ଯାତାୟାତ ଉପରେ ରୋକ୍ ଲଗାଇଲା ପ୍ରଶାସନ
ସରକାରୀ ଅଧିକାରୀ, ଜନସାଧାରଣଙ୍କୁ ଗଞ୍ଜାମ ମନା
ନିୟମ ଉଲ୍ଲଂଘନ କଲେ ନିଜ ଖର୍ଚ୍ଚରେ ୭ ଦିନ କ୍ବାରାଣ୍ଟିନରେ ରହିବେ
ରାୟଗଡ଼ା : ଗଞ୍ଜାମ କୋଭିଡ଼୍ ଆକ୍ରାନ୍ତଙ୍କ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ପରେ ଚେତିଛି ପ୍ରଶାସନ। ଦିନକୁ ଦିନ ଜିଲ୍ଲା ସ୍ଥିତି ଅଣାୟତ୍ତ ହେବାରେ ଲାଗିଥିବାରୁ ନିୟନ୍ତ୍ରଣ ପାଇଁ ଉଭୟ ଜିଲ୍ଲାକୁ ଯାତାୟାତ ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦେଶରେ ଆଜି ଗଞ୍ଜାମ-ରାୟଗଡ଼ା ସୀମାକୁ ସିଲ୍ କରାଯାଇଛି। ପ୍ରବେଶ ପଥରେ ନାକା ଲଗାଇବା ସହ ଯାଞ୍ଚକୁ କଡାକଡ଼ି କରିବାକୁ ପୁଲିସକୁ ନିର୍ଦେଶ ହୋଇଛି। ମେଡ଼ିକାଲ୍ ଓ ଜରୁରି କାମ ବିନା ଅନ୍ୟ କୌଣସି କାମରେ ଉଭୟ ଜିଲ୍ଲା ମଧ୍ୟରେ ଯାତାୟାତକୁ ନିଷେଧ କରାଯାଇଛି। ଏପରିକି ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ବ୍ରହ୍ମପୁର, ଭୁବନେଶ୍ବର, କଟକରୁ ରାୟଗଡ଼ାକୁ ଚଳାଚଳ କରୁଥିବା ସରକାରୀ ଓ ବେସରକାରୀ ବସ୍ ଚଳାଚଳ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।
ଗଞ୍ଜାମରୁ ରାୟଗଡ଼ା ଆସୁଥିବା ବ୍ୟକ୍ତି ଓ ଜନସାଧାରଣ ରାୟଗଡ଼ା, ଗୁଣପୁର ଉପଜିଲ୍ଲାପାଳଙ୍କ ଅନୁମତି ପରେ ହିଁ ଆସିବାକୁ ନିର୍ଦେଶ ହୋଇଛି। ଆଇନ ଉଲ୍ଲଂଘନ କରି କୌଣସି ବ୍ୟକ୍ତି ଆସିଥିବା ଜଣା ପଡ଼ିଲେ ସରକାରଙ୍କ ଦ୍ବାରା ପରିଚାଳିତ କ୍ବାରାଣ୍ଟିନ୍ ସେଣ୍ଟରରେ ୭ ଦିନ ରହିବା ବାଧ୍ୟତାମୂଳକ କରାଯାଇଛି। କ୍ବାରାଣ୍ଟିନ୍ ସମୟରେ ଉକ୍ତ ବ୍ୟକ୍ତି ନିଜ ଆୟୋଜନରେ ଖାଇବା ଖର୍ଚ୍ଚ ବୁଝିବାକୁ ନିର୍ଦେଶନାମାରେ ଉଲ୍ଲେଖ ଅଛି। କୌଣସି ସରକାରୀ ଅଧିକାରୀ ମଧ୍ୟ ଗଞ୍ଜାମକୁ ଯାଇ ପାରିବେନି ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଜରୁରି ସରକାରୀ କାମରେ ଯିବାକୁ ଚାହୁଁଥିବା ଅଧିକାରୀ ନୋଡାଲ୍ ଅଧିକାରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକଙ୍କ ଜରିଆରେ ଜିଲ୍ଲାପାଳଙ୍କଠାରୁ ଅନୁମତି ନେବା ପରେ ଯାଇପାରିବେ। ମେଡ଼ିକାଲ୍ ଗାଡ଼ି, ମାଲବାହୀ ଗାଡ଼ି ଓ କୃଷିଜାତ ଦ୍ରବ୍ୟ ଓ ଶିଳ୍ପ ସଂସ୍ଥା ସାମଗ୍ରୀ ପରିବହନ କରୁଥିବା ଯାନବାହନକୁ ସରକାରୀ କଟକଣାରୁ ବାଦ୍ ଦିଆଯାଇଛି। ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ନାକା ଲଗାଇବାକୁ ଜିଲ୍ଲାପାଳ ଶ୍ରୀ ବେହେରା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମଙ୍କୁ ନିର୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦେଶ ପରେ ସୀମାନ୍ତ ଗଞ୍ଜାମ, ଗଜପତି, କନ୍ଧମାଳକୁ ସଂଯୋଗ କରୁଥିବା କେନ୍ଦୁଗୁଡ଼ା, ମୁନିଗୁଡ଼ା, ଗୁଣପୁର ସୀମାନ୍ତରେ ଯାଞ୍ଚ କଡାକଡ଼ି କରାଯାଇଛି।
ସୂଚନାଯୋଗ୍ୟ, ଗଞ୍ଜାମରୁ ପ୍ରତିଦିନ ବହୁ ଲୋକ ରାୟଗଡ଼ାକୁ ଆସୁଥିବା ବେଳେ ଜୁନ୍ ୨୫ ତାରିଖରେ ଆସିଥିବା ୮୦ ବର୍ଷିୟ ବୃଦ୍ଧଙ୍କ କରୋନାରେ ଜୁନ୍ ୩୦ ତାରିଖରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ସତର୍କ ହେବା ସହ ସୀମା ସିଲ୍ କରି କଟକଣା ଜାରି କରିଛି। ସେପଟେ ଗଞ୍ଜାମ ସ୍ଥିତି ଅଣାୟତ୍ତ ଯୋଗୁ ଆଜି ପୂର୍ବାହଣରେ ଗଞ୍ଜାମ-ଖୋର୍ଦ୍ଧା ସୀମାନ୍ତ ସିଲ୍ କରିଥିଲେ ରାଜ୍ୟ ସରକାର। ଗଞ୍ଜାମର କୌଣସି ଲୋକ ଭୁବନେଶ୍ବର ଆସିବା ଉପରେ ରୋକ୍ ଲଗାଇଥିଲେ ସରକାର। ରୋକ୍ ପରେ ରାଜ୍ୟ ପୁଲିସ୍ ମହାନିର୍ଦେଶକ ଅଭୟ କୁମାର ତତ୍କାଳ ଗଞ୍ଜାମ ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/RGD_Ganjam-Border-Seal-f.jpg)