଶିକ୍ଷା ବିଭାଗ ଦ୍ଵାରା ଶିକ୍ଷକଙ୍କ ପଦୋନ୍ନତି ପାଇଁ ବିଜ୍ଞପ୍ତି ପରେ ଜିଲ୍ଲାସ୍ତରରେ ଶିକ୍ଷକଙ୍କ ପଦୋନ୍ନତି ତାଲିକା ପ୍ରକାଶ ପାଇଛି। କିନ୍ତୁ ରାୟଗଡ଼ା ଜିଲ୍ଲା ଶିକ୍ଷା ବିଭାଗର ଖାମଖିଆଲି ନୀତି ଯୋଗୁ ପ୍ରକାଶ ପାଇଥିବା ପଦୋନ୍ନତି ତାଲିକାରେ ସ୍ଥାନ ପାଇଛନ୍ତି ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ। ଶିକ୍ଷା ବିଭାଗର ଏପରି ତାଲିକାକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଏହାର ପ୍ରତିବାଦ କରିଛି ଜିଲ୍ଲା ବିଏଡ୍ ପ୍ରାଥମିକ ଶିକ୍ଷକ ସଂଘ। ପଦୋନ୍ନତି ତାଲିକାର ପୁନଃ ଯାଞ୍ଚ ଓ ସଂଶୋଧନ ପାଇଁ ସଂଘ ପକ୍ଷରୁ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

Advertisment

ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଶିକ୍ଷକଙ୍କ ପ୍ରୋଭିଜିଓନାଲ୍ ଗ୍ରେଡେସନ ତାଲିକା ଅଗଷ୍ଟ ୬ ତାରିଖରେ ପତ୍ର ସଂଖ୍ୟା ୩୫୨୪/୨୦ରେ ପ୍ରକାଶ ପାଇଥିଲା। ତେବେ ପ୍ରକାଶ ପାଇଥିବା ଗ୍ରେଡସନ ତାଲିକାରେ ବ୍ୟାପକ ତ୍ରୁଟି ଯୋଗୁ ପଦୋନ୍ନତି ଅପେକ୍ଷାରେ ଥିବା ବହୁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଭାଗ୍ୟ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି। ସରକାରୀ ନିର୍ଦେଶନାମାରେ ମୂଳ ନିଯୁକ୍ତି ସମୟରେ ଶିକ୍ଷାଗତ ଯୋଗ୍ୟତାକୁ ଆଧାର କରି ଗ୍ରେଡେସନ ହେବାର ନିୟମ ରହିଛି। କିନ୍ତୁ ଜିଲ୍ଲା ଶିକ୍ଷା ବିଭାଗ ନିୟମରୁ ବାହାରକୁ ଯାଇ ଯିଏ ଆଗରେ ଚାକିରୀରେ ନିଯୁକ୍ତି ପାଇ ପରବର୍ତ୍ତୀ ସମୟରେ ନିଜର ଶିକ୍ଷାଗତ ଯୋଗ୍ୟତାକୁ ବଢ଼ାଇଛନ୍ତି ତାଙ୍କୁ ଗ୍ରେଡେସନ ତାଲିକାରେ ଅଗ୍ରାଧିକାର ଦେଇଛି। ଅନ୍ୟପକ୍ଷରେ ପ୍ରକାଶ ପାଇଥିବା ଗ୍ରେଡେସନ ତାଲିକା ତରବରିଆ ଭାବେ ପ୍ରସ୍ତୁତ ଯୋଗୁ ଜିଲ୍ଲାର ବିଭିନ୍ନ ବ୍ଲକରୁ ତଥା ରାମନାଗୁଡାରୁ ଗିରିଧାରୀ ସାହୁକାର, ବିଷମକଟକରୁ ଜଗବନ୍ଧୁ ପଟ୍ଟନାୟକ, ପଦ୍ମପୁରରୁ କୃଷ୍ଣ ଚନ୍ଦ୍ର ପାତ୍ର, ସୁରେଶ ଚନ୍ଦ୍ର ପାତ୍ର ଏବଂ ସି. ଲୋକଜି ଚାକିରୀରୁ ଅବସର ଗ୍ରହଣ କରିବା ପରେ ପଦୋନ୍ନତି ପାଇଛନ୍ତି। ସେହିପରି ଗୁଣପୁର ବ୍ଲକରୁ ଯଦବାନନ୍ଦ ରାୟ, ରାୟଗଡା ବ୍ଲକରୁ ଗୋପୀନାଥ ଶଙ୍ଖୁୟା, ଭୁପେନ୍ଦ୍ର କବି, ଅନନ୍ତ ଚନ୍ଦ୍ର ରଥ, ରାୟଗଡା ମ୍ୟୁନିସିପାଲଟିରୁ ଏମ. ଭି.ଏଲ. ଏସ. ସଲୀଳା କୁମାରୀ, କଲ୍ୟାଣସିଂହପୁରରୁ କୃଷ୍ଣ ଚନ୍ଦ୍ର ଦାସ, କୋଲନରାରୁ ଲକ୍ଷ୍ମୀଧର ବେଜ୍, କାହ୍ନୁ ଚରଣ ହୋତା ପ୍ରମ୍ମୁଖ ଚାକିରୀରୁ ଅବସର ଗ୍ରହଣ କରିବା ପରେ ମଧ୍ୟ ପଦୋନ୍ନତି ପାଇଛନ୍ତି। ଫଳରେ ଗ୍ରେଡେସନ ତାଲିକାରେ ଶିକ୍ଷକ କେଉଁ ସ୍ଥାନରେ ବର୍ତ୍ତମାନ ଅବସ୍ଥାପିତ ହେଉଛି ତାହା ଜାଣିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ କାଠିକର ବ୍ୟାପାର ହୋଇପଡୁଛି।

ପଦୋନ୍ନତି ତାଲିକାରେ ଅପେକ୍ଷାରତ ବରିଷ୍ଠ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ପ୍ରତି ଅଣଦେଖା କରି ଆନ୍ତଃ ଜିଲ୍ଲା ବଦଳି ଯଥା ପଦୋନ୍ନତି ତାଲିକାର କ୍ରମିକ ସଂଖ୍ୟା ୨୦ରେ ରାମନାଗୁଡା ବ୍ଲକର ଶିକ୍ଷକ ତ୍ରିନାଥ ପାତ୍ର, ୨୫୫ରେ ଥିବା ଏସ. କଟେସ ଚନ୍ଦ୍ର ପାତ୍ର, ୨୫୯ରେ ଥିବା ବସନ୍ତ କୁମାର ପାଣିଗ୍ରାହୀ, ୧୨୬ରେ ଥିବା ସତ୍ୟ ନାରାୟଣ ପାତ୍ର, କ୍ରମିକ ସଂଖ୍ୟା ୩୮ରେ ରାୟଗଡ଼ା ବ୍ଲକର କାଶୀନାଥ ମିଶ୍ର, ୩୦୮ରେ ଥିବା ଜ୍ୟୋସ୍ନା ମହାପାତ୍ର, ୫୭୮ରେ ଥିବା ରାଜ କିଶୋର ପଟ୍ଟନାୟକ, ୬୧୪ରେ ଥିବା ରଶ୍ମିତା ପଟ୍ଟନାୟକ, ୬୨୫ରେ ଥିବା ସୁଶାନ୍ତ ସ୍ବାଇଁ, ୬୨୬ରେ ଥିବା କନିକା ଶତପଥୀ, କ୍ରମିକ ସଂଖ୍ୟା ୨୩୭, ୨୬୯, ୩୨୮ ଓ ୧୩୭ ରେ ଥିବା ଶିକ୍ଷୟିତ୍ରୀ, ଶିକ୍ଷକ ଯଥାକ୍ରମେ ମାୟାଧର ପାଢ଼ୀ, ଫୁଲମୋତି ମୁଦୁଲି, ନିଳିମା ପଟନାୟକ ଓ ଯୋଗେଶ୍ୱର ସାହୁ ସ୍ଥାନ ପାଇଛନ୍ତି। ସେହିପରି ରାୟଗଡା ପୌର ପରିଷଦ, କୋଲନରା, ପଦ୍ମପୁର, ବିଷମକଟକ, ଗୁଣପୁର, ଗୁଡାରି ବ୍ଲକର ବହୁ ଶିକ୍ଷକ, ଶିକ୍ଷୟିତ୍ର ତାଲିକାର ବିଭିନ୍ନ ସ୍ଥାନରେ ସ୍ଥାନ ପାଇଛନ୍ତି। ତେଣୁ ଚୂଡାନ୍ତ ତାଲିକାକୁ ପ୍ରସ୍ତୁତ କରିବା ପୂର୍ବରୁ ଉକ୍ତ ତାଲିକାର ପୁନଃ ଯାଞ୍ଚ କରାଗଲେ ଆହୁରି ଅନେକ ତ୍ରୁଟି ବାହାରିବା ନେଇ ରାୟଗଡା ଜିଲ୍ଲା ବିଏଡ଼ ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସଂଘର ସଭାପତି ପ୍ରକାଶ ଚନ୍ଦ୍ର ରଥ, ସମ୍ପାଦକ ପ୍ରଭାତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।