ଜଗନ୍ନାଥ ମନ୍ଦିର ଇତିହାସରେ ପ୍ରଥମ : ହେରା ପଞ୍ଚମୀରେ ମିଳିଲାନି ମହାଜନୀ ଭୋଗ

ଅସନ୍ତୋଷ ପ୍ରକାଶ କଲେ ୧୮୦ ସେବାୟତ ପରିବାର
କରୋନା ନାଁରେ ହାତ ଟେକିଦେଲା ଦେବୋତ୍ତର ବିଭାଗ

ରାୟଗଡ଼ା : କରୋନା କଟକଣା ପାଇଁ ରଥଯାତ୍ରାରେ ଅଲଗା ହୋଇଗଲେ ଭକ୍ତ-ଭଗବାନ। ରଥ ଟଣା ତ ଦୂରର କଥା ମିଳିଲାନି ଚର୍ତୁଧାମୂର୍ତ୍ତିଙ୍କ ଦର୍ଶନ। ମନ୍ଦିର ବେଢ଼ା ଭିତରେ ନୀତିକାନ୍ତି କରିବାକୁ କୋର୍ଟ ନିର୍ଦେଶ ଦେଇଥିବାରୁ ସୀମିତ ସେବାୟତଙ୍କୁ ମିଳିଲା ପ୍ରବେଶ ଅନୁମତି। ଏତିକିରେ ସରିଲାନି କଥା, ରଥଯାତ୍ରାର ପ୍ରମୁଖ ନୀତି ମଧ୍ୟରୁ ହେରା ପଞ୍ଚମୀରେ ଠାକୁରଙ୍କ ପାଖରେ ଲାଗି ହେଉଥିବା ‘ମହାଜନୀ ଭୋଗ’ ଚଳିତ ବର୍ଷ ମିଳିଲାନି ସେବାୟତ ପରିବାରଙ୍କୁ। କରୋନା ଆଳ ଦେଖାଇ ଦେବୋତ୍ତର ବିଭାଗ ଅଧିକାରୀ ହାତ ଟେକି ଦେବା ପରେ ଠାକୁରଙ୍କ ଭୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି ସେବାୟତ। ଜଗନ୍ନାଥ ମନ୍ଦିର ଇତିହାସରେ ପ୍ରଥମ ଥର ଏପରି ହୋଇଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ।

Wikipedia

୩ ଶହ ବର୍ଷ ପୁରୁଣା ରାୟଗଡ଼ା ଜଗନ୍ନାଥ ମନ୍ଦିର। ଶ୍ରଦ୍ଧା ଶ୍ରୀକ୍ଷେତ୍ର ଭାବେ ପରିଚିତ ରାୟଗଡ଼ାର ଜଗନ୍ନାଥ ସଂସ୍କୃତି ଓ ରଥଯାତ୍ରା ମଧ୍ୟ ଅନନ୍ୟ। ଅବିଭକ୍ତ କୋରାପୁଟ ଜିଲ୍ଲାର ଶାବର ଶ୍ରୀକ୍ଷେତ୍ର ପରେ ରାୟଗଡ଼ା ମନ୍ଦିରର ଗୁରୁତ୍ବ ରହିଛି। ରାଜ ରାଜୁଡ଼ା ଅମଳରେ ରାଜାଙ୍କ ଦ୍ବାରା ମନ୍ଦିର ପରିଚାଳିତ ହେଉଥିବା ବେଳେ ଏବେ ଦେବୋତ୍ତର ବିଭାଗ ମନ୍ଦିର ପରିଚାଳନା ଦାୟିତ୍ବ ନିଜ ହାତକୁ ନେଇଛି। ରାୟଗଡ଼ା ତହସିଲଦାର ମ୍ୟାନେଜିଂ ଟ୍ରଷ୍ଟି ଭାବେ କାମ କରୁଛନ୍ତି। ବର୍ଷ ତମାମ ମନ୍ଦିରର ନୀତିକାନ୍ତି, ପୂଜା, ଭୋଗ, ହୋମ ସବୁ କ୍ଷେତ୍ରରେ ମ୍ୟାନେଜିଂ ଟ୍ରଷ୍ଟିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ଚଳିତ ବର୍ଷ କରୋନା ପାଇଁ ରଥଯାତ୍ରା ପରିଚାଳନାରେ ସୃଷ୍ଟି ହୋଇଛି ବିଭ୍ରାଟ। କେବଳ ପୁରୀକୁ ଛାଡ଼ିଲେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ନ କରିବାକୁ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦେଶ ରହିଛି। କୋର୍ଟଙ୍କ ନିର୍ଦେଶ ମୁତାବକ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ତିଆରି ହୋଇଥିବା ରଥ ଚଳିତ ବର୍ଷ ଇଞ୍ଚେ ମଧ୍ୟ ଗଡ଼ି ପାରିନି। ରଥ ନ ଗଡ଼ିବାକୁ ନେଇ ସେବାୟତ ଓ ଭକ୍ତ ଯେତିକି ଦୁଃଖ କରି ନାହାନ୍ତି, ପୂଜାବିଧି ପରିଚାଳନାରେ ସୃଷ୍ଟି ହୋଇଥିବା ବାଧାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ରଥଯାତ୍ରା ସମୟରେ ପ୍ରତ୍ୟେକ ଦିନ ଭକ୍ତଙ୍କ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଭୋଗ ବିକ୍ରି କରାଯାଉଥିଲା। ଲୋକେ ଭୋଗ ଟିକେଟ୍ କାଟି ଧାଡ଼ି ବାନ୍ଧି ଭୋଗ ନେଉଥିଲେ। ଯାହା ଚଳିତ ବର୍ଷ ତାହା ବନ୍ଦ ହୋଇଯାଇଛି। ସେହିପରି ସମସ୍ତ ସେବାୟତଙ୍କ ବଦଳରେ ମାତ୍ର ୩୦ ସେବାୟତଙ୍କୁ ରଥଯାତ୍ରା ଦିନ ନୀତିକାନ୍ତି ପରିଚାଳନା ଲାଗି ପ୍ରଶାସନ ଅନୁମତି ଦେଇଥିଲା। ଦଶନ୍ଧି ଦଶନ୍ଧି ଧରି ଠାକୁରଙ୍କ ସେବା କରି ଆସୁଥିବା ସେବାୟତ ପ୍ରଥମ ଥର ପାଇଁ ରଥଯାତ୍ରାରେ ସେବାରୁ ବଞ୍ଚିତ ହେବାକୁ ନେଇ ଏବେ କଥା କୋର୍ଟ, କଚେରୀ ପର୍ଯ୍ୟନ୍ତ ଗଲାଣି। ଚଳିତ ବର୍ଷ ଯାତ୍ରା ୯ ଦିନ ବଦଳରେ କେବଳ ହେରା ପଞ୍ଚମୀ ଦିନ ଭକ୍ତଙ୍କୁ ଭୋଗ ବିକ୍ରି କରିବାକୁ ଜନସାଧାରଣ ଦାବି କରିଥିଲେ। ସାମାଜିକ ଦୂରତା ରକ୍ଷା କରି ଏହାକୁ ପରିଚାଳନା କରିବା ପାଇଁ ଗତକାଲି ବିଭିନ୍ନ ମହଲରୁ ଦାବି ଉଠିଥିଲା। ଯାହାକୁ ପ୍ରଶାସନ ଓ ଦେବୋତ୍ତର ବିଭାଗ ବିଚାରକୁ ନ ନେଇ ଏଡ଼ାଇ ଦେଇଛନ୍ତି। କେବଳ ଏତିକି ନୁହେଁ, ହେରା ପଞ୍ଚମୀ ସେବାୟତ ପରିବାର ପାଇଁ ହୋଇଥିବା ମହାଜନୀ ଭୋଗକୁ ମଧ୍ୟ ଦେବୋତ୍ତର ବିଭାଗ ବନ୍ଦ କରି ଦେଇଛି। ଯାହା ସେବାୟତ ମହଲରେ କୁହୁଳୁ ଥିବା ଅସନ୍ତୋଷକୁ ତୀବ୍ର କରିଛି।

ସମ୍ବନ୍ଧିତ ଖବର