ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ଦାବି: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ରାୟଗଡ଼ା ବିଧାୟକ 

ରାୟଗଡ଼ା: ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ଦାବିରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶର ଟୁଡୁଙ୍କ ଭେଟିଛନ୍ତି ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି। ବହୁ ଦାବି ସତ୍ତ୍ବେ ଝୋଡ଼ିଆ ସଂପ୍ରଦାୟ ଆଦିବାସୀ ମାନ୍ୟତାରୁ ବଞ୍ଚିତ ହୋଇ ଆସୁଥିବାରୁ କାଶୀପୁର ବ୍ଲକର ଏହି ଅଧିବାସୀ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ନେଇ ଶ୍ରୀ ମୁଦୁଲି କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ବିଧାୟକ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

ସ୍ମାରକ ପ୍ରରେ, ୨୦୧୪ ମସିହାରୁ ହାଇପାୱାର୍ କମିଟି ଅନୁମୋଦନ ସତ୍ବେ କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନେଉନଥିବା ଉଲ୍ଲେଖ ଅଛି। ୨୦୧୧ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରି ଆସୁଛନ୍ତି। ପୂର୍ବତନ ଆଦିବାସୀ କଲ୍ୟାଣ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ସମେତ ତତ୍କାଳୀନ ରାଜ୍ୟପାଳ ଡ. ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଝୋଡ଼ିଆଙ୍କ ସପକ୍ଷରେ ନିଜର ଦାବି କେନ୍ଦ୍ର ନିକଟରେ ରଖିଛନ୍ତି।

୧୯୯୭ ମସିହା ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାର ଝୋଡିଆ, ପରଜାଙ୍କୁ ଆଦିବାସୀ କାର୍ଡର ସୁବିଧା ସୁଯୋଗ ଦେଇ ଆସୁଥିଲେ। କିନ୍ତୁ ପରବର୍ତୀ ସମୟରେ ପରଜାଙ୍କୁ ଆଦିବାସୀ ଶ୍ରେଣୀଭୁକ୍ତ କରି ଝୋଡ଼ିଆଙ୍କୁ ଆଦିବାସୀ ତାଲିକାରୁ ବାଦ୍ ଦେଇଥିଲେ ସରକାର। ଫଳରେ ଜାତିଗତ ପ୍ରମାଣପତ୍ରଠୁ ଆରମ୍ଭ କରି ସମସ୍ତ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି ‌ଝୋଡ଼ିଆ। ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ୧୨ଟି ପଞ୍ଚାୟତ ସମେତ କୋରାପୁଟ, ମାଲକାନଗିରି, ନବରଂଗପୁର, କଳାହାଣ୍ଡି ଜିଲ୍ଲାରେ ୧ ଲକ୍ଷରୁ ଉର୍ଧ୍ବ ଝୋଡିଆ ସଂପ୍ରଦାୟ ବସବାସ କରୁଛନ୍ତି। ଏହି ସଂପ୍ରଦାୟ ବସବାସ କରୁଥିବା ଅଞ୍ଚଳ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ବହୁ ପଛରେ। ଏହା ସତ୍ବେ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ତୀବ୍ର ବିରୋଧ କରି ଆସୁଛନ୍ତି ଝୋଡ଼ିଆ।

୨୦୧୨ରେ ପଞ୍ଚାୟତ ନିର୍ବାଚନ ବର୍ଜନ ଯୋଗୁ କାଶୀପୁର ବ୍ଲକରେ ଜଣେ ବି ଝୋଡ଼ିଆ ମତଦାନ କରିନଥିଲେ।  ଫଳରେ ୨୦୧୭ ପର୍ଯ୍ୟନ୍ତ  ୫ ବର୍ଷ ଜିଲ୍ଲାପାଳ ନ‌ୋମିନ୍ ଭାବେ କାମ କରିଥିଲେ। ଏହା ପରେ କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ଏକ ଟିମ୍ କାଶୀପୁର, ରାୟଗଡା, ମାଲକାନଗିରି, ନବରଂଗପୁର ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରି ସର୍ଭେ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି। ୨୦୧୪ ରେ ମୋଦି ସରକାର ଶାସନକୁ ଆସିବା ପରେ ଆସାମ, ମଧ୍ୟପ୍ରଦେଶ, ଛତିଶଗଡ, ଝାଡଖଣ୍ଡର ୧୫ରୁ ଉର୍ଧ୍ବ ସଂପ୍ରଦାୟକୁ ଆଦିବାସୀ ତାଲିକାଭୁକ୍ତ କଲେ। କିନ୍ତୁ ହାଇପାୱାର କମିଟିର ଅନୁମୋଦନ ସତ୍ବେ ଓଡ଼ିଶାର ଦାବିକୁ ଅଣଦେଖା କଲେ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଆଦିବାସୀ ମନ୍ତ୍ରୀଙ୍କ ସୁପାରିଶ ସତ୍ବେ ଝୋଡିଆ ସମେତ ଓଡ଼ିଶାର ୯ଟି ସଂପ୍ରଦାୟଙ୍କୁ ଆଦିବାସୀ ତାଲିକାଭୁକ୍ତ କରି‌ବାରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଦୁଇ ଦଶନ୍ଧି ଧରି ଝୋଡିଆଙ୍କୁ କେନ୍ଦ୍ର ସରକାର ଅବହେଳା କରି ଚାଲିଥିବାରୁ ଦୀର୍ଘ ୨୧ ବର୍ଷ ହେଲା ଆଦିବାସୀଙ୍କ ପାଇଁ ପ୍ରଣୟନ ହୋଇଥିବା ସରକାରୀ ସୁବିଧାରୁ କାଣିଚାଏ ଲାଭ ମିଳୁନି ଝୋଡିଆଙ୍କୁ। ଏଥି ସହିତ ଅଣ ଆଦିବାସୀଙ୍କ ହାତରେ ରହିଥିବା ଜମି ଝୋଡିଆଙ୍କ ନିକଟକୁ ଫେରି ପାରୁନି। ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଧାୟକ ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର