କଲ୍ୟାଣସି˚ହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସି˚ହପୁର ବ୍ଲକ୍‌ ବୁଡାଗୁଡା ପଞ୍ଚାୟତ ଅନ୍ତର୍ଗତ ପଡୁଚୁଆଁ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଛି। ଏଥିରେ ଜଣେ ଶିଶୁର ମୃତ୍ୟୁ ହୋଇଥିବାବେଳେ ୧୨ରୁ ଊର୍ଧ୍ବ ଗୁରୁତର ଅସୁସ୍ଥ ହୋଇଛନ୍ତି। ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ବିଭିନ୍ନ ଡାକ୍ତରଖାନାରେ ଭର୍ତି କରାଯାଇଛି। ଖବର ପାଇଁ ଡାକ୍ତରୀ ଦଳ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କିଛି ଆକ୍ରାନ୍ତଙ୍କ ଚିକିତ୍ସା କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଗତ ୨୨ତାରିଖ ଦିନ ଗାଁର ଜଣେ ବ୍ୟକ୍ତି ଭୋଜିର ଆୟୋଜନ କରିଥିଲେ। ଭୋଜି ଖାଇବା ପରେ ୨୩ତାରିଖ ଦିନ ସଂଧ୍ୟାରେ ନବୀନ କୃଷିକା (୭) ପ୍ରଥମେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲା। ବାରମ୍ବାର ଝାଡ଼ାବାନ୍ତି ହୋଇ ଗୁରୁତର ଅସୁସ୍ଥ ହେବାରୁ ସ୍ଥାନୀୟ ଆଶା କର୍ମୀ ସୁଲୋଚନା କନ୍ଧପାଣି ଏବଂ ଅଙ୍ଗନବାଡି କର୍ମୀ ଆରତିଙ୍କୁ ଖବର ଦିଆଯାଇଥିଲା। ଉଭୟ ନବୀନର ସ୍ବାସ୍ଥ୍ୟ ଅବସ୍ଥା ଦେଖି ଓଆରଏସ ପାଉଡର ଦେଇଥିଲେ। କିନ୍ତୁ ଗୁରୁତର ଥିବା ନବୀନ କିଛି ସମୟ ପରେ ଆଖି ବୁଜିଥିଲା।

Advertisment

ଏହାପରେ ୨୪ତାରିଖ ସକାଳୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା। ତେଣୁ ଉମା ଶଙ୍କର କଣିକା (୨୨), ସିଦ୍ଧାନ୍ତ କାଣିକା (୧୨)ଙ୍କୁ ଶିକରପାଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ପୁଣି ସନେସ ନାଣାକା(୨୧), ଚିଙ୍କି ପିଡିସିକା (୪) ଗୁରୁତର ହେବାରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଶେଷ ଖବର ସୁଦ୍ଧା ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ପରିବର୍ତନ ଆସିଥିଲେ ହେଁ ଚିକିତ୍ସା ଜାରି ରହିଛି। କିଛି ଘଣ୍ଟା ମଧ୍ୟରେ ୪ଜଣ ଅସୁସ୍ଥ ହେବା ଘଟଣା ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ତେବେ ଏଥିରେ ଥମି ନଥିଲା ଛାଡ଼ାବାନ୍ତି। ଗତକାଲି ରାତି ପ୍ରାୟ ୧୦ଟାରେ କୁନି ପିଡିସିକା (୧୬), କୁନ୍ତି ପିଡିସିକା (୧୯), ଜୟନ୍ତୀ କାଡ୍ରାକା (୧୮), ଅଜୟ ପିଡିସିକା(୧୨), ରାଜେଶ ପିଡିସିକା (୪), ବର୍ଷା ପିଡିସିକା (୩), ପୀତାମ୍ବର ପିଡିସିକା (୨୮), ଧନପତି ନାଣାକା (୧୨), ଦାଇ ପିଡିସିକା (୪୮) ପ୍ରମୁଖଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ଏମାନଙ୍କ ବ୍ୟତୀତ ଆହୁରି କିଛି ଜଣ ଆକ୍ରାନ୍ତ ଗାଁରେ ରହିଥିବା ସୂଚନା ମିଳିଛି।