ଜୟପୁର: ଜଳସେଚନ ଅଭାବରୁ ପଡ଼ିଆ ପଡିଥିଲା ୧୦ ଏକର ଜମି। ବର୍ଷା ଛାଡିଲେ ଅନ୍ୟ ଋତୁରେ ଦୁବଟିଏ କଅଁଳୁନଥିଲା। ଜୀବିକା ନିର୍ବାହ ପାଇଁ ଅନ୍ୟ କୌଣସି ପନ୍ଥା ନଥିବାରୁ ଜମିକୁ ଜଳ ଯୋଗାଣ ଲାଗି ପ୍ରଶାସନକୁ ନେହୁରା ହୋଇ ଆସୁଥିଲେ ଚାଷୀ। ମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳଙ୍କୁ ଗୁହାରି କରି ଥକିବା ପରେ ଶେଷରେ ନିଜେ ଶ୍ରମ ଦାନ କରି ୨ କିମି ପାହାଡ ଖୋଳି ପାଇପ ସାହାର୍ଯ୍ୟରେ ଜମିକୁ ଆଣିଛନ୍ତି ପାଣି। ପ୍ରଶାସନର ଅଣଦେଖା ପରେ ନିଜ ଦୁଃଖ ନିଜେ ହରିଥିବା ଏହି ଚାଷୀ ହେଉଛନ୍ତି ଅନନ୍ତ କୁଲେସିକା।
ରାୟଗଡ଼ା ଜିଲ୍ଲା ଗୁମ୍ମା ପଞ୍ଚାୟତ ହାଡିଆ ଗ୍ରାମରେ ପରିବାର ସହ ବସବାସ କରି ଆସୁଛନ୍ତି ଚାଷୀ ଅନନ୍ତ। କୁସୁମଗୁଡା ଗ୍ରାମ ନିକଟରେ ଅନନ୍ତଙ୍କ ୧୦ ଏକର ଜମି ରହିଛି। ପାହାଡିଆ ଇଲାକା ଯୋଗୁ ଜମିକୁ ଜଳସେଚନର କୌଣସି ସୁବିଧା ନାହିଁ। ଫଳରେ ବର୍ଷା ଦିନକୁ ଛାଡିଲେ ଅନ୍ୟ କୌଣସି ଋତୁରେ ଜମିରେ ଚାଷ କାର୍ଯ୍ୟ ହୋଇପାରୁନଥିଲା। ପାଣି ଅଭାବରୁ ଧାନ ଚାଷ ହୋଇପାରୁନଥିବାରୁ ଜଳଯୋଗାଣ ବ୍ୟବସ୍ଥା କରିବା ଲାଗି ଅନନ୍ତ ବାରମ୍ବାର ଲୋକ ପ୍ରତିନିଧି ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ବିଫଳ ହୋଇଥିଲେ। ନିରାଶ ଅନନ୍ତ ଶେଷରେ ଗାଁଠୁ କିଛି ଦୂରରେ ବହି ଯାଇଥିବା ନାଳପାଣିକୁ ଜମିରେ ମଡାଇବାକୁ ଯୋଜନା କରିଥିଲେ। ଭଡାସୂତ୍ରରେ ପାଣି ପମ୍ପ ଆଣି ନାଳରେ ସଂଯୋଗ କରିଥିଲେ। କିନ୍ତୁ ନାଳଠାରୁ ଜମିର ଉଚ୍ଚତା ଅଧିକ ଥିବାରୁ ପାଣି ଜମିକୁ ମାଡି ପାରିଲା ନାହିଁ। ବାରମ୍ବାର ପାଣି ପମ୍ପ ଖରାପ ହେଲା। ଫଳରେ ପାଣି ପମ୍ପ ସଜାଡିବା ଓ ଭଡା ଅର୍ଥ ଯୋଗାଡ କରିବା ଅନନ୍ତଙ୍କ ପକ୍ଷେ କଷ୍ଟସାଧ୍ୟ ହେଲା।
ଦୁଇ କିମି ଦୂରରେ ଥିବା ପାହାଡରୁ ଅନବରତ ପାଣି ଝରୁଥିବାରୁ ପାଇପ ମାଧ୍ୟମରେ ଜମିକୁ ଆଣିବା ପାଇଁ ପୁଣି ଯୋଜନା କରିଥିଲେ। ଜନା, ମକା ଓ ମଣ୍ଡିଆ ବିକି ସଞ୍ଚୟ କରିଥିବା ୩୭ ହଜାର ଟଙ୍କା ବ୍ୟୟ କରି ପାଣି ପାଇପ୍ କିଣିଥିଲେ। ଏହା ପରେ ୪ ଦିନ ଅକ୍ଲାନ୍ତ ପରିଶ୍ରମ କରି ଅନନ୍ତ ଶାବଳ, କୋଡି ଧରି ୨ କିମି ପାହାଡ ଖୋଳିଥିଲେ। ଖୋଳା ଶେଷ ହେବା ପରେ ପାହାଡରୁ ଝରୁଥିବା ପାଣିକୁ ପାଇପ୍ ମାଧ୍ୟମରେ କାଠଭାର ସାହାର୍ଯ୍ୟରେ ଜମିରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ ଅନନ୍ତ। ଜମିରେ ପାଣି ପହଞ୍ଚିବା ପରେ ଦୀର୍ଘ ଦିନର ଆଶା ପୂରଣ ହେବା ସହ ଚାଷ କାର୍ଯ୍ୟ ଏବେ ସ୍ବାଭାବିକ ହୋଇଛି। ବର୍ତ୍ତମାନ ଜମିରେ ପନିପରିବା ସହ ଆଳୁ, ପିଆଜ ଚାଷ କରିଛନ୍ତି ଅନନ୍ତ। ଅନ୍ୟପକ୍ଷରେ ଦୀର୍ଘ ଦିନ ଧରି କୁସୁମଗୁଡା ଗ୍ରାମବାସୀ ଜଳକଷ୍ଟ ଭୋଗୁଥିବା ବେଳେ ଏବେ ଗାଁରୁ ପାଣି ସମସ୍ୟା ଦୂର ହୋଇଛି। ପାଣିକୁ ଗ୍ରାମବାସୀ ପାନୀୟ ଜଳ ଭାବେ ଗ୍ରହଣ କରିବା ସହ ପନିପରିବା ଚାଷ କାର୍ଯ୍ୟରେ ମଧ୍ୟ ବ୍ୟବହାର କରୁଛନ୍ତି। ପୂର୍ବରୁ ଗ୍ରାମବାସୀ ନାଳର ଦୂଷିତ ପାଣି ପିଇ ନାନା ରୋଗର ଶିକାର ହେଉଥିଲେ। ଆଦିବାସୀ ଯୁବକ ଅନନ୍ତଙ୍କ ଏପରି ପ୍ରଚେଷ୍ଟା ଏହି ଅଞ୍ଚଳର ଚାଷୀଙ୍କ ପାଇଁ ପ୍ରେରଣା ସଦୃଶ୍ୟ ହୋଇଛି।