ରେଳ ବିଭାଗର ଆନ୍ଧ୍ର ପ୍ରୀତି: ଇଷ୍ଟକୋଷ୍ଟ୍ ରେଲୱେରୁ ବାଦ୍ ପଡ଼ିଲା ରାୟଗଡ଼ା ଡିଭିଜନ

ଡିପିଆର୍ ଦେଇଛି ଇଷ୍ଟକୋଷ୍ଟ୍ ରେଲୱେ ଡିଭିଜନ
ଦକ୍ଷିଣ ଉପକୂଳ ଜୋନ୍ ପାଇଁ ବଜେଟରେ ମଞ୍ଜୁରି
ସାଂଘାତିକ ଷଡ଼୍‌ଯନ୍ତ୍ର ବିରୋଧରେ ଓଡ଼ିଶା ସରକାର ଚୁପ୍

ରାୟଗଡ଼ା : ରେଳ ବିଭାଗର ଆନ୍ଧ୍ର ପ୍ରୀତି। ସାଂଘାତିକ ଷଡ଼୍‌ଯନ୍ତ୍ରର ଶିକାର ହୋଇଛି ରାୟଗଡ଼ା ରେଳ ଡିଭିଜନ। ରାୟଗଡ଼ା ନୂଆ ଡିଭିଜନ ପାଇଁ ଡିପିଆର୍ (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ଦାଖଲ କରିଛି ଇଷ୍ଟକୋଷ୍ଟ୍ ରେଲୱେ। କିନ୍ତୁ ବଜେଟରେ ଏହି ଡିଭିଜନକୁ ଆନ୍ଧ୍ରର ଦକ୍ଷିଣ ଉପକୂଳ ରେଲୱେ ଡିଭିଜନ ଜୋନ୍‌ ଅଧୀନରେ ରହିବାକୁ ମିଳିଛି ମଞ୍ଜୁରି। ଫଳରେ ଇଷ୍ଟକୋଷ୍ଟ୍ ରେଲୱେରୁ ରାୟଗଡ଼ା ଡିଭିଜନ ବାଦ୍ ପଡ଼ିବା ସ୍ପଷ୍ଟ ହୋଇଯାଇଛି। ଆନ୍ଧ୍ରର ଏପରି ସାଂଘାତିକ ଷଡ଼୍‌ଯନ୍ତ୍ର ବିରୋଧରେ ଓଡ଼ିଶା ସରକାର ଚୁପ୍ ଥିବାରୁ ଦକ୍ଷିଣ ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

୨୦୧୯ ଜୁଲାଇ ୧୭ ତାରିଖରେ ରାୟଗଡ଼‌ାରେ ନୂଆ ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲା ରେଳ ମନ୍ତ୍ରାଳୟ। ଦକ୍ଷିଣ-ପଶ୍ଚିମ ଓଡ଼ିଶାର ବିକାଶ, ପଛୁଆ ଅଞ୍ଚଳକୁ ରେଳପଥ ସଂଯୋଗ, ଅର୍ଥନୈତିକ ଅଭିବୃଦ୍ଧି ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଥିଲେ। ନୂଆ ଡିଭିଜନ୍ କାର୍ଯ୍ୟକାରୀ ପାଇଁ ୨୦୨୦-୨୧ ରେଳ ବଜେଟରେ ଇଷ୍ଟକୋଷ୍ଟ ରେଲୱେ ୧୭୦ କୋଟି ଟଙ୍କାର ଡିପିଆର୍ ଦାଖଲ କରିଥିଲା। ହେଲେ ଆଜି ସୁଦ୍ଧା ଏହି ଡିଭିଜନ ପାଇଁ ମିଳିଛି ମାତ୍ର ମାତ୍ର ୩ କୋଟି ୪୦ ଲକ୍ଷ ଟଙ୍କା। ଆରମ୍ଭରୁ ହିଁ ରାୟଗଡ଼ା ରେଳ ଡିଭିଜନକୁ ଆନ୍ଧ୍ର ବିରୋଧ କରି ଆସୁଥିବାରୁ ଘୋଷଣାର ଅଢ଼େଇ ବର୍ଷ ପରେ ବି ଏହି ଡିଭିଜନ୍ ଭୂଇଁରୁ ଉଠିପାରୁନି। ଇଷ୍ଟକୋଷ୍ଟ୍ ରେଲୱେର ବିଶାଖାପାଟଣାସ୍ଥିତ ୱାଲଟିୟର ଡିଭିଜନକୁ ବାର୍ଷିକ ସିଂହଭାଗ ରାଜସ୍ବ ପ୍ରଦାନ କରି ଆସୁଛି କୋରାପୁଟ-ରାୟଗଡ଼ା, କୋରାପୁଟ-ବଇଲାଡିଲା-କିରଣ୍ଡୁଲ-ବାଚେଲି ରେଳପଥ। ଓଡ଼ିଶା-ଛତିଶଗଡ଼ରେ ଥିବା ଏହି ଅଞ୍ଚଳ ବକ୍ସାଇଟ୍ ସହ ବିଭିନ୍ନ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଓ ଶିଳ୍ପ ସମୃଦ୍ଧ। କୋରାପୁଟ-ରାୟଗଡ଼ା, କୋରାପୁଟ-ବିଶାଖାପାଟଣା ରୁଟ୍ ଦେଇ ବିଶାଖାପାଟଣାକୁ ପ୍ରତିଦିନ ଶହେରୁ ଊର୍ଦ୍ଧ୍ବ ମାଲବାହୀ ଟ୍ରେନ୍ ଚଳାଚଳ କରୁଛି।

ଅନ୍ୟପକ୍ଷରେ, ବିଶାଖାପାଟଣା ରେଲୱେ ଡମ୍ପିଂୟାର୍ଡରୁ ବନ୍ଦରକୁ ମାଲ ସ୍ଥାନାନ୍ତର ପାଇଁ ‌ଶହ ଶହ ଟ୍ରକ୍ ଓ ଟିପ୍ପର ନିୟୋଜିତ ହୋଇଛି। ଲୋଡିଂ, ଅନଲୋଡିଂ କ୍ଷେତ୍ରଠୁ ଆରମ୍ଭ କରି ରେଳ ବିଭାଗର ବହୁ ଲାଭଜନକ କାର୍ଯ୍ୟକୁ ଆନ୍ଧ୍ର ଠିକାଦାର ହାତେଇଛନ୍ତି। ପୂର୍ବରୁ ଏହି ରେଳପଥ ୱାଲଟିୟର ଡିଭିଜନ ଅଧୀନରେ ଥିଲା। ରାୟଗଡ଼ା ନୂଆ ଡିଭିଜନ ଘୋଷଣା ପରେ ଏହି ରେଳପଥ ରାୟଗଡ଼ା ଡିଭିଜନ ଅଧୀନକୁ ଆସିଛି। ରାୟଗଡ଼ା ଡିଭିଜନ କାର୍ଯ୍ୟକାରୀ ପରେ ରାୟଗଡ଼ା-ଗୋପାଳପୁର ଶିଳ୍ପ କରିଡର ରେଳପଥ କାମକୁ ତ୍ବରାନିତ କରି ବିଶାଖାପାଟଣା ବଦଳରେ ସିଧାସଳଖ ଗୋପାଳପୁର ବନ୍ଦରରୁ ଅନ୍ୟ ଦେଶ ଓ ରାଜ୍ୟକୁ ମାଲ ପରିବହନ ଯୋଜନା ହୋଇଛି। ଫଳରେ ଆନ୍ଧ୍ର ପ୍ରତିବର୍ଷ ରେଳ ସହ ସଡ଼କ ଓ ପରିବହନ କ୍ଷେତ୍ରରେ ଶହ ଶହ କୋଟିର ରାଜସ୍ବ ହରାଇବ। ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ରେଳବିଭାଗ ଉପରେ ପ୍ରଭାବ ବିସ୍ତାର କରିବାରେ ଲାଗିଛି। ଯାହାଫଳରେ, ୨୦୨୦-୨୧ ରେଳ ବଜେଟ୍‌ରେ ରେଲୱେ ବୋର୍ଡ ନୂଆ ଦକ୍ଷିଣ ଉପକୂଳ ରେଲୱେ ଡିଭିଜନ୍ ଜୋନ ଗଠନ କରି ଇଷ୍ଟକୋଷ୍ଟ୍ ରେଲୱେ ଅଧୀନରୁ ବିଶାଖାପାଟଣା ୱାଲଟିୟର ଡିଭିଜନକୁ ଅଲଗା କରିଛି। ଦକ୍ଷିଣ ଉପକୂଳ ରେଲୱେ ଡିଭିଜନ ଜୋନର ମୁଖ୍ୟାଳୟ ବିଶାଖାପାଟଣାରେ ସ୍ଥାପନ ପାଇଁ ବଜେଟରେ ମଞ୍ଜୁରି ମିଳିଥିବା ବେଳେ ରାୟଗଡ଼ା ନୂଆ ରେଳ ଡିଭିଜନ ଏହା ଅଧୀନରେ ରହିବ।

The Hans India

ରାୟଗଡ଼ା ନୂଆ ଡିଭିଜନ କାର୍ଯ୍ୟକାରୀ ହେଲେ ଓଡ଼ିଶା-ଆନ୍ଧ୍ର-ଛତିଶଗଡ଼ରେ ଥିବା ୮୪ଟି ଷ୍ଟେସନ ସହ ୫୮୫ କିମି ରେଳପଥ ୱାଲଟିୟର ଡିଭିଜନରୁ ରାୟଗଡ଼ାକୁ ଆସିବ। ଆଗାମୀଦିନରେ ଆଉ ୩୬୩ କିମି ରେଳପଥ ରାୟଗଡ଼ା ଡିଭିଜନରେ ମିଶ୍ରଣ ହେବ। ରାୟଗଡ଼ା ଡିଭିଜନ ଅଧୀନରେ ବର୍ତ୍ତମାନ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ରେଳପଥ ନିର୍ମାଣାଧୀନ ରହିଛି। ସେହିପରି ପ୍ରସ୍ତାବିତ ଏବଂ ସର୍ଭେ ସରିଥିବା ମାଲକାନଗିରି-ଦାନ୍ତେୱାଡ଼ା, ଥେରୁବାଲି-ଗୁଣପୁର, ରାୟଗଡ଼ା-ଗୋପାଳପୁର, ଗୁଣପୁର-ଗୁମୁଡ଼ା (ପାର୍ବତୀପୁର), କଣ୍ଟାବାଞ୍ଜି-ରାଜଖରିଆର-ଆମପାଣି, ନବରଙ୍ଗପୁର-ଜୟପୁର, ଜୁନାଗଡ଼-ଜୟପୁର, ମାଲକାନଗିରି-ଭଦ୍ରାଞ୍ଚଳମ, ଜୁନାଗଡ଼-ଶିକରପାଇ ରେଳପଥ ଭଳି ବହୁ ନୂଆ ପ୍ରକଳ୍ପ ରହିଛି। ଯାହା ଶିଳ୍ପ କରିଡରର ବିକାଶ ସହ ରାଜସ୍ବ ଆଦାୟରେ ବେଶ୍ ସହାୟକ ହେବାକୁ ଥିବାରୁ ଆନ୍ଧ୍ର ଏପରି ଷଡ଼୍‌ଯନ୍ତ୍ର କରିଥିବା ଜଣା ପଡ଼ିଛି। ସୂଚନା ଅଧିକାର ଆଇନ ବଳରେ ସୂଚନାଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ହସ୍ତଗତ ହୋଇଥିବା ତଥ୍ୟରୁ ଏହି ଷଡ଼୍‌ଯନ୍ତ୍ର ସାମ୍‌ନାକୁ ଆସିଛି।

ସମ୍ବନ୍ଧିତ ଖବର