କେ. ଶିବ ପ୍ରସାଦ ଦୋରା
ରାୟଗଡ଼ା: ଖଣି ଖାଦାନରେ ପରିପୂର୍ଣ୍ଣ ରତ୍ନଗର୍ଭା ରାୟଗଡ଼ା। ସରକାର ଗୋଟିଏ ପରେ ଗୋଟିଏ କମ୍ପାନିକୁ ରାୟଗଡ଼ାରେ ପ୍ରବେଶ ଅନୁମତି ଦେବା ସହ ଖଣି ଲିଜ୍ ପ୍ରଦାନ କରୁଛନ୍ତି। ଯାହା ଶିଳ୍ପ କ୍ଷେତ୍ରରେ ଜିଲ୍ଲାକୁ ସମୃଦ୍ଧ କରିଛି। ଜିଲ୍ଲାର ପ୍ରାକୃତିକ ସମ୍ପଦ, ଖଣି ଖାଦାନକୁ ବିନିଯୋଗ କରି ସରକାର ବାର୍ଷିକ ହଜାର ହଜାର କୋଟି ଟଙ୍କା ରାଜସ୍ବ ପାଉଛନ୍ତି। କିନ୍ତୁ ପ୍ରାକୃତିକ ଓ ଖଣିଜ ସମ୍ପଦକୁ ପିଢ଼ି ପରେ ପିଢ଼ି ସୁରକ୍ଷା ଦେଇ ଆସୁଥିବା ଜିଲ୍ଲାର ମୂଳ ଅଧିବାସୀଙ୍କ ଭାଗ୍ୟ ବଦଳି ପାରୁନି।
୧୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାରେ ୬୦ ପ୍ରତିଶତ ଅନୁସୂଚିତ ଜନଜାତି, ୧୫ ପ୍ରତିଶତ ଅନୁସୂଚିତ ଜାତି ଓ ୨୫ ପ୍ରତିଶତ ସାଧାରଣ ବର୍ଗର ଲୋକ ବାସ କରୁଛନ୍ତି। ସେଥିମଧ୍ୟରୁ ୧୫ ପ୍ରତିଶତ ଲୋକ ସହରରେ ଏବଂ ୮୫ ପ୍ରତିଶତ ଗ୍ରାମାଞ୍ଚଳରେ ବାସ କରୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ବ୍ୟବସ୍ଥାରେ ସୁଧାର ଆଣିବାକୁ ଚାଲିଛି ପ୍ରୟାସ। ସରକାରୀ ଯୋଜନାରେ ଖର୍ଚ୍ଚ ହେଉଛି ଅନୁଦାନ। ହେଲେ ବିକାଶ ଆଶାନୁରୂପ ହୋଇପାରୁ ନ ଥିବାରୁ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ରାୟଗଡ଼ା ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ରୂପେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନିୟମଗିରିକୁ ଆଦର୍ଶ ଗ୍ରାମରେ ପରିଣତ କରିବାକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେଠାରେ ଶିକ୍ଷା ସ୍ଥିତି ଉତ୍ସାହଜନକ ନୁହେଁ। ମହିଳାଙ୍କ ସାକ୍ଷରତା ହାର ୩୫ ପ୍ରତିଶତ ଥିବାବେଳେ ପୁରୁଷଙ୍କ ହାର ରହିଛି ୫୦ ପ୍ରତିଶତ। ପୋଷଣଯୁକ୍ତ ଖାଦ୍ୟ ଅଭାବରୁ ୫୦ ପ୍ରତିଶତରୁ ଊର୍ଦ୍ଧ୍ବ ମହିଳା ରକ୍ତହୀନତାର ଶିକାର। ମ୍ୟାଲେରିଆ ଆକ୍ରାନ୍ତରେ ରାଜ୍ୟରେ ୧ ନମ୍ବର ସ୍ଥାନରେ ରାୟଗଡ଼ା। ଶିଶୁ ଓ ମାତୃ ମୃତ୍ୟୁହାର ମଧ୍ୟ ଅଧିକା। ୫୦୦ରୁ ଅଧିକ ଗ୍ରାମକୁ ଗମନାଗମନ ସୁବିଧା ନାହିଁ। ଯେଉଁ ଜାତୀୟ ଓ ରାଜ୍ୟ ରାଜପଥ ଅଛି ତା ଅବସ୍ଥା ଏତେ କଦର୍ଯ୍ୟ ଯେ, ଅଙ୍ଗେ ନିଭାଇଥିବା ବ୍ୟକ୍ତି ହିଁ ଜାଣିଛି। ନଦୀ, ନାଳ ଯୋଗୁଁ ବର୍ଷା ଦିନେ ୨୦୦ରୁ ଊର୍ଦ୍ଧ୍ବ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଛି।
ଜିଲ୍ଲାର ଅଧିକାଂଶ ଜନସାଧାରଣ ସରକାରୀ ଯୋଜନା ଉପରେ ନିର୍ଭରଶୀଳ। ଟଙ୍କିକିଆ ଚାଉଳ ଅଧିକାଂଶ ଲୋକଙ୍କ ବଞ୍ଚିବାର ମାଧ୍ୟମ। ୧୯୩୬ରେ ଜିଲ୍ଲାରେ ପ୍ରତିଷ୍ଠା ହୋଇଥିଲା ଓଡ଼ିଶାର ପ୍ରଥମ ଶିଳ୍ପ। ପରେ ଇମ୍ଫା ଫେରୋ ମାଙ୍ଗାନିଜ, ଜେକେ କାଗଜ କଳ, ଜେଏସ୍କୋ ଫେରୋ ମାଙ୍ଗାନିଜ, ଆଦିତ୍ୟ ବିର୍ଲା ଗ୍ରୁପର ଆଲୁମିନା ରିଫାଇନାରୀ ପ୍ରତିଷ୍ଠା ହୋଇଛି। ୮ ହଜାର କୋଟି ବିନିଯୋଗରେ ଆଦିତ୍ୟ ବିର୍ଲା ଗ୍ରୁପ ତାର ଦ୍ବିତୀୟ ରିଫାଇନାରୀ କଂସାରିଗୁଡ଼ାରେ ପ୍ରତିଷ୍ଠା କରିବାକୁ ଯାଉଛି। ଆଗକୁ କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକ୍ରେ ଆଦାନୀକୁ ବକ୍ସାଇଟ୍ ଖଣି ପ୍ରଦାନ ସହ ଭବିଷ୍ୟତରେ ଶିଳ୍ପ ପ୍ରତିଷ୍ଠା ଓ ଲାଞ୍ଜିଗଡ଼ରେ ଚାଲିଥିବା ବେଦାନ୍ତର ଆଲୁମିନୟମ କାରଖାନା ପାଇଁ ରାୟଗଡ଼ା ଜିଲ୍ଲାରେ ଖଣି ପ୍ରଦାନ କରାଯାଇଛି। ଜିଲ୍ଲାର ୧୧ ବ୍ଲକ୍ରେ କିଛି ନା କିଛି ଖଣିଜ ସଂପଦ ରହିଛି। କାଶୀପୁର, ରାୟଗଡ଼ା, କଲ୍ୟାଣସିଂହପୁର, ମୁନିଗୁଡ଼ା ବ୍ଲକରେ ଉନ୍ନତମାନର ବକ୍ସାଇଟ, ମାଙ୍ଗାନିଜ ଓ ଗ୍ରାଫାଇଟ୍ ଭରପୂର। ସବୁଠୁ ଅଧିକା ଖଣି ଥିବା କାଶୀପୁର ବ୍ଲକ ବିକାଶ କ୍ଷେତ୍ରରେ ସବୁଠୁ ପଛରେ ପଡ଼ିଛି। କାଶୀପୁର ବ୍ଲକର ମୂଳ ଅଧିବାସୀ କେତେବେଳେ ଖାଦ୍ୟାଭାବ ତ କେତେବେଳେ ଅଖାଦ୍ୟ ଖାଇ ମୃତ୍ୟୁର ଶିକାର ହେଉଛନ୍ତି। ଦୁଇ ବିଶେଷ ଜନଜାତି ନିୟମଗିରିର ଡଙ୍ଗରିଆ କନ୍ଧ ଓ ପୁଟାସିଂର ଲାଞ୍ଜିଆ ସୌରା ବିକାଶଠୁ ବହୁ ଦୂରରେ ଥିବା ବେଳେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ମିଳୁପାରୁନି ଉଚିତ ମୂଲ୍ୟ।